Sunday , October 17 2021
Breaking News
Home / ବିଶେଷ / ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରାସ୍ତାରେ ଆଣ୍ଠୁଏ ପାଣି

ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରାସ୍ତାରେ ଆଣ୍ଠୁଏ ପାଣି

କେନ୍ଦ୍ରାପଡ଼ା,୩୦/୦୯/୨୦୨୧(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଛାଡିବା ପ୍ରାୟ ୨୦ଦିନ ବିତିଗଲାଣି । କିନ୍ତୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସଂଯୋଗ ରାସ୍ତାରୁ ପାଣି ନିଷ୍କାସନ ହୋଇପାରୁନଥିବାରୁ ସେହି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଛିଡାହୋଇଛି । ଫଳରେ ସେହି ରାସ୍ତାଦେଇ ଲୋକମାନେ ଯାତୟତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀନବନ୍ଧୁ ସାହୁ ଆଇନ୍ ମହାବିଦ୍ୟାଳୟ ପାଚେରୀ ନିକଟରୁ ଶ୍ରମ କାର୍ଯ୍ୟାଳୟ ପରିସର ପର୍ଯ୍ୟନ୍ତ ସେହି ରାସ୍ତାରେ ଏବେବି ବର୍ଷାଜଳ ଜମିରହିଥିବା ଦେଖାଯାଇଛି । ସେଠାରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମେତ ଚକବନ୍ଦୀ ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟ ରହିଛି । ଉଭୟ କାର୍ଯ୍ୟାଳୟକୁ ଯିବା ନିମନ୍ତେ ଏହା ଏକମାତ୍ର ରାସ୍ତା ହୋଇଥିବାରୁ ଦୈନନ୍ଦିନ ଶହ ଶହ ସଂଖ୍ୟାରେ ଲୋକ ସେହି ଦୁଇ କାର୍ଯ୍ୟାଳୟକୁ ଯିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଆଇନ କଲେଜ ରାସ୍ତା ଓ ଶ୍ରମ କାର୍ଯ୍ୟାଳୟ ରାସ୍ତା ଦେଇ ଦୈନିକ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ କଲେଜ ଏବଂ କାର୍ଯ୍ୟାଳୟକୁ ଯାଆ ଆସ କରିବାରେ ଗୁରୁତର ବାଧା ଉପୁଜିଛି । ଏତଦବ୍ୟତିତ ସେହି ଅଂଚଳରେ ବିଦ୍ୟାଳୟ, ଆଇନ୍ ମହାବିଦ୍ୟାଳୟ, ଶ୍ରମ କାର୍ଯ୍ୟାଳୟ, ଚକବନ୍ଦୀ କାର୍ଯ୍ୟାଳୟ ସମେତ ୩୦ରୁ ଅଧରକ ବାସଗୃହ ଥିବାରୁ ବହୁ ଶିକ୍ଷତ ଓ ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ ସେ ଅଂଚଳରେ ବସବାସ କରୁଛନ୍ତି । ହେଲେ ଏବେ ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଛି । କାରଣ ରାସ୍ତା ଭଲ ଭାବେ ନିର୍ମାଣ ହୋଇ ନାହିଁ । ତେଣୁ ବର୍ଷା ହେଲେ ରାସ୍ତାରେ ଯିବା ଆସିବା କରିବା କଷ୍ଟକର ହୋଇ ପଡେ । ଏ ନେଇ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ହେଉ ନ ଥିବା ଅଭିଯୋଗ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିକଟରେ ଓଏଏସ୍ ଅଧିକାରୀ ତଥା ଅତିରିକ୍ତ ଉପଜିଲାପାଳ ଡ଼ଃ. ବିରଜା ରାଉତରାୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସେଠାରେ ଥିବା ଚକବନ୍ଦୀ କାର୍ଯ୍ୟାଳୟକୁ ଚକବନ୍ଦୀ ଅଧିକାରୀ ଭାବେ ବଦଳି କରାଯାଇଛି । ଏହି କାର୍ଯ୍ୟାଳୟଟି ଶ୍ରମ କାର୍ଯ୍ୟାଳୟ ଉପର ମହଲାରେ ରହିଛି । ସେ ଜଣେ ଶାରିରୀକ ଭିନ୍ନକ୍ଷମ ବ୍ୟକ୍ତି । ସେ ଚାଲି ପାରନ୍ତି ନାହିଁ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ହେଲେ ହୁଇଲ ଚେୟାରର ସହଯୋଗ ନେଇଥାନ୍ତି । ତେଣୁ ଏଭଳି ପରିସ୍ଥିତିରେ ଶ୍ରୀ ରାଉତରାୟ କାର୍ଯ୍ୟାଳୟକୁ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ବିଶିଷ୍ଟ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ଡଃ. ରାମଚନ୍ଦ୍ର ବେହେରା ମଧ୍ୟ ସେହି ଗଳିରେ ରହୁଛନ୍ତି । ଜଣେ ସାରସ୍ୱତ ସ୍ରଷ୍ଟାଙ୍କ ପ୍ରତି ଜିଲ୍ଲା ପ୍ରଶାସନର ଏ ହେଉଛି ସମ୍ମାନ । ଥରେ ବର୍ଷା ହେଲେ ସେହି ରାସ୍ତାରେ ମାସାଧିକ କାଳ ପାଣି ଜମି ରହିଥାଏ । ତେଣୁ ସେହି ରାସ୍ତାରୁ ପାଣି ନିଷ୍କାସନ ସହିତ ତୁରନ୍ତ ଢଳେଇ ରାସ୍ତା ନିର୍ମାଣ କରାଯିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

“ହୁନର ହାଟ”ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ/ଭୁବନେଶ୍ୱର, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ସାରା ଭାରତବର୍ଷରେ ସ୍ୱଦେଶୀ …

Leave a Reply

Your email address will not be published. Required fields are marked *