ମାହାଙ୍ଗା,୨୯/୦୯/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ଗ୍ରାମୀଣ ଜନଜୀବନର ସରଳ, ତରଳ, ଆଧ୍ୟାତ୍ମିକ ଚେତନା ଭିତରେ ମହକି ଉଠେ ବାର ମାସରେ ତେର ପର୍ବ । ଖୁଦୁରୁକୁଣୀ ମେଲଣକୁ ନେଇ ଗାଁଗହଳରେ ଆଜିବି ସାଂସ୍କୃତିକ ବିଭବର ମହକ ବାରିହୋଇପଡ଼େ । ଝିଅମାନେ ଅତ୍ୟନ୍ତ ନିଷ୍ଠା ଓ ଆଗ୍ରହର ସହିତ ଏହିପର୍ବ କୁ ପାଳନ କରିବା ଦେଖିବାକୁ ମିଳେ ।
କଟକ ଜିଲ୍ଲା ଅନ୍ତର୍ଗତ କଳା ଓ ସଂସ୍କୃତିର ପୀଠ ମାହାଙ୍ଗା ର ରାହାଣିଆ,ଲଳିତଗିରି ଓ ପଣସପୁର ପଞ୍ଚାୟତର ତ୍ରିକୋଣ ଭୂମିରେ ରହିଥିବା ଐତିହାସିକ ଜେରକନ୍ଦ ମେଳଣ ପଡିଆ ଠାରେ ଯାକ ଜମକରେ ଅନୁଷ୍ଠିତ ହୋଇଯାଇଛି ଖୁଦୁରୁକୁଣୀ ମେଲଣ । ଏହି ମେଳଣ ପଡ଼ିଆରେ ତିନୋଟି ପଞ୍ଚାୟତରୁ ମା’ ମଙ୍ଗଳାଙ୍କ ସୁଶୋଭିତ ବିମାନ ଗୁଡିକ ପହଂଚି ଥାଏ । ମେଳଣ ପଡ଼ିଆରେ ଏକତ୍ରିତ ହୋବାପରେ ମାଆଙ୍କୁ ଭୋଗଲାଗି ହୁଏ । ପଲ୍ଲୀ ଗାଁ ର ଧାରେ ଧାରେ କୁଳୁକୁଳୁ ହୋଇ ପ୍ରବାହିତ ଗୋବରୀ ନଦୀରେ ମା ମଙ୍ଗଳାଙ୍କ ପ୍ରତିମୂର୍ତ୍ତିକୁ ଯୁବତୀମାନେ ବିସର୍ଜନ କରିବାକୁ ପହଂଚି ଯାଆନ୍ତି । ଏହି ଶୋଭାଯାତ୍ରାରେ ରାହାଣିଆ ପଞ୍ଚାୟତ ବ୍ରାହ୍ମଣ ସାହିର ମଙ୍ଗଳା ଠାକୁର, ପଣସପୁର ବିଶ୍ଵାଳ ସାହି ଠାକୁର,ଲଳିତଗିରି ପଞ୍ଚାୟତ ସାମଲ ସାହି,ଗଉଡ ସାହି,କୁମ୍ଭାର ସାହି,କେଉଟ ସାହି ଓ ଜେରକନ୍ଦ ଗାଁ’ର ଗଉଡ ସାହି ଠାକୁର ଗୁଡିକୁ ଏକ ବିଶାଳ ଶୋଭାଯାତ୍ରାରେ ନିଆଯାଇଥାଏ । ହଜାର ହଜାର ଶ୍ରଦ୍ଧାଳୁଙ୍କ କାନ୍ଧରେ ବିରାଜମାନ ହୋଇ ମାଆ ମଙ୍ଗଳା ମେଲଣ ପଡିଆରେ ପହଞ୍ଚିବା ଓ ବାଜା ବାଣ ଘଣ୍ଟ ଘଣ୍ଟା, ତୂରୀ ଭେରୀ ନୃତ୍ୟ ସଙ୍ଗୀତର ତାଳେ ତାଳେ ସମଗ୍ର ଜନପଦ ମନ୍ତ୍ରମୁଗ୍ଧ ହୋଇଉଠେ ।ଏହି ମେଳଣ ପଡ଼ିଆରେ ବିଶ୍ଵାଳ ସାହି ଠାକୁର ଥାନପତି ଭାବେ ବିରାଜମାନ କରନ୍ତି।କାହିଁ କେଉଁ କାଳରୁ ଏହି ମେଲଣ ଆରଂଭ ହୋଇ ଅଦ୍ୟାବଧି ଗ୍ରାମର ସାଂସ୍କୃତିକ ଓ ଧର୍ମୀୟ ପରମ୍ପରାକୁ ବଂଚେଇ ରଖିଛି, ଯାହାର ହିସାବ କେହି ରଖି ନାହାନ୍ତି । ଏହି ମେଳଣ ମାଧ୍ୟମରେ ଭାଇଚାରା ଓ ସଦଭାବନକୁ ଅକ୍ଷୁର୍ଣ୍ଣ ରଖିବା ସବୁଠାରୁ ବଡ଼କଥା । କୁମାରୀ ମାନଙ୍କ ଭିତରେ ଏ ଜାତିର ପ୍ରାଣସ୍ପନ୍ଦନକୁ ଜୀବନ୍ତ ରହିବା ପାଇଁ ଭାଲୁକୁଣି ଓଷା ଓ ମେଲଣ ଯାତ୍ରାର ନିଆରା ସ୍ମୁତି ସବୁବେଳେ ଅପାସୋରା । ଓଡ଼ିଶା ସମାଚାର