Saturday , October 16 2021
Breaking News
Home / ବିଶେଷ / ଖରସ୍ରୋତାରେ ମେଗା ପାନୀୟ ଜଳ ପ୍ରକଳ୍ପ ବିବାଦ : ସର୍ଭେ କରିନାହିଁ ଆଇଆଇଟି ହାଇଦ୍ରାବାଦ୍ ଟିମ୍

ଖରସ୍ରୋତାରେ ମେଗା ପାନୀୟ ଜଳ ପ୍ରକଳ୍ପ ବିବାଦ : ସର୍ଭେ କରିନାହିଁ ଆଇଆଇଟି ହାଇଦ୍ରାବାଦ୍ ଟିମ୍

କେନ୍ଦ୍ରାପଡ଼ା, ୨୯/୦୯/୨୦୨୧(ଓଡ଼ିଶା ସମାଚାର)-ଖରସ୍ରୋତାରେ ପ୍ରକଳ୍ପ ବିବାଦ ଘଟଣା ଏକ ଗୁରୁତ୍ୱପୁର୍ଣ୍ଣ ମୋଡ ନେଇଛି । ପାନୀୟ ଜଳ ପ୍ରକଳ୍ପ ପାଇଁ ଆଇଆଇଟି ହାଇଦ୍ରାବାଦର ଟିମ୍ ନା ପ୍ରକଳ୍ପ ଅଂଚଳ ପରିଦର୍ଶନ କରିଛି ନା ଏଥିପାଇଁ ସେହି ଟିମ ସର୍ଭେ କରିଛି । ହାଇଦ୍ରାବାଦ୍ ଟିମ୍ ର ସର୍ଭେ ନାଁରେ ଜାଲ୍ ରିପୋର୍ଟ ପ୍ରଦର୍ଶନ କରାଯାଇଥିବା ନେଇ ହୋଇଥିବା ଅଭିଯୋଗ ସତ୍ୟ ବୋଲି ଶେଷରେ ପ୍ରମାଣିତ ହୋଇଛି । ଟିମ୍ କୁ ଏଥିପାଇଁ କେହି ସର୍ଭେ କରିବାକୁ କହିନଥିଲେ ବୋଲି ଆଇଆଇଟି ହାଇଦ୍ରାବାଦ୍ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ତେଣୁ ଟିମ୍ ପ୍ରକଳ୍ପ ସ୍ଥଳକୁ ଯାଇ ସର୍ଭେ କରିନାହିଁ କିମ୍ବା ପ୍ରକଳ୍ପର ସାମାଜିକ ଓ ପରିବେଶୀୟ ପ୍ରଭାବ ସଂକ୍ରାନ୍ତରେ କୌଣସି ରିପୋର୍ଟ ପ୍ରଦାନ କରିନଥିବା ଆଇଆଇଟି ହାଇଦ୍ରାବାଦ୍ ର ମୁଖ୍ୟ ଜନସୂଚନା ଅଧିକାରୀ ଡେପୁଟି ରେଜିଷ୍ଟ୍ରାର (ଏମଏସ୍) ସୟଦ ଅଲ୍ଲୀ ସାବିର୍ କହିଛନ୍ତି । ସୂଚନା ଅଧିକାର କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କୁ ଇ-ମେଲ ଯୋଗେ ଆଇଆଇଟି ପକ୍ଷରୁ ମିଳିଥିବା ତଥ୍ୟରେ ସ୍ପଷ୍ଟିକରଣ ଦିଆଯାଇଛି । କେବଳ ସେତିକି ନୁହେଁ ହାଇଦ୍ରାବାଦ ଆଇଆଇଟି କେବେ ସର୍ଭେ କରିବାକୁ ନିଷ୍ପତି ନେଲା, ଓଡିଶା ସରକାରଙ୍କ ସହ ଆଦାନପ୍ରଦାନ ହୋଇଥିବା ସମସ୍ତ ପତ୍ର, ସର୍ଭେ ସଂକ୍ରାନ୍ତ ଓଡିଶା ସରକାରଙ୍କ ଚିଠି, ସର୍ଭେ ବାବଦକୁ ବିଲ୍ ଓ ଏଥିବାବଦକୁ ପାରିଶ୍ରମିକ ପ୍ରଦାନ, କେଉଁ ତାରିଖରେ ଟିମ୍ ସର୍ଭେ କରିଥିଲା ଏବଂ ସର୍ଭେ କରିଥିବା ଟିମ୍ ର ସଦସ୍ୟମାନଙ୍କ ସମ୍ପର୍କରେ ଶ୍ରୀ ମହାନ୍ତି ସୂଚନା ଅଧିକାର ଆଇନ୍ ରେ ତଥ୍ୟ ମାଗିଥିଲେ । ତେବେ ଉତର ସ୍ଥାନରେ ଅନୁପଲବ୍ଧ ବୋଲି ଦର୍ଶାଯାଇଛି । ସେଥିପାଇଁ ଓଡିଶା ସରକାରଙ୍କ ପକ୍ଷରୁ କେଉଁ ତାରିଖରେ ସର୍ଭେ ପାଇଁ କୁହାଯାଇଥିଲା ବୋଲି ପ୍ରଶ୍ନର ଉତରରେ ଓଡିଶା ସରକାର ଏଥିପାଇଁ ସର୍ଭେ କରିବାକୁ କହିନଥିବା ଦର୍ଶାଯାଇଛି । ତେଣୁ ପ୍ରକଳ୍ପକୁ ନେଇ ସାଧାରଣ ଜନତାଙ୍କୁ ଯେ ସମ୍ପୁର୍ଣ୍ଣ ଅନ୍ଧାରରେ ରଖାଯାଇଛି ଏଥିରେ ଆଉ ବୁଝିବାକୁ ବାକି ନାହିଁ ବୋଲି ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି ପକ୍ଷରୁ ଅଭିଯୋଗ ହୋଇଛି । ପ୍ରାରମ୍ଭରୁୁ ହାଇଦ୍ରାବାଦ୍ ଆଇଆଇଟି ରିପୋର୍ଟକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏପରି କୌଣସି ପ୍ରକାର ସର୍ଭେ ରିପୋର୍ଟ ସଂସ୍ଥା ଦେଇନଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଭିତରକନିକା ଇକୋ ସେନସିଟିଭ୍ ଜୋନ୍ ମନିଟରିଂ କମିଟିର ସଭ୍ୟ ତଥା ‘ସମ୍ଭାବନା’ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଶ୍ରୀକାନ୍ତ ନାୟକ ଓ ଅନ୍ୟମାନେ ଏନେଇ ପୂର୍ବରୁ ଅଭିଯୋଗ କରିଆସୁଥିଲେ । ଶ୍ରୀ ନାୟକ ଦର୍ଶାଇଥିଲେ ଯେ ଓଡିଶା ସରକାର ବ୍ରାହ୍ମଣୀର ଶାଖାନଦୀ ଖରସ୍ରୋତାରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରୁଛନ୍ତି । ଖରସ୍ରୋତା ବରୁଣାଡିହାରୁୁ ପାଣି ଉତୋଳନ କରାଯାଇ ଭଦ୍ରକ ଜିଲ୍ଲାର ନୁଆହାଟଠାରେ ଏହାକୁ ବିଶୋଧନ କରାଯିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୫ ମସିହା ଜୁନ୍ ୧୬ରେ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁଯାଇ ୨ଟି ଯାକ ସ୍ଥାନ ଭିତରକନିକା ଇକୋ ସେନସିଟିଭ୍ ଜୋନ୍ ଅଧିନରେ ଆସୁଛି । ତେବେ ବିସ୍୍ମୟକର କଥା ହେଉଛି ଏଠାରେ ଏକ ସରକାରୀ ପ୍ରକଳ୍ପ ନିର୍ମାଣ ହେଉଥିଲେ ମଧ୍ୟ ସେଥିନିମନ୍ତେ ଭିତରକନିକା ଇକୋ ସେନସିଟିଭ୍ ଜୋନ୍ ମନିଟରିଂ କମିଟିର ଅନୁମୋଦନ ନିଆଯାଇନାହିଁ । ପରେ ଅନୁଷ୍ଠିତ ମନିଟରିଂ କମିଟି ବୈଠକରେ ବିଶେଷଜ୍ଞ କମିଟି ନିଯୁକ୍ତ କରାଯିବ ବୋଲି ସ୍ଥିର ହୋଇଥିଲା । କିନ୍ତୁ ଶ୍ରୀ ନାୟକ ଯେତେବେଳେ ଉକ୍ତ ବୈଠକର ରିଜୋଲୁ୍ୟସନର ନକଲ ମାଗିଲେ ଡିଏଫଓ ତାଙ୍କୁ ଦେଇନଥିଲେ । ସେହିପରି ଡିସେମ୍ବର ୧୫ ତାରିଖରେ ମନିଟରିଂ କମିଟିର ଅନ୍ୟ ଏକ ବୈଠକ ଆହୂତ ହୋଇଥିଲା । ସେହି ବୈଠକରେ ତାଙ୍କୁ କମିଟିର ସମ୍ପାଦକ ଡିଏଫଓ ପରିବେଶୀୟ ଓ ସାମାଜିକ ପ୍ରଭାବ ଅନୁଧ୍ୟାନ (ଇଏସଆଇଏ)ରିପୋର୍ଟ ପ୍ରଦାନ କରିଥିଲେ । ତେବେ ଡିସେମ୍ବର ୩ରୁ ଡିସେମ୍ବର ୧୫ତାରିଖ ମଧ୍ୟରେ ଏତେଶୀଘ୍ର ଇଏସଆଇଏ ରିପୋର୍ଟ ପ୍ରସ୍ତୁତ ହେଲା କେମିତି ବୋଲି ଶ୍ରୀକାନ୍ତ ଆପତି ଉଠାଇଥିଲେ । ଯେଉଁ ବିଶେଷଜ୍ଞ କମିଟି ଅନୁଧ୍ୟାନ କଲେ ତାହାର ସଦସ୍ୟ କିଏ ଥିଲେ ଓ ଏଥିପାଇଁ ମନିଟରିଂ କମିଟି କେବେ ତାଙ୍କ ପାଖକୁ ଚିଠି କରି ଜଣାଇଥିଲା ସେ ବାବଦରେ କୌଣସି ସୂଚନା ଦିଆଯାଇନଥିଲା । ଫଳରେ ସର୍ଭେ ରିପୋର୍ଟର ବୈଧତା ଓ ସତ୍ୟତାକୁ ନେଇ ଯେଉଁ ସନ୍ଦେହ ସୃଷ୍ଟି ହୋଇଥିଲା ତାହା ଆଜି ସତ୍ୟ ପ୍ରମାଣିତ ହୋଇଛି ବୋଲି ପରିବେଶବିତ ଶ୍ରୀକାନ୍ତ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

“ହୁନର ହାଟ”ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ/ଭୁବନେଶ୍ୱର, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ସାରା ଭାରତବର୍ଷରେ ସ୍ୱଦେଶୀ …

Leave a Reply

Your email address will not be published. Required fields are marked *