ଜଗତସିଂହପୁର ୨୭/୦୯/୨୦୨୧(ଓଡ଼ିଶା ସମାଚାର)–ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଚଳିତ ବର୍ଷ ଦୁର୍ଗାପୂଜା ଉସôବକୁ ଶାନ୍ତି ଶୃଙ୍ଖଳାର ସହ ରାଜ୍ୟ ସରକାରଙ୍କର କୋଭିଡ୍ ମାର୍ଗ ଦର୍ଶିକା ଅନୁଯାୟୀ ପାଳନ କରିବା ପାଇଁ ସମସ୍ତ ମେଢ଼ କମିଟିକୁ ପରାମର୍ଶ ଦେଇଥିଲେ । ଜଗତସିଂହପୁର ଜିଲ୍ଲା କୋଭିଡ୍ ଟୀକାକରଣରେ ରାଜ୍ୟରେ ୨ୟ ସ୍ଥାନ ଅଧିକାର କରିଛି । ଜଗତସିଂହପୁର ସହରକୁ ଏକ ଉନ୍ନତମାନର ପୌରପାଳିକା ଭାବେ ଗଢ଼ି ତୋଳିବାକୁ ଅନେକ ପଦକ୍ଷେପ ନିଆଯାଇଛି । ବକ୍ସ କଲଭଟ୍ ନିର୍ମାଣ,କଲେଜ ଛକ ଷ୍ଟାଡିୟମ ରୋଡ୍ ପ୍ରଶସ୍ତିକରଣ,କଲେଜଛକରେ ମାର୍କେଟ କଂପ୍ଲେକ୍ସ,ଏସିଟିପି ପ୍ଲାଣ ଆଦି କାର୍ଯ୍ୟ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି । ଜିଲ୍ଲାରେ ପୂଜା ମଣ୍ଡପ/ପେଣ୍ଡାଲରେ ପୂଜା ଆୟୋଜନ ନିମନ୍ତେ ପୂଜା କମିଟି ଓ ଆୟୋଜକ ମାନେ ଉପ-ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେବେ । ମୂର୍ତିର ଉଚ୍ଚତା ୪ ଫୁଟରୁ କମ୍ ରହିବ । ପୂଜା ସ୍ଥଳୀର ତିନିପାଖ ବନ୍ଦ ରହିବା ସହିତ ଆଗପଟ ପରଦା ଦ୍ୱାରା ବନ୍ଦ ରହିବ, ଯେପରି ସର୍ବ ସାଧାରଣ ଦର୍ଶନ କରି ପାରିବେ ନାହିଁ । ପୂଜା ମଣ୍ଡପରେ ପୁରୋହିତ,ଆୟୋଜକ ଏବଂ ସହାୟକଙ୍କୁ ମିଶାଇ ୭ ଜଣରୁ ଉର୍ଦ୍ଧ ବ୍ୟକ୍ତି ଉପସ୍ଥିତ ରହି ପାରିବେ ନାହିଁ । ଯେଉଁମାନେ ପୂଜା ମଣ୍ଡପରେ ଉପସ୍ଥିତ ରହିବେ,ସେମାନେ କୋଭିଡ୍-୧୯ ନିୟମ ପାଳନ କରିବା ସହିତ ମାସ୍କ ବ୍ୟବହାର,ସାମାଜିକ ଦୂରତ୍ୱ ବଜାୟ ରଖିବା,ବ୍ୟକ୍ତିଗତ ସ୍ୱଛତା ବାଧ୍ୟତାମୂଳକ ପାଳନ କରିବେ ।
କୌଣସି ପୂଜା ମଣ୍ଡପରେ ଡାକବାଜି ଯନ୍ତ୍ର ବ୍ୟବହାର କରାଯିବ ନାହିଁ । ପ୍ରତିମୂର୍ତି ବିସର୍ଜନ ସମୟରେ କୌଣସି ପ୍ରକାର ଶୋଭାଯାତ୍ରା କରାଯିବ ନାହିଁ । ପୂଜା ମଣ୍ଡପରେ କୌଣସି ମୁ୍ୟଜିକାଲ କାର୍ଯ୍ୟକ୍ରମ ବା ଆମୋଦ ପ୍ରମୋଦ କାର୍ଯ୍ୟକ୍ରମ କରାଯିବ ନାହିଁ ଅକ୍ଟୋବର ୧୬ ତାରିଖ ଶନିବାର ଦିନ ୧୨ଟାରୁ ଅପରାହ୍ନ ୪ଟା ମଧ୍ୟରେ ସମସ୍ତ ପୂଜା କମିଟି ସହର ମଧ୍ୟରେ ହୋଇଥିବା ୪ ଗୋଟି ଅସ୍ଥାୟୀ ପୋଖରୀରେ ମୂର୍ତି ବିସର୍ଜନ କରିବେ । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଧେଶ ମୁତାବକ ଏବଂ ପ୍ରଦୁଷଣ ନିୟନ୍ତ୍ରଣ ବିଭାଗର ନିୟମ ଅନୁସାରେ ଅସ୍ଥାୟୀ ପୋଖରୀରେ ମୂର୍ତି ବିସର୍ଜନ କରାଯିବ । ମୂର୍ତି ବିସର୍ଜନ ନିମନ୍ତେ ଗାଲୁପଡା,ପୁରୋହିତପୁର ଏବଂ କଲେଜ ଛକଠାରୁ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଯାଇଥିବା ରାସ୍ତା କଡରେ ଅସ୍ଥାୟୀ ପୋଖରୀ ଖନନ କରାଯିବ । ଦୁର୍ଗାପୂଜା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ଆରକ୍ଷୀ ଅଧିକ୍ଷକ ବ୍ୟବସ୍ଥା କରିବେ । ଶେଷରେ ପୂର୍ବତନ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପୀତାମ୍ବର ସ୍ୱାଇଁଙ୍କ ମୃତୁ୍ୟରେ ଶୋକ ପ୍ରକାଶ କରାଯାଇଥିଲା ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ,ଚିନ୍ମୟୀ ବିଶ୍ୱାଳ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମେଶ କୁମାର ପଣ୍ଡା,ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସରୋଜକାନ୍ତ ମହାନ୍ତି,ଉପ-ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ୍,ବିଭାଗୀୟ ଅଧିକାରୀ,ସଂପୃକ୍ତ ନିର୍ବାହୀ ଯନ୍ତ୍ରୀ,ସମସ୍ତ ମେଢ଼ର କର୍ମକର୍ତା,ଶାନ୍ତି କମିଟିର ସଦସ୍ୟ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ ସଭା ପରିଚାଳନା କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର