Saturday , December 4 2021
Home / ବିଶେଷ / ପୁନା ଚୁକ୍ତି ଦିବସ ସ୍ମରଣ ଅବସରରେ ଆଲୋଚନାଚକ୍ର

ପୁନା ଚୁକ୍ତି ଦିବସ ସ୍ମରଣ ଅବସରରେ ଆଲୋଚନାଚକ୍ର

ଭୁବନେଶ୍ୱର,୨୬/୦୯/୨୦୨୧(ଓଡ଼ିଶା ସମାଚାର)- ପୁନାଚୁକ୍ତି ଦିବସ ପାଳନ ଅବସରରେ ଭୁବନେଶ୍ୱର, କଳିଙ୍ଗ ବୁଦ୍ଧବିହାର ସଭାକକ୍ଷରେ “ଅନୁସୂଚିତ ବର୍ଗଙ୍କ ସମସ୍ୟା ଓ ସମାଧାନ’ ଶୀର୍ଷକ ଏକ ଆଲୋଚନାଚକ୍ର ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ମଲ୍ଳିକଙ୍କ ସଭାପତିତ୍ୱରେ ସେପ୍ଟେମ୍ବର ୨୬ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ୧୯୩୨ ମସିହା ସେପ୍ଟେମ୍ବର ୨୪ ତାରିଖରେ ଭାରତର ସ୍ୱାଧୀନତାଦାତା ପରମଧାର୍ମିକ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ବିପ୍ଳବୀ ସମାଜ ସଂସ୍କାରକ, ସ୍ୱାଧୀନ ଭାରତର ସମ୍ବିଧାନ ପ୍ରଣେତା ତଥା ଆଧୁନିକ ଭାରତର ଭିତିଭୂମି ସ୍ରଷ୍ଟା ଭାରତ ରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ମଧ୍ୟରେ ଆଲୋଚନା ହୋଇ ଇରୋଭଦା ଜେଲରେ ପୁନାଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହାଦ୍ୱାରା ଭାରତୀୟ ସମାଜ, ଅର୍ଥନୀତି ଓ ରାଜନୀତିରେ ଏକ ବୈପ୍ଳବିକ ପରିବର୍ତନ ସମ୍ଭବ ହୋଇପାରିଥିଲା । କିନ୍ତୁ ପରିତାପର ବିଷୟ, ଐତିହାସିକମାନେ ଏହାକୁ ଅଣଦେଖା କରିଛନ୍ତି ।
ଦ୍ୱିତୀୟ ଗୋଲଟେବୁଲ୍ ବୈଠକରେ ଡଃ ଆମ୍ବେଦକରଙ୍କ ବଳିଷ୍ଠ ତଥ୍ୟ ଉପସ୍ଥାପନା ବିଶ୍ୱକୁ ଚକିତ କରିଦେଇଥିଲା । କଂଗ୍ରେସର ସହମତିରେ ବି୍ରିଟିଶ୍ ସରକାର ଭାରତରେ ଦଳିତମାନଙ୍କ ପାଇଁ ଦ୍ୱୈତ ସାମ୍ବିଧାନିକ ବ୍ୟବସ୍ଥା ଲାଗୁ କରିବା ନିମିତ ନିଷ୍ପତି ନେଇଥିଲେ । କିନ୍ତୁ ମହାତ୍ମା ଗାନ୍ଧୀ ଏହା ବିରୁଦ୍ଧରେ ଅନଶନ କରିବାରୁ ଭାରତରେ ଅଶାନ୍ତି ସୃଷ୍ଟି ହୋଇ ଦଳିତମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା । ମୁସଲମାନ ଓ ଖୀରସ୍ତାନମାନଙ୍କୁ ଶାସନରେ ଭାଗିଦାରୀ କରିବାକୁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଦଳିତ ଓ ଆଦିବାସୀମାନଙ୍କୁ ତାହା ମିଳିନଥିଲା । ଜୟପାଲ ସିଂ ମୁଣ୍ଡା ଆଦିବାସୀଙ୍କ ନିମନ୍ତେ ଓ ଡଃ ରାମ ମନୋହର ଲୋହିଆ ଅନଗ୍ରସର ବର୍ଗଙ୍କ ପାଇଁ ମଧ୍ୟ ସଂଗ୍ରାମ କରିଛନ୍ତି । ନିଜର ଇଚ୍ଛା ବିରୁଦ୍ଧରେ ଡଃ ଆମ୍ବେଦକର ନିର୍ଯ୍ୟାତନାର ତାଡ଼ନା ଓ ଗାନ୍ଧିଜୀଙ୍କ ଜୀବନ ରକ୍ଷା ପାଇଁ ପୁନାଚୁକ୍ତି ସ୍ୱାକ୍ଷର କରିବା ପାଇଁ ବାଧ୍ୟ ହୋଇଥିଲେ । ସେ ଦଳିତ, ଆଦିବାସୀମାନଙ୍କ ପାଇଁ ସମାନ ମାନବିକ ଅଧିକାର ଚାହୁଁଥିଲେ । ଡଃ ଆମ୍ବେଦକର ଚାହୁଁଥିଲେ ଜାତିପ୍ରଥାର ବିଲୋପ, ଯାହାଦ୍ୱାରା ଅସ୍ପୃଶ୍ୟତାର ବିଲୋପ ହୋଇଥାନ୍ତା । ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ଆଜି ଏହି ଅସ୍ପୃଶ୍ୟତା ବ୍ୟାଧି ଭଲ ହୋଇପାରିନି । ଏହି ବ୍ୟାଧି ପାଇଁ ଆମକୁ ସଂରକ୍ଷଣ ଔଷଧ ଦିଆଯାଇଥିଲା । ଏଣୁ ରୋଗ ଭଲ ନହେବା ଯାଏଁ ଏହି ସଂରକ୍ଷଣ ଔଷଧ ଚାଲୁ ରହିବ । ଏହାକୁ କେହି କାଟିପାରିବେ ନାହିଁ । କିନ୍ତୁ ମନୁବାଦୀମାନଙ୍କ ଆନ୍ତରିକତାର ଅଭାବ ଓ ଚକ୍ରାନ୍ତ ଫଳରେ ଏହାର ଆଂଶିକ ସଫଳତା ମିଳିଛି । ବାସ୍ତବରେ ଏସ୍.ସି., ଏସ୍.ଟି.ମାନଙ୍କ ସଂଖ୍ୟା ୪୫ ଭାଗ ହୋଇଥିଲେ ମଧ୍ୟ ଆମକୁ ପ୍ରାୟତଃ ୫ ଭାଗ ସଂରକ୍ଷଣ ମିଳିଛି । ସଂରକ୍ଷଣର ସିଂହଭାଗ ସବର୍ଣ୍ଣମାନଙ୍କ ଦ୍ୱାରା ଚୋରି ହୋଇଯାଇଛି । ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ସଂରକ୍ଷଣ ରଖିବା ପାଇଁ ବାରମ୍ବାର ଜୋର୍ ଦେଉଥିଲେ ମଧ୍ୟ ମନୁବାଦୀମାନେ ସଂରକ୍ଷଣ ଉଠାଇବା ନେଇ ସକ୍ରିୟ ହୋଇ ପଡ଼ିଛନ୍ତି । ତେଣୁ ଆମେ ଏହାର ଦୃଢ଼ ବିରୋଧ କରି ସଂରକ୍ଷଣକୁ ସଠିକ୍ ଲୋକଙ୍କୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯାଉ । ଏଥି ସହିତ ସଂଲଗ୍ନ ଥିବା ଦାବିଗୁଡ଼ିକ କାର୍ଯ୍ୟକାରୀ କରାଯାଉ । ଅନ୍ୟଥା ଆମେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟହେବୁ ।
ଏହି ଆଲୋଚନାଚକ୍ରରେ ଇଂ ଶ୍ରୀଯୁକ୍ତ ଅଲେଖ ମଲ୍ଲିକ ସଭାପତିତ୍ୱ କରିଥିଲେ । ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ନେତା ଶ୍ରୀଯୁକ୍ତ ଭଜମନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଫେସର ଡଃ ବସନ୍ତ କୁମାର ମଲ୍ଲିକ, ବାଣୀବିହାର ଇତିହାସ ବିଭାଗର ମୁଖ୍ୟ ଏହି ସଭାରେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ଓ ଶ୍ରୀ ଲକ୍ଷ୍ମଣ ମଲ୍ଲିକ ସଭା ପରିଚାଳନା କରିଥିଲେ । ଏତଦ୍ ବ୍ୟତୀତ ସାମାଜିକ କର୍ମୀ ମାନସ ଜେନା ବିଶିଷ୍ଟ ବକ୍ତା, ଶ୍ରୀଯୁକ୍ତ ବନ୍ଧୁ ସେଠୀ, ବିଦ୍ୟାଧର ଦେହୁରୀ, ସାମ୍ବାଦିକ ବୈଷ୍ଣବ ଚରଣ ଜେନା, ପ୍ରଫେସର ରମେଶ ଚନ୍ଦ୍ର ମଲ୍ଳିକ, ପ୍ରଫେସର ସୁରେଶ ଚନ୍ଦ୍ର ମଲ୍ଲିକ, ଲକ୍ଷ୍ମୀଧର ବେହେରା, ଆକୁଳି ଚରଣ ସେଠୀ ଓ ସୁନାକର ବେହେରା ଇତ୍ୟାଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *