Wednesday , October 4 2023
Breaking News
Home / କୃଷି / ରଂଗୀନ ମାଛଚାଷ ମାଧ୍ୟମରେ ମହିଳାଙ୍କର ଅର୍ଥନୈତିକ ସଶକ୍ତିକରଣ ସମ୍ବନ୍ଧୀୟ ପ୍ରଶିକ୍ଷଣ

ରଂଗୀନ ମାଛଚାଷ ମାଧ୍ୟମରେ ମହିଳାଙ୍କର ଅର୍ଥନୈତିକ ସଶକ୍ତିକରଣ ସମ୍ବନ୍ଧୀୟ ପ୍ରଶିକ୍ଷଣ

ଭୁବନେଶ୍ୱର,୨୫/୦୯/୨୦୨୧(ଓଡ଼ିଶା ସମାଚାର)-କୌଶଲ୍ୟାଗଂଗସ୍ଥିତ ଆଇସିଏଆର୍-ସିଫା ଠାରେ ଥିବାଖୋର୍ଦ୍ଧା କୃଷିବିଜ୍ଞାନ କେନ୍ଦ୍ରରେ ରଂଗୀନ ମାଛଚାଷ ମାଧ୍ୟମରେ ‘ମହିଳାଙ୍କର ଅର୍ଥନୈତିକ ସଶକ୍ତିକରଣ’ ଶୀର୍ଷକ ତିନିଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ସଂପ୍ରସାରଣ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଉଥିବା ଏହି ପ୍ରଶିକ୍ଷଣ ୨୩ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨୫ ସେପ୍ଟେମ୍ବରରେ ଉଦଯାପିତ ହୋଇଯାଇଛି ।ଏହି ଉଦଯାପନୀ ସଭାରେ ସିଫାର ନିର୍ଦ୍ଧେଶକ ଡଃ ସରୋଜ କୁମାର ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ । ନିଜର ଅଭିବ୍ୟକ୍ତିରେ ଡଃ ସ୍ୱାଇଁ କହିଥିଲେ ଯେ ସଂପ୍ରତି ରଂଗୀନ ମାଛଚାଷ କୃଷି ବ୍ୟବସାୟରେ ପରିଣତ ହୋଇଛି ଓ ଏହା ସହସ୍ରାଧିକ ଚାଷୀମାନଙ୍କ ଏକ ବିକଳ୍ପ ରୋଜଗାରର ମାଧ୍ୟମ ହୋଇଛି ।ଜୀବିକା ନିର୍ବାହ ଓ ସଶକ୍ତିକରଣରେ ଏହା ବେଶ୍ ସହାୟକ ହେଉଛି ।ରଂଗୀନ ମାଛଚାଷ ସଉକ ମାଛ ଚାଷରୁ ପରିବର୍ତନ ହୋଇ ଆର୍ଥିକ ବିକାଶର ମାଧ୍ୟମ ପାଲଟିଲାଣି ।ରଂଗୀନ ମାଛ ପାଳନ, ଆକ୍ୱାରିୟମ୍ ନିର୍ମାଣ ଓ ଏହାର ଡିଜାଇନ୍, ଆକ୍ୱାଟିକ୍ ପ୍ଲାଂଟଚାଷ, ଜୀବନ୍ତ ଖାଦ୍ୟଚାଷ ଇତ୍ୟାଦି କ୍ଷେତ୍ରରେ ଏହାର ପରିସର ବୃଦ୍ଧି ପାଇ ଆର୍ଥିକ ସଶକ୍ତିକରଣରେ ବେଶ୍ ସହାୟକ ହେଉଛିବୋଲି ଡଃ ସ୍ୱାଇଁ କହିବାସହ ଭବିଷ୍ୟତରେ ସିଫା ସନ୍ନିକଟ ୨ଟି ବ୍ଲକରେ ‘ରଂଗୀନ ମାଛଗାଁ’ ପ୍ରତିଷ୍ଠା କରାଯିବ ବୋଲି ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଏସଏମଏସ୍ ଶ୍ରୀ ଅଜୟ କୁମାର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ଏହି ଟ୍ରେନିଂର ଅଂଶଗ୍ରହଣକାରୀ ମାନଙ୍କୁ ରଂଗୀନ ଜଳଜୀବ ପାଳନ ଏବଂ ଏଥିରେ ଉଦ୍ୟୋଗ ପ୍ରତିଷ୍ଠା, ପାଣିର ଗୁଣାତ୍ମକମାନ ପରିଚାଳନା, ରଂଗୀନ ମାଛଚାଷ ଓ ପ୍ରଜନନ, ଅଣ୍ଡା ପ୍ରଦାନକାରୀ ମାଛ ମାନଙ୍କର ପ୍ରଜନନ ଏବଂ ଖାଦ୍ୟ ପ୍ରସ୍ତୁତି ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।ସିଫାର ବୈଜ୍ଞାନିକ ଡଃ ସୁନୀଲ ଅଇଲ ଆକ୍ୱାରିୟମ୍ ନିର୍ମାଣ ଶୈଳୀ ଉପରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅଂଶଗ୍ରହଣକାରୀ ମାନେ ସିଫାର ରଂଗୀନ ମାଛଚାଷ ଏକକ ଏବଂ ଓଡ଼ିଶା ସରକାରଙ୍କ ରଂଗୀନ ମାଛଚାଷ କେନ୍ଦ୍ରକୁ କ୍ଷେତ୍ରୀୟ ଜ୍ଞାନ ଆହରଣ ପାଇଁ ଯାଇଥିଲେ । ପ୍ରକାଶଥାଉକି ବାଲିଅନ୍ତା ଓ ଭୁବନେଶ୍ୱର ବ୍ଲକ୍ର କୃଷିମିତ୍ର, ପ୍ରାଣୀମିତ୍ର ଆଦି ୧୫ ଜଣ ସଂପ୍ରସାରଣ କର୍ମଚାରୀ ଏହି ପ୍ରଶିକ୍ଷଣ ନେଇଥିଲେ । କୋଭିଡ ଗାଇଡ୍ ଲାଇନ୍ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ କୃଷିବିଜ୍ଞାନ କେନ୍ଦ୍ରମୁଖ୍ୟ ଡଃ ଏସ୍. ଏସ୍. ଗିରିଙ୍କ ତତ୍ୱାବଧାନରେ ଏବଂ ସୁକାନ୍ତିବେହେରା, ଡଃ ହରପ୍ରିୟା ନାୟକ ଓ ପ୍ରଜ୍ଞାନ ରଂଜନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *