କଟକ, ୨୪/୦୯/୨୦୨୧(ଓଡ଼ିଶା ସମାଚାର)- ମୁଣ୍ଡଳି ନିକଟରେ ମହାନଦୀରେ ଫସିଥିବା ହାତୀ ଉଦ୍ଧାର ବେଳେ ବଡ ଅଘଟଣ ଘଟିଛି। ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମ ର ବୋଟ ଟି ଓଲଟିପଡ଼ିଲା । ବୋଟରେ ଉଦ୍ଧାରକାରୀ ଦଳ ସହ ଓଟିଭି ଟିମ୍ ରହିଥିଲା । ସେମାନଙ୍କ ମଧ୍ୟରେ ଓଟିଭିର ୨ଜଣ ପ୍ରତିନିଧି ଥିଲେ । ଓଡ୍ରାଫ ଟିମ ର ବୋଟ ଟି ଓଲଟିପଡ଼ିବା ଫଳରେ ଓଟିଭିର ଯୁବସାମ୍ବାଦିକ ଅରିନ୍ଦମ ଦାସଙ୍କର ଅକାଳ ବିୟୋଗ ଘଟିଛି।
ଫସିଥିବା ହାତୀ କୁ ଉଦ୍ଧାର କରିବା ପାଇଁ ବ୍ୟାରେଜ ଭିତରକୁ ଯାଇଥିଲା ଓଡ୍ରାଫର ୫ଜଣିଆ ଟିମର ପମ୍ପ ବୋଟ । ଏଥିରେ ଖବର ସଂଗ୍ରହ ଲାଗି ଯାଇଥିବା ଓଟିଭିର ବରିଷ୍ଠ ପ୍ରତିନିଧି ଅରିନ୍ଦମ ଦାସ ଏବଂ କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା ପାଣିରେ ପଡ଼ିଯାଇଥିଲେ । ଏଥିସହ ଜଣେ ଓଡ୍ରାଫ୍ କର୍ମଚାରୀ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ଏହାପରେ ତୁରନ୍ତ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଥିଲା ଏବଂ ସାମ୍ବାଦିକ ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ସିହ୍ନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସଙ୍ଗେସଙ୍ଗେ ଦୁଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଅରିନ୍ଦମଙ୍କର ମୃତ୍ୟୁ ହୋଇଥିଲା। ପ୍ରଭାତ ସିହ୍ନାଙ୍କ ଅବସ୍ଥା ଗୁରୁତର ରହିଥବା ବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ସମ୍ପର୍କରେ କଟକ ବଡ଼ ମେଡିକାଲର ଜରୁରୀକାଳୀନ ଅଧିକାରୀ ଡ.ଭୁବନାନନ୍ଦ ମହାରଣା ସ୍ପଷ୍ଟ କରିଛନ୍ତି। ଓଟିଭି ରିପୋର୍ଟର ଅରିନ୍ଦମ୍ ଦାସଙ୍କ ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାର ହୋଇଥିବା ଅନ୍ୟ ୪ଜଣ କର୍ମଚାରୀ ଏବେ ଚିକିତ୍ସାଧିନ ଅଛନ୍ତି । ଏବେବି ଓଡ୍ରାଫ୍ ଟିମ୍ର ଅନ୍ୟ ଜଣେ କର୍ମଚାରୀ ନିଖୋଜ ଅଛନ୍ତି ।ଏହି ଘଟଣା ରାଜ୍ୟର ଗଣମାଧ୍ୟମ ପରିସରରେ ଶୋକର ଛାୟା ଖେଳାଇ ଦେଇଛି। ଓଡ଼ିଶା ସମାଚାର