କେନ୍ଦ୍ରାପଡ଼ା, ୨୪/୦୯/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସହର ନିକଟସ୍ଥ ଜଜାଙ୍ଗ ଠାରେ ବିଜୁବାବୁଙ୍କର ଘନିଷ୍ଠ ସହଯୋଗୀ ଅଜୟ ଦାଶଙ୍କ ଆବର୍ତମାନରେ ଅନୁଷ୍ଠିତ ଏକ ଶୋକ ସଭାରେ ଯୋଗ ଦେଇ ବିଜୁବାବୁଙ୍କ କର୍ମସ୍ଥଳୀ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀର ବହୁ ପ୍ରମୁଖ ନେତୃବୃନ୍ଦ ଅଜୟ ଦାଶଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସ୍ମୃତି ସଭାରେ ନିଜର ବକ୍ତବ୍ୟ ପ୍ରଦାନ କରି ବିଜୁବାବୁଙ୍କ ସହ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଥିବା ଓ ତାଙ୍କର ରାଜନୈତିକ ଜୀବନରେ ତାଙ୍କୁ ବ୍ୟାପକ ସମର୍ଥନ କରିଥିବା ବିଜୁବାବୁଙ୍କ ରାଜନୈତିକ ପରିବାରର ସଦସ୍ୟମାନେ ବର୍ତମାନ ବିଜୁ ଜନତା ଦଳ ଶାସନରେ ଯେପରି ଭାବେ ଅବହେଳିତ ହେଉଛନ୍ତି ସେ ସଂପର୍କରେ ବ୍ୟାପକ ଆଲୋଚନା କରିଥିଲେ । ସଭାର ଆଲୋଚନକୁ ଉପରିସ୍ଥ ବିଜୁ ପରିବାରର ବହୁ ସଦସ୍ୟ ସମର୍ଥନ କରିଥିଲେ । ଏହି ସଭାରେ ବିଜୁ ପରିବାରର ପୁରାତନ ସଦସ୍ୟ ତଥା ଶିକ୍ଷକ ନେତା ଭଜକୃଷ୍ଣ ରାଉତ ଅଧ୍ୟକ୍ଷତା କରିଥିଲେ । ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ, କିଶୋର ଚନ୍ଦ୍ର ତରାଇ, ପୂର୍ବତନ ନଗରପାଳ ବିଜୟକୃଷ୍ଣ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରବିନ୍ଦ୍ର ନାଥ ପଣ୍ଡା, ସମିତି ସଭ୍ୟ ତ୍ରିଲୋଚନ ଦାସ, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, ବରିଷ୍ଠ ନେତା ରବି ସାମଲ, ଯୁବନେତା ଅମ୍ବିକା ପରିଡା, ମହାକାଳପଡାର ପୂର୍ବତନ ସରପଂଚ ତଥା ଯୁବନେତା ମାନସ ଦାସ, କପାଳେଶ୍ୱର ସରପଂଚ ପ୍ରମୁଖ ବହୁ ବିଜୁ ପରିବାରର ସଦସ୍ୟମାନେ ବର୍ତମାନର ଶାସନରେ ବିଜୁ ପରିବାରର ସମର୍ଥକ ଓ ସଦସ୍ୟମାନେ ଯେପରି ଭାବେ ଅବହେଳିତ ହେଉଛନ୍ତି ସେ ସଂପର୍କରେ ଆଲୋଚନା କରିବା ସେଙ୍ଗ ସେଙ୍ଗ ଜିଲ୍ଲାର ସର୍ବାଙ୍ଗିନ ଉନ୍ନତି ନିମନ୍ତେ ଆଗାମୀ ଦିନରେ ଏକ ସମ୍ମିଳନୀ କରାଯିବା ନିମନ୍ତେ ଉଦ୍ୟମ କରାଯିବ ବୋଲି କହିଛନ୍ତି । ଓଡ଼ିଶା ସମାଚାର