Tuesday , June 6 2023
Breaking News
Home / ବିଶେଷ / ଆନ୍ତର୍ଜାତୀୟ ଶାନ୍ତି ପୁରସ୍କାର ପାଇଲେ ସାମାଜିକ କର୍ମୀ ଅଖଣ୍ଡ

ଆନ୍ତର୍ଜାତୀୟ ଶାନ୍ତି ପୁରସ୍କାର ପାଇଲେ ସାମାଜିକ କର୍ମୀ ଅଖଣ୍ଡ

ଭୁବନେଶ୍ୱର,୨୪/୦୯/୨୦୨୧(ଓଡ଼ିଶା ସମାଚାର)- ଆନ୍ତର୍ଜାତୀୟ ପବ୍ଲିକ ପିସ୍ ପ୍ରାଇଜ୍ ବିଜେତା ହୋଇଛନ୍ତି  ଓଡିଶାର ଜଣାଶୁଣା ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ । ଆନ୍ତର୍ଜାତୀୟ ଶାନ୍ତି ଦିବସ ଅବସରରେ ଗତ ୨୧ ତାରିଖରେ କାନାଡାର ପବ୍ଲିକ୍ ପିସ୍ ପ୍ରାଇଜ୍ କମିଟି ବିଜେତାଙ୍କ ନାମ ଘୋଷଣା କରିଛି । ୨୦୨୦-୨୧ ବର୍ଷ ପାଇଁ ସାରା ଭାରତରୁ ତିନିଜଣଙ୍କୁ ଏହି ପୁରସ୍କାର ମିଳିଥିବା ବେଳେ ଏଥିରେ ଅଖଣ୍ଡଙ୍କ ନାମ ରହିଛି । ଶାନ୍ତି ଓ ନ୍ୟାୟ ପାଇଁ କାମ କରୁଥିବା ବ୍ୟକ୍ତି ଓ ସଂଗଠନମାନଙ୍କୁ ଏହି ପୁରସ୍କାର ଦିଆଯାଇଥାଏ । ଅଖଣ୍ଡ ମାନବିକ ଅଧିକାରର ସୁରକ୍ଷା ଓ ପ୍ରଚାର ପ୍ରସାର କାର୍ୟ୍ୟରେ ଗତ ଦଶନ୍ଧି ହେଲା ସକ୍ରିୟ ଭାବେ କାମ କରୁଛନ୍ତି । ସେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ମାନବିକ ଅଧିକାର ଉଲଂଘନ ପ୍ରସଙ୍ଗଗୁଡିକ ରାଜ୍ୟ ଓ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ଉପସ୍ଥାପନ କରି ଲୋକମାନଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା କରିଆସୁଛନ୍ତି ।  ମାନବିକ ଅଧିକାରର ଉଲ୍ଲଂଘନ ମାମଲାରେ ପୀଡିତ କିମ୍ବା ସେମାନଙ୍କ ପରିବାର ବର୍ଗଙ୍କୁ ମାଗଣା ଆଇନଗତ ସହାୟତା ପ୍ରଦାନ କରିଆସୁଛନ୍ତି । ସେ ପୀଡିତ କିମ୍ବା ସେମାନଙ୍କ ପରିବାର ପକ୍ଷରୁ ଜାତୀୟ ମାନବ ଅଧିକାର ଆୟୋଗ (NHRC) ଏବଂ ରାଜ୍ୟ ମାନବ ଅଧିକାର ଆୟୋଗ (SHRC) ନିକଟରେ ପିଟିସନ୍ ଫାଇଲ୍ କରନ୍ତି । ସେ ବ୍ୟକ୍ତିଗତ ପୀଡିତା କିମ୍ବା ଜନସାଧାରଣଙ୍କ ପାଇଁ ଘଐଜଉ କିମ୍ବା ଝଐଜଉ ନିକଟରେ ୧୦୦୦ ରୁ ଅଧିକ ମାମଲା ଦାୟର କରିଛନ୍ତି। ଏକ ବିଜ୍ଞପ୍ତି ଅନୁଯାୟୀ ଅଖଣ୍ଡଙ୍କ ହସ୍ତକ୍ଷେପ ଦ୍ୱାରା ୧୦,୦୦୦ ରୁ ଅଧିକ ଲୋକ ସିଧାସଳଖ ଉପକୃତ ହୋଇଛନ୍ତି। ସେ ନୂଆ ଯୁବକମାନଙ୍କୁ ମାନବିକ ଅଧିକାର ତାଲିମ ଦେବା ସହ ମାନବିକ ଅଧିକାର ସଂସ୍କୃତିର ପ୍ରସାର କାର୍ୟ୍ୟ କରୁଛନ୍ତି ।

ଏହି ବର୍ଷ ମହାମାରୀର ଅନିଶ୍ଚିତତା ସତ୍ତ୍ୱେ ଏହି ଶାନ୍ତି ପୁରସ୍କାର ପାଇଁ ନଅ ଜଣଙ୍କ ନାମାଙ୍କନପତ୍ର ଫାଇନାଲିଷ୍ଟ ଭାବେ ଯୋଗ୍ୟତା ହାସଲ କରିଥିଲା । ଏଥିମଧ୍ୟରେ କାନାଡା, କଲମ୍ବିଆ, ଭାରତ, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (DRC) ଏବଂ ପାକିସ୍ଥାନ ସମେତ ପାଞ୍ଚଟି ଦେଶର ବ୍ୟକ୍ତିତ୍ୱ ଓ ସଂଗଠନମାନେ ଥିଲେ । ଏହି ଆନ୍ତର୍ଜାତୀୟ ପୁରସ୍କାର ପାଇବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି । ଏଠାରେ ପ୍ରକାଶଯୋଗ୍ୟ ଯେ ଏହାପୂର୍ବରୁ ସେ ମାନବିକ ଅଧିକାର ପ୍ରସଙ୍ଗରେ ଆମେରିକା, ଆର୍ମେନିଆ ଯାତ୍ରା କରିବା ସହିତ ସ୍ୱିଜରଲାଣ୍ଡ ସ୍ଥିତ ଜାତିସଂଘ ମାନବିକ ଅଧିକାର ପରିଷଦରେ ମଧ୍ୟ ଭାଗ ନେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.