Tuesday , June 6 2023
Breaking News
Home / ବିଶେଷ / ଭୁବନର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା

ଭୁବନର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା

ପୂର୍ତମନ୍ତ୍ରୀ ଙ୍କ ଏରିଆରେ ରାସ୍ତାରେ ଗାଡିଆ ,ପିଡବ୍ଲ୍ୟୁଡି କୁ ହସ୍ତାନ୍ତର କରୁନି ଏନଏଚଏଆଇ
ଭୁବନ ୨୩/୦୯/୨୦୨୧(ଓଡ଼ିଶା ସମାଚାର)-ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର କାଳୀବଜାର ମୁଖ୍ୟରାସ୍ତାରେ ଗାଡିଆ ସୃଷ୍ଟି ହୋଇଛି । ୫୩ ନମ୍ବର ଜାତୀୟ ରାଜପଥରେ ଏବେ ୪ ଥାକିଆ ରାସ୍ତାକାମ ଓ ବାଇପାସ ନିର୍ମାଣ ଚାଲିଥିବା ବେଳେ ସହର ମଧ୍ୟଦେଇ ଯାଇଥିବା ରାସ୍ତାଟି ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଖାଲଖମାରେ ପରିଣତ ହୋଇ ମରଣଯନ୍ତା ପାଲଟିଛି । ଗୋଦରା କୋଡେ ଯେତେ ମାଡେ ସେତେ ନ୍ୟାୟରେ ସେପଟେ ୪ ଟିିକିଆ ରାସ୍ତା କାମ ଯେତେ ଅଗ୍ରଗତି ହେଉଛି ଏପଟେ ପୁରୁଣା ରାସ୍ତା ଭାଙ୍ଗିରୁଜି ନଷ୍ଟହୋଇ ଆଣ୍ଠୁଏ ଲେଖାଏଁ ଖାଲ ସୃଷ୍ଟି ହେଉଛି । ଦୈନିକ ଶତାଧିକ ଭାରିଯାନ ଚାଲିବା ଫଳରେ ରାସ୍ତା ଅତ୍ୟନ୍ତ ଖରାପ ହେଉଛି । ଭୁବନ ସହର ର ପ୍ରବେଶ ପଥ ବାଇପାସ ଛକ(ନୀଳମାଧବ ପେଟ୍ରୋଲ ପମ୍ପ )ଠାରୁ ଦୁର୍ଗାବଜାର, କାଳୀବଜାର ,ନୂଆଭୁବନ ଦେଇ କୋର୍ଟ ଛକ ପର୍ଯ୍ୟନ୍ତ ୩ କିମି ରାସ୍ତାରେ ହଜାରେ ରୁ ଉଦ୍ଧ୍ୱର୍ ଖାଲ ସୃଷ୍ଟି ହୋଇଛି । ବର୍ଷା ହେବା ଫଳରେ ଖାଲରେ ପାଣି ଜମି କୃତ୍ରିମ ଗାଡିଆ ସୃଷ୍ଟି ହୋଇଛି ଓ ପ୍ରତିଦିନ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟୁଛି । ବାଇକ ଆରୋହୀ ମାନେ କେତେବେଳେ ଖାଲରେ ପଡୁଛନ୍ତି ତ କେତେବେଳେ କାଦୁଅପାଣି ଛିଟିକାରେ ଗାଧୋଇ ପଡୁଛନ୍ତି । ବାଇପାସ ରାସ୍ତା ନିର୍ମାଣ ପରେ ଏବେ ଅନେକ ଗାଡି ବାଇପାସ ଦେଇ ଯିବା ଆସିବା କରୁଛି ,ସେଥିପାଇଁ ଠିକାକାମ କରୁଥିବା ସଂସ୍ଥା ଏହି ରାସ୍ତା ପ୍ରତି ଆଦୌ ଦୃଷ୍ଟି ଦେଉନାହିଁ । ଖୋଦ ରାଜ୍ୟ ପୂର୍ତ ବିଭାଗ ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ଏରିଆରେ ଏଭଳି ଅବସ୍ଥା । ଏନଏଚ ବିଭାଗ ଏହି ରାସ୍ତାଟିକୁ ପିଡବ୍ଲ୍ୟୁଡି ବିଭାଗକୁ ହସ୍ତାନ୍ତର କରିବ କରିବ ବୋଲି ୩ ବର୍ଷ ହେଲା ଶୁଣାଯାଉଛି । ପିଡବ୍ଲ୍ୟୁଡି କୁ ହସ୍ତାନ୍ତର କରାଗଲେ ପୂର୍ତ ବିଭାଗ ଏହି ରାସ୍ତା ନିର୍ମାଣ କରିବ । ହେଲେ ସେତିକି ମଧ୍ୟ ବିଭାଗୀୟ ମନ୍ତ୍ରୀଙ୍କ ଦ୍ୱାରା ସମ୍ଭବ ହୋଇପାରୁନାହିଁ । ଅତିତରେ ଏହି ରାସ୍ତାକୁ ନେଇ ଅନେକ ଆନ୍ଦୋଳନ ହୋଇଛି । ଆନ୍ଦୋଳନ ପରେ ବିଭାଗ ତରଫରୁ କେବଳ ଯାହିତାହି ମରାମତି କରି କାମ ସାରିଦେଉଥିବାରୁ ନିର୍ମାଣର କିଛିଦିନ ପରେ ରାସ୍ତା ଅବସ୍ଥା ପୁଣି ଯଥାପୂର୍ବଂ ତଥା ପରମ ହୋଇଯାଉଛି । ତେଣୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଦଶହରା ପୂର୍ବରୁ ଯଥାଶୀଘ୍ର ରାସ୍ତା ନିର୍ମାଣ/ମରାମତି କରିବାକୁ ଦାବି ହୋଇଛି ଅନ୍ୟଥା ରାସ୍ତାରୋକ ଆନ୍ଦୋଳନ କରିବାକୁ ଚେତାବନି ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.