Wednesday , December 8 2021
Home / ବିଶେଷ /   ଅସୁରଖୋଳା ଓ ସୁକ୍ ପାଇକା ର ସ୍ଥିତି ଅନୁଧ୍ୟାନ କଲେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ   

  ଅସୁରଖୋଳା ଓ ସୁକ୍ ପାଇକା ର ସ୍ଥିତି ଅନୁଧ୍ୟାନ କଲେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ   

 ଗରଦପୁର, ୨୩/୦୯/୨୦୨୧(ଓଡ଼ିଶା ସମାଚାର)- ଅସୁରଖୋଳା ନାମକ ଏକ ପ୍ରାକୃତିକ ଜଳ ଉତ୍ସ  କଟକ ଜିଲା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍ ମଣିଜଙ୍ଗ ପଂଚାୟତର ଧାରିବିଲ ଠାରୁ ବାହାରି କେନ୍ଦ୍ରାପଡ଼ା ଜିଲା ତେଣ୍ଡାକୁଡ଼ା ପଂଚାୟତ ଦେଇ ଦୀର୍ଘ ୬୦ କିମି ଅତିକ୍ରମ କରିବା  ପରେ ମହାକାଳପଡ଼ା ବ୍ଲକ୍ ର ଟିକରପଙ୍ଗା ଠାରେ ସମୁଦ୍ରରେ ମିଶିଛି । ତେବେ ବର୍ତମାନ ଏହାର କିଛି ଅଂଶ ପୋତି ହୋଇଯାଇଥିବାବେଳେ ଅଳ୍ପ କିଛି ଅଂଶ ମଧ୍ୟ ଜବର ଦଖଲ ରେ ରହିଛି । ଜୟତଳଙ୍ଗ ଠାରେ ସୁକ୍ ପାଇକା ନଦୀରୁ ଅସୁରଖୋଳା ନିର୍ମାଣ କରାଯାଇଥିବା  ସ୍ଲୁଇସ ଗେଟ୍ ଟି ଅତ୍ୟନ୍ତ ଛୋଟ (୧୦ କ୍ୟୁସେକ) ହୋଇଥିବାରୁ ଏହା କେବଳ ସୁକ୍ ପାଇକା ନଦୀ ରୁ ପ୍ରାକୃତିକ ଜଳ ଉତ୍ସ  ଅସୁରଖୋଳା ମଧ୍ୟକୁ କିଛି ପରିମାଣର ଉଦବୃତ ଜଳ ନିସ୍କାସନ କରିପାରୁଛି । ହେଲେ  ଅସୁରଖୋଳା ରେ ସ୍ରୋତ ପଡ଼ୁନବାରୁ ଏହା ସମୟକ୍ରମେ ପଙ୍କ ଓ କଟିକି ଦଳପୂର୍ଣ୍ଣ ହୋଇଯାଇଛି ।

      ଜୟତଳଙ୍ଗ ସ୍ଲୁଇସ ଗେଟ୍

ଏହାର ପାଣି ବିଷାକ୍ତ ହେବା ସହିତ ଏଥିରେ ମଶାବଂଶ ବୃଦ୍ଧି , ଜଳକୀଟ ଓ ଜଳଜନ୍ତୁଙ୍କ ଘର ପାଲଟି ଯାଇଛି । ପୂର୍ବକାଳରେ ଯେତେବେଳେ ଗାଁ ଗଣ୍ଡାରେ କୂଅ, ପୋଖରୀ ନଥିଲା ଏହି ଅସୁରଖୋଳା ଜଳକୁ ଅଂଚଳର ଲୋକମାନେ ପାନୀୟ ଠାରୁ ଆରମ୍ଭ କରି କୃଷି କାର୍ଯ୍ୟରେ ଲଗାଉଥିଲେ । ଜୟତଳଙ୍ଗ ଠାରେ ସୁକ୍ ପାଇକା ନଦୀ ରୁ ଅସୁରଖୋଳା ମଧ୍ୟକୁ ଉଦବୃତ ଜଳ ନିସ୍କାସନ ପାଇଁ  ନିର୍ମାଣ କରାଯାଇଥିବା ସ୍ଲୁଇସ ଗେଟ ଟି ଛୋଟ ହୋଇଥିବାରୁ ଉପରମୁଣ୍ଡ ଧାରିବିଲ ଠାରେ ଆଉ ଏକ ବଡ଼ (୫୦ କ୍ୟୁସକ୍ )ସ୍ଲୁଇସ ଗେଟ ନିର୍ମାଣ ଆବଶ୍ୟକତା ଦେଖାଦେଇଛି । ବର୍ତମାନ ସମୟରେ ବିଭିନ୍ନ କାରଣରୁ ମହାନଦୀରେ ଆଉ ପାଣି ଆସୁନାହିଁ ।

ଅସୁରଖୋଳା

ବର୍ଷାଦିନେ ତ ଶୁଖିଲା ପଡ଼ୁଛି , ଖରାଦିନେ ଏହି ଅଂଚଳରେ ଜଳ ସମସ୍ୟା ଆଗକୁ ଜଳ ଜଳ ଦିଶୁଛି । ଅଂଚଳରେ ପ୍ରବାହିତ ଦୁଇଟି ଜଳ ଉତ୍ସକୁ ପୁନରୁଦ୍ଧାର କରାନଗଲେ ମହାନଦୀ – ଚିତ୍ରୋତ୍ପଳା  ଦ୍ୱୀପାଂଚଳର ଲୋକମାନେ ନିକଟ ଭବିଷ୍ୟତରେ ଜଳ ସଙ୍କଟର ସମ୍ମୁଖୀନ ହେବା ଏବେ ଠାରୁ ଅନୁଭୂତ ହେଲାଣି ।  ଏହାକୁ ଆଖି ଆଗରେ ରଖି ସ୍ଥାନୀୟ ଅଂଚଳର କିଛି ଉଦୀୟମାନ ଯୁବକ , ଲୋକ ପ୍ରତିନିଧି ଓ ବୁଦ୍ଧିଜିବୀ ଏହି ପ୍ରାକୃତିକ ଜଳ ଉତ୍ସ ଅସୁରଖୋଳା ର ପୁନରୁଦ୍ଧାର ପାଇଁ “ଅସୁରଖୋଳା ପୁନରୁଦ୍ଧାର ଓ ବିକାଶ ମଂଚ” ନାମରେ ଏକ ସଂଗଠନ ଗଢ଼ି ଏହାର ପୁନରୁଦ୍ଧାର ପାଇଁ ଆଗଭର ହୋଇଛନ୍ତି ।

ଶୁକ୍ ପାଇକା

ସେହିପରି ମହାନଦୀ ର ଏକ ଶାଖା ନଦୀ ସୁକ୍ ପାଇକା । ଏହା କଟକ ଜିଲାର ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ପାଳଦା ପଂଚାୟତର ସାହୁକ୍ଷେତ / ବାବୁଜଙ୍ଗ ଠାରୁ ବାହାରି ବାବୁଜଙ୍ଗ, ସଫିପୁର, ପିଁପୁର, ଉତରକୂଳ, ମୁଗୁରିଆ, ମେହେନ୍ଦିପୁର, ଧାରିବିଲ, ଓଡ଼ଖଣ୍ଡ, ଜୟତଳଙ୍ଗ ଆଦି ଗ୍ରାମରେ ପ୍ରବାହିତ ହୋଇ କେନ୍ଦ୍ରାପଡ଼ା ଜିଲା ର ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତର ସାନନୟନପୁର ଠାରେ ପୁଣି ମହାନଦୀରେ ମିଶିଛି । ଗତ ପ୍ରାୟ ଚାରିି ଦଶନ୍ଧି ପୂର୍ବେ ମହାନଦୀର ଉତରପାଶ୍ୱର୍ ନଦୀବନ୍ଧ ନିର୍ମାଣ ଓ ପରେ ଏହାର ସୁଦୃଢ଼ୀକରଣ କରାଯିବା ସମୟରେ ଏହାର ଉପରମୁଣ୍ଡ ସାହୁକ୍ଷେତ ଠାରେ ଥିବା ମୁହାଣକୁ ବନ୍ଦ କରିଦିଆଯିବା ଫଳରେ ମହାନଦୀର ଏହି ଶାଖା ନଦୀ ସୁକ୍ ପାଇକା ଟି ବସ୍ତୁତଃ ମୃତ ନଦୀ ହୋଇଯାଇଛି । ବର୍ଷ ସାରା ସୁଖିଲା ପଡ଼ିଥିବା ଏହି ମୃତପ୍ରାୟ ନଦୀଟି ବର୍ଷା ଦିନେ ଉଦବୃତ ବର୍ଷା ଜଳରେ ପୂର୍ଣ୍ଣଗର୍ଭା ହୋଇଉଠେ  । ତେଣୁ ଏହି ଉଦବୃତ ବର୍ଷା ଜଳ ନିସ୍କାସନ ପାଇଁ ସାନନୟନପୁର ଠାରେ ମହାନଦୀକୁ ଏକ ସ୍ଲୁଇସ ଗେଟ୍ ରହିଛି । ତେବେ ମହାନଦୀର ଜଳସ୍ତର ଊଦ୍ଧ୍ୱର୍ରେ ଥିବା ସମୟରେ  ସୁକ୍ ପାଇକାରୁ ଉଦବୃତ ଜଳ ନିସ୍କାସନ ରେ ସମସ୍ୟା ଦେଖାଦେବାରୁ ୨୦୦୭ ମସିହାରେ ସେତେବେଳର କିଶନନଗର ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମରେ ପାଳଦା ଘାଇ ପରିଦର୍ଶନରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟତଳଙ୍ଗ ଠାରେ ଏକ ସ୍ଲୁଇସ ଗେଟ ନିର୍ମାଣ ପାଇଁ ନିଦ୍ଧେଶ ଦେବା ପରେ ସୁକ୍ ପାଇକା ନଦୀରୁ ନିକଟରେ ଥିବା ଅସୁରଖୋଳା ନାମକ ପ୍ରାକୃତିକ ଜଳ ଉତ୍ସ କୁ ଉଦବୃତ ଜଳ ନିସ୍କାସନ ପାଇଁ ଏକ ସ୍ଲୁଇସ ଗେଟ୍ ନିର୍ମାଣ କରାଯାଇଛି , ହେଲେ ଏହା ଆବଶ୍ୟକତା ଠାରୁ ବହୁ ଛୋଟ ।

ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଙ୍କ ଅନୁଧ୍ୟାନ

“ଅସୁରଖୋଳା ପୁନରୁଦ୍ଧାର ଓ ବିକାଶ ମଂଚ” ସଂଗଠନ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଜଳ ସମ୍ପଦ ବିଭାଗ ମନ୍ତ୍ରୀ, ୫ ଟି ସଚିବ ,କେନ୍ଦ୍ରାପଡ଼ା ଓ କଟକ ଜିଲାପାଳ, ପାଟକୁରା , ମହାକାଳପଡ଼ା ଓ କଟକ ସଦର ବିଧାୟକ ଏବଂ କେନ୍ଦ୍ରାପଡ଼ା ସାଂସଦ ଓ ବିଭାଗୀୟ ଅଧିକାରୀ ମାନଙ୍କୁ  ଏ ସମ୍ପର୍କରେ ଲିଖିତ ନିବେଦନ ପତ୍ର ଦେବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।  ଅତିରିକ୍ତ ମୁଖ୍ୟଯନ୍ତ୍ରୀ  କଟକ ଜଳ ନିସ୍କାସନ ମଣ୍ଡଳ ଇଂ ସନ୍ତୋଷ କୁମାର ସ୍ୱାଇଁ , କଟକ ଜଳ ନିସ୍କାସନ ମଣ୍ଡଳ ର ନିର୍ବାହୀ ଯନ୍ତ୍ରୀ ଇଂ ମନୋଜ କୁମାର ବେହେରା, କଟକ ଜଳ ନିସ୍କାସନ ସବ ଡ଼ିଭିଜନ୍ ୨ ର ସହକାରୀ ଯନ୍ତ୍ରୀ ଇଂ ଉମେଶ ଚନ୍ଦ୍ର ଦାସ ଓ ଅତିରିକ୍ତ ମୁଖ୍ୟଯନ୍ତ୍ରୀ  ଙ୍କ ବ୍ୟକ୍ତିଗତ ସହାୟକ ଇଂ ପ୍ରଭାତ କୁମାର ମାଝୀ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ସାହୁକ୍ଷେତଠାରେ ସୁକ୍ ପାଇକା ନଦୀର ବନ୍ଦ ହୋଇଯାଇଥିବା ମୁହାଣସ୍ଥଳ, ବାବୁଜଙ୍ଗ, ଉତରକୂଳ, ଧାରିବିଲ, ଓଡ଼ଖଣ୍ଡ, ଜୟତଳଙ୍ଗ ଓ ଆଳିଜଙ୍ଗା କ୍ଷେତ୍ର ପରିଦର୍ଶନ କରି ପ୍ରକୃତ ସମସ୍ୟା ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିବା ସହିତ ଅସୁରଖୋଳା ଓ ସୁକ୍ ପାଇକା ନଦୀର ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଏହି ଅଧିକାରୀ ମାନଙ୍କ କ୍ଷେତ୍ର ପରିଦର୍ଶନ ସମୟରେ “ଅସୁରଖୋଳା ପୁନରୁଦ୍ଧାର ଓ ବିକାଶ ମଂଚ”ର ସଭାପତି ତଥା ସିଫା ର ଅବସରପ୍ରାପ୍ତ ବୈଜ୍ଞାନିକ ଡ଼ ଅମରେନ୍ଦ୍ରନାଥ ମହାନ୍ତି, ଆଡ଼ଭୋକେଟ ହୃଦୟନିଧି ମହାନ୍ତି, ଅଂଚଳର ଲୋକପ୍ରିୟ ଡ଼ାକ୍ତର ଅବଦ୍ୁଲ ହଲିମ, ଗଣମାଧ୍ୟମ ସଂଯୋଜକ ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ,ଆବାହକ ଲକ୍ଷ୍ମୀକାନ୍ତ ଦାଶ, ତେଣ୍ଡାକୁଡ଼ା ପଂଚାୟତର ପୂର୍ବତନ ସରପଂଚ ରବିନ୍ଦ୍ରନାଥ ମହାନ୍ତି ,କୈଳାଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଅଧିକାରୀମାନଙ୍କୁ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ଜଳସମ୍ପଦ ବିଭାଗର ଅଧିକାରୀମାନଙ୍କ କ୍ଷେତ୍ର ପରିଦର୍ଶନରୁ  ପ୍ରାକୃତିକ ଜଳ ଉତ୍ସ ଅସୁରଖୋଳାର ପୁନରୁଦ୍ଧାର ତଥା ମୃତପ୍ରାୟ ହୋଇଯାଇଥିବା ମହାନଦୀର ଶାଖାନଦୀ  ଶୁକ୍ ପାଇକା ପୁନର୍ଜିବୀତ ହେବା ର ଆଶା ସଂଚାରିତ ହୋଇଛି । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *