Wednesday , December 7 2022
Breaking News
Home / ବିଶେଷ / କୁଆଖିଆରୁ ଜବତ ଗୋ ମାଂସ ଧର୍ମଶାଳା ଥାନା ଅଂଚଳରେ ପୋତେଇ ଘଟଣା

କୁଆଖିଆରୁ ଜବତ ଗୋ ମାଂସ ଧର୍ମଶାଳା ଥାନା ଅଂଚଳରେ ପୋତେଇ ଘଟଣା

କୁଆଖିଆ ପୁଲିସର ଅପରିଣାମଦର୍ଶିତାକୁ ନାପସନ୍ଦ – ଗ୍ରାମବାସୀଙ୍କ ଅସନ୍ତୋଷ ପରେ ଧର୍ମଶାଳା ପୁଲିସ ମାଟି ଖୋଳି ପୁଣି ପୋତିଲା
ଧର୍ମଶାଳା, ୨୦/୦୯/୨୦୨୧(ଓଡ଼ିଶା ସମାଚାର)- କୁଆଖିଆ ପୁଲିସ ରବିବାର ଦିନ ୧୬ ନମ୍ବର ଜାତୀୟ ରାଜପଥର ବିଲିପଡା ନିକଟରୁ ବଜରଙ୍ଗ ଦଳ ସହାୟତାରେ ଏକ କଂଟେନର ବୋଝେଇ ୭୦ କ୍ୱିଂଟାଲ ଗୋ ମାଂସକୁ ଜବତ କରିବା ସହ ଚାଳକ ଓ ହେଲପରକୁ ଗିରଫ କରିଥିଲା । ମାତ୍ର ଏହି କଂଟେନରରୁ ଜବତ ଗୋ ମାଂସକୁ ଖଲାସ ବା ପୋତେଇ ନିମନ୍ତେ ନିଷିଦ୍ଧାଂଚଳ ସ୍ଥାନ ନିରୁପଣ କ୍ଷେତ୍ରରେ କୁଆଖିଆ ପୁଲିସକୁ ହଟହଟା ଓ ନିନ୍ଦାର ଶିକାର ହେବାକୁ ପଡିଛି ।
ଖବର ଅନୁଯାୟୀ, ପ୍ରଥମେ ଜେନାପୁର ଥାନାର ବାଲିସାହି ଅଂଚଳକୁ ଏହି ଗୋ ମାଂସକୁ ପୋତିବାକୁ ଆଣିଥିବା ବେଳେ ସ୍ଥାନୀୟ ଲୋକେ ବିରୋଧ କରି କଂଟେନର ଫେରାଇ ଦେଇଥିଲେ । ଏହାପରେ କୁଆଖିଆ ପୁଲିସ ଉପାୟଶୂନ୍ୟ ହୋଇ ଧର୍ମଶାଳା ଥାନାର ସୁନ୍ଦରିଆ ପଂଚାୟତ ଅନ୍ତର୍ଗତ ଷଣ୍ଢପୁର ନିଛାଟିଆ ପାହାଡିଆ ଜଙ୍ଗଲ ଅଂଚଳକୁ ହିଁ ବାଛିଥିଲା । ବିଳମ୍ବିତ ରାତ୍ରରେ ଗୋ ମାଂସ ବୋଝେଇ କଂଟେନରକୁ ନେଉଳପୁର ରାସ୍ତାରେ ନେଇ ଷଣ୍ଡପୁର ନିକଟରେ ରାସ୍ତା ପାଶ୍ୱର୍ରେ ଥିବା ପାହାଡ ପାଦଦେଶରେ ସୃଷ୍ଟି ହୋଇଥିବା ଛୋଟ ଛୋଟ ଗର୍ତ ଗୁଡିକରେ ମାଂସ ଖଣ୍ଡକୁ ପକାଇ ତା ଉପରେ ଜେସିବି ମେସିନ ସହାୟତାରେ ମୋରମ ଗୁଡିକୁ ପକାଇ ଦେଇ ତରବରିଆ ଭାବରେ ନିଜର କର୍ତବ୍ୟ ଶେଷ କରି ଚାଲିଯାଇଥିଲେ । ତେବେ ଆଜି ସକାଳେ ସ୍ଥାନୀୟ ଲୋକ ସେହି ରାସ୍ତାରେ ଚଳପ୍ରଚଳ ସମୟରେ ବା ପାହାଡକୁ ଗଲା ବେଳେ ମାଂସ ଖଣ୍ଡ ସବୁ ପୋତା ଖବର ପ୍ରଚାରିତ ହୋଇଯିବା ପରେ ଶହଶହ ଲୋକ ରୁଣ୍ଡ ହୋଇଯାଇଥିଲେ । କେଉଁଠୁ ଆସିଲା ଓ କିଏ ଆଣି ପୋତିଲା ତାକୁ ନେଇ ଖୋଳତାଡ ଆରମ୍ଭ ପରେ ଏହା କୁଆଖିଆ ପୁଲିସର କାମ ବୋଲି ଜାଣିବାକୁ ପାଇଥିଲେ । ଗୋ ମାଂସ ପଡିଥିବା ସ୍ଥାନଟି ଚମ୍ପାଝର ଶିବ ମନ୍ଦିର ଠାରୁ ମାତ୍ର ଏକ କିମି ଦୂର ହୋଇଥିବା ବେଳେ ପାଟପୁର ମହନ୍ତଙ୍କ ଜମି ବୋଲି ଗ୍ରାମବାସୀ ଦର୍ଶାଇଛନ୍ତି । ଯାହାକୁ ନେଇ ପାଟପୁର ଓ ଷଣ୍ଡପୁର ଗ୍ରାମବାସୀଙ୍କ ମଧ୍ୟରେ ଧାର୍ମିକ ଭାବନା ପ୍ରତି ଅନ୍ୟାୟ ସଦୃଶ ବୋଲି ଅସନ୍ତୋଷ ସୃଷ୍ଟି ହୋଇଥିଲା । ଖବର ପାଇ ଧର୍ମଶାଳା ଥାନା ଅଧିକାରୀ ଆଶିଷ କୁମାର ତ୍ରିପାଠୀ ସଦଳବଳେ ମଧ୍ୟାହ୍ନରେ ସେଠାରେ ପହଂଚି ବିକ୍ଷିପ୍ତ ହୋଇ ଏଣେ ତେଣେ ପୋତାଯାଇଥିବା ମାଂସ ଖଣ୍ଡ ଗୁଡିକୁ ଲୁଣ ଦେଇ ପୁନର୍ବାର ପୋତିବା ପାଇଁ ବ୍ୟବସ୍ଥା ଗ୍ରହଣ କରିଥିଲେ । ତେବେ କୁଆଖିଆ ପୁଲିସ କର୍ତୃପକ୍ଷଙ୍କ ଏଭଳି ଅପରିଣାମଦର୍ଶୀତାକୁ ସାଧାରଣରେ ନାପସନ୍ଦ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.