କେନ୍ଦ୍ରାପଡା ୧୯/୦୯/୨୦୨୧(ଓଡ଼ିଶା ସମାଚାର)-ପ୍ରବଳ ବର୍ଷା ପରେ ଡେରାବିଶ ବ୍ଲକ ଚାଟରା ଚକଡ଼ା ପଞ୍ଚାୟତ, ଫକିରାବାଦ ଗ୍ରାମର ଜେନା ସାହି ଜଳ ନିଷ୍କାସନ ନହୋଇ ପାରୁଥିବାରୁ ସମ୍ପୂର୍ଣ୍ଣ ପାଣି ଘେରରେ । ଗାଁର ପ୍ରାୟ ୫୦ ପରିବାର ଜଳବନ୍ଦୀ, ଘରେ ଘରେ ପାଣି, କଚ୍ଚା ଘରର ମାଟି କାନ୍ଥ ସବୁ ଭୁଶୁଡିବା ଅବସ୍ଥାରେ । ଅଧିକାଂଶ ଗ୍ରାମବାସୀ ଫକିରାବାଦ ବିଦ୍ୟାଳୟରେ ସରକାରୀ ଆଶ୍ରୟସ୍ଥଳରେ, ଖାଦ୍ୟର ମଧ୍ୟ ବ୍ୟବସ୍ଥା ସେଠାରେ ହୋଇଛି । ମାତ୍ର ଗାଁ ଭିତରେ ଗୃହ ପାଳିତ ପଶୁ, ବୃଦ୍ଧ ଵୃଦ୍ଧା, ଅନେକ ଛୋଟ ପିଲା, ମହିଳା ଏବେ ବି ଗାଁରେ । ଆଜି ସକାଳେ ରାଜ୍ୟ ଖଦି ବୋର୍ଡ଼ର ପୂର୍ବତନ ସଭାପତି ତେଜେଶ୍ୱର ପରିଡ଼ା ଏହି ଗାଁର ପ୍ରତ୍ୟେକ ଘର ଓ ଫକିରାବାଦ ବିଦ୍ୟାଳୟ ଆଶ୍ରୟସ୍ଥଳୀରେ ପହଞ୍ଚି ସେ ସମସ୍ତଙ୍କର ଅସୁବିଧା ଆବଶ୍ୟକତା କୁ ନିଜ ଆଖିରେ ଦେଖିବା ସହ ସ୍ଥାନୀୟ ବ୍ଲକ, ତହସିଲ, ମେଡିକାଲ ଓ ଜିଲ୍ଲା ପ୍ରଶାସନକୁ ବିଭିନ୍ନ ବିଷୟରେ ଅବଗତ କରାଇ
ତୁରନ୍ତ ସାହାଯ୍ୟ ସହଯୋଗ ଲୋଡ଼ିଥିଲେ । ଏହା ସହ ଦୀର୍ଘକାଳୀନ ଭିତ୍ତିରେ ଜଳବନ୍ଦୀ ସମସ୍ୟାରୁ ବଞ୍ଚିବା ପାଇଁ ସରକାରଙ୍କର ଜଳ ସମ୍ପଦ ବିଭାଗର ସହଯୋଗ ଓ ଘେରିବନ୍ଧର ଆବଶ୍ୟକତା ରହିଛି । ପାଣି ଛାଡିବା ପର୍ୟ୍ୟନ୍ତ ଗାଁରେ ପର୍ୟ୍ୟାପ୍ତ ପରିମାଣର ପାନୀୟ ଜଳ, ଗୋଖାଦ୍ୟ, ଔଷଧ, ବ୍ଲିଚିଙ୍ଗ ପାଉଡର, ଗାଁ ମୁଣ୍ଡରେ ରନ୍ଧା ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ, ଭାଙ୍ଗି ଯାଇଥିବା ଓ ବିପଦଶଂକୁଳ ଅବସ୍ଥାରେ ଥିବା ସମସ୍ତ ଘରକୁ ସରକାରୀ ସାହାୟତା, ସମସ୍ତ ମାଟି ଘରକୁ ସରକାରୀ ପକ୍କା ଘର ଯୋଜନାରେ ଅନ୍ତର୍ଭୁକ୍ତ କରିବା, ତୁରନ୍ତ ଛତା ମେଡିକାଲ ମାଧ୍ୟମରେ ଡାକ୍ତରୀ ଚିକତ୍ସା ଶିବିର ଆୟୋଜନ, ସମସ୍ତ କ୍ଷୟ କ୍ଷତିର ଆକଳନ କରାଯାଇ ସରକାରୀ ସାହାୟତା ପ୍ରଦାନ, ଗତବର୍ଷରୁ ବାକିଥିବା ପୁରୁଣା କ୍ଷୟକ୍ଷତି ସାହାୟତା ତୁରନ୍ତ ପ୍ରଦାନ ଇତ୍ୟାଦି ବିଷୟରେ ପ୍ରଶାସନକୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର