ପ୍ରକୃତଲୋଗ କରାନଗଲେ ଆନ୍ଦୋଳନ ହେବ – ଜନଶକ୍ତି ପାର୍ଟି
କେନ୍ଦ୍ରାପଡ଼ା, ୧୮/୦୯/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ରାଜନଗରସ୍ଥିତ ଅଭୟାରଣ୍ୟ ତଥା ଜାତୀୟ ଉଦ୍ୟାନ ମୁଖ୍ୟତଃ କଇଁଛ ପ୍ରଜନନ ଓ କୁମ୍ଭୀର ପ୍ରଜନନ କେନ୍ଦ୍ର ଭାବେ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ପାଇ ଆସିଛି । ଜାତୀୟ ଉଦ୍ୟାନ ଅନ୍ତର୍ଗତ ଗହୀର ମଥାର ବିସ୍ତୃତ ସାମୁଦ୍ରିକ ବେଳାଭୂମିକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ବିଭିନ୍ନ ପ୍ରଜାତିର କଇଁଛଙ୍କ ଆଗମନ ଓ ଅଣ୍ଡାଦାନ ସାରା ବିଶ୍ୱରେ ବହୁ ଚର୍ଚ୍ଚିତ ବିଷୟ ହୋଇରହିଛି । ଏଣୁ ରାଜ୍ୟ ସରକାର ବିରଳ ପ୍ରଜାତି ଅଲିଭରିଡଲେ କଇଁଛ ଓ କୁମ୍ଭୀର ଚିତ୍ର ଥାଇ ଭିତରକନିକାର ସ୍ୱତନ୍ତ୍ର ଲୋଗୋ ପ୍ରଚଳନ କରିଆସୁଥିବା ଯଥାର୍ଥ ଥିବା ବେଳେ ଏବେ ରାଜନଗର ବନ୍ୟପ୍ରାଣୀ ଅଧିକାରୀ ମନମୁଖୀ ଭାବେ ଏକ ଲୋଗୋ ପ୍ରସ୍ତୁତ କରି ତାକୁ ଭାଇରାଲ କରିଥିବା କେନ୍ଦ୍ରାପଡାବାସୀ ଓ ପରିବେଶବିତମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣାକୁ ଜନଶକ୍ତି ପାର୍ଟି ଗମ୍ଭୀରତାର ସହ ନେଇ ରାଜନଗର ଡିଏଫଓଙ୍କ ଏଭଳି ମନମୁଖୀ ଲୋଗୋ ଭାଇରାଲକୁ ବିରୋଧକରି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନୂଆ ଲୋଗୋରେ ବିରଳ ଅଲିଭରିଡଲେ ଏବଂ କୁମ୍ଭୀର ଚିତ୍ର ନଥିବାରୁ ଏହି ଲୋଗୋ ଭିତରକନିକାର ସ୍ୱତନ୍ତ୍ର ପରିଚୟ ବହନ କରୁନଥିବା ବିଷୟ ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ଆଇନଜିବି ପ୍ରଦିପ କୁମାର ଦାଶ ଅଭିଯୋଗ କରିଛନ୍ତି । ଭିତରକନିକାର ଯଥାର୍ଥ ଲୋଗୋ ଜାରି କରିବାକୁ ଶ୍ରୀ ଦାଶଙ୍କ ସମେତ ସୂର୍ଯ୍ୟମଣୀ ପଣ୍ଡା, ନରୋତମ ଜେନା, ବିବେକ ନାୟକ, ସେକ ଆସିକୁଦ୍ଧିନ, କ୍ଷେତ୍ରବାସୀ ସାହୁ, ସେକ ଅମିରୁଦ୍ଧିନ, କିସୁ ଜେନା ପ୍ରମୁଖ କର୍ମକର୍ତାମାନେ ଅଭିଯୋଗ କରିବା ସହିତ ରାଜନଗର ଡିଏଫଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଯଦି ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ପାର୍ଟି ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଭାପତି ଶ୍ରୀ ଦାଶ କହିଛନ୍ତି । ଓଡ଼ିଶା ସମାଚାର