Monday , June 5 2023
Breaking News
Home / ବିଶେଷ / ଅଧା ମାହାଙ୍ଗା ଉବୁଟୁବୁ, ସହାୟତା ପାଇଁ ତହସିଲ ସାମ୍ନାରେ ବିପନ୍ନ ପରିବାର

ଅଧା ମାହାଙ୍ଗା ଉବୁଟୁବୁ, ସହାୟତା ପାଇଁ ତହସିଲ ସାମ୍ନାରେ ବିପନ୍ନ ପରିବାର

ମାହାଙ୍ଗା, ୧୭/୦୯/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ଲଗାଣ ବର୍ଷା ଯୋଗୁଁ ବିରୂପା, ମଇଜରା, ଗୋବରୀ ଏବଂ ଶୁକୁ ନଦୀରେ ଜଳସ୍ତରବଢ଼ିବାରେ  ଲାଗିଛି । ମାହାଙ୍ଗା ବ୍ଲକ ଅଂଚଳରେ ଥିବା ଶହଶହ ଗାଁ ରେ ପାଣି ପଶିଛି  । ୨୪ ପଂଚାୟତ ର ୬୭ ରାଜସ୍ବ ଗାଁରେ ଥିବା ୮୨୧୫ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି ବୋଲି ତଥ୍ୟ କହୁଛି  । ମାହାଙ୍ଗା ବ୍ଲକର  ହାତ ଗଣତି କିଛି ଗ୍ରାମରେ ଶୁଖିଲା ଖାଦ୍ୟ ପହଂଚିଥିବା ବେଳେ,  ବନ୍ୟାର ପଞ୍ଚମ  ଦିନ ସୁଦ୍ଧା ୧୭ ପଞ୍ଚାୟତରେ ପ୍ରଶାସନର ପାଦ ପଡିନଥିବା ଜଣାପଡିଛି ।  ଏବେବି ରାସ୍ତାଘାଟ ପାଣିରେ ବୁଡିଛି ।  ସ୍ୱାସ୍ଥ୍ୟସେବା ନେଇ ଚିନ୍ତାରେ ଜଳବନ୍ଦୀ ଅଂଚଳର ଜନତା । ବହୁ ଗାଁରେ କଚ୍ଚା ଘରର କାନ୍ଥ ପଡିଛି,ବହୁ  କଚାଘର ନଷ୍ଟ ହୋଇଛି, ଗାଈ ଗୋରୁ ଅକଥନୀୟ  ଦୁର୍ଦ୍ଦଶା ଭୋଗୁଛନ୍ତି । ଏସବୁ ସତ୍ୱେ ପାଣି ଘେରରେ ଥିବା ପରିବାର ପାଖରେ ପହଂଚି ପାରିନି ପ୍ରଶାସନ । ଏହାର ପ୍ରତିବାଦରେ ଆଜି ଚାହାପଡା ପଞ୍ଚାୟତରୁ ଶତାଧିକ ବନ୍ୟା ବିପନ୍ନ ପରିବାର ସ୍ଥାନୀୟ ତହସିଲ ଆଗରେ ଉପସ୍ଥିତ ହୋଇ ପ୍ରତିବାଦ ଜଣାଇଥିବା  ଦେଖିବାକୁ ମିଳିଛି  । କେବଳ ଲୋକଙ୍କ ଘରେ କିମ୍ବା ଗାଁ ରେ ପାଣି ପଶିଛି ସେକଥା ନୁହେଁ,  ଖୋଦ ତହସିଲ ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି  । ମାହାଙ୍ଗା ତହସିଲ କାର୍ୟ୍ୟାଳୟ ସାମ୍ନାରେ ଆଣ୍ଠୁଏ ପାଣି  । ଚାହାପଡ଼ା ପଞ୍ଚାୟତର କଂଟିକିଆରୀ,ଜହଳ, ବରଦିଆ,ମୌଜାରେ ଲୋକେ ଅକଥନୀୟ ଅସୁବିଧା ଭୋଗୁଥିବାବେଳେ, ଏମାନଙ୍କ ନିକଟରେ  ଜରିପାଲ ଖଣ୍ଡେ ପହଂଚି ନଥିବା ଅଭିଯୋଗ ହୋଇଛି.

ଏପରିକି ରନ୍ଧାଖାଦ୍ୟ ଠାରୁ  ଶୁଖିଲା ଖାଦ୍ୟ, ଗୃହ ପାଳିତ ପଶୁଙ୍କ ପାଇଁ ଗୋ’ ଦାନା , ସରକାରୀ ଭାବେ ଯୋଗାଇ ଦିଆଯାଇନଥିବା ଜଣାପଡିଛି । ଦୀର୍ଘ ୫ ଦିନ ହେଵ ଜଳବନ୍ଦୀ ହୋଇପଡିଥିବା ଏହି ପଞ୍ଚାୟତ ଭଳି ଆହୁରି ୧୬ ପଂଚାୟତରେ ପ୍ରଶାସନ କାହିଁକି ପହଂଚି ପାରୁନି, ଏହାର ପ୍ରତିବାଦରେ ତହସିଲ ଘେରିଥିଲେ ବନ୍ୟା ବିପନ୍ନ ଜନତା । ତେବେ ଏହି ଲୋକମାନଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଛି ତହସିଲ ପ୍ରଶାସନ  । ପାଣିଘେରରେ ଥିବା ଲୋକଙ୍କ ସମସ୍ୟା କେବେ ଦୂର ହେଉଛି, ସେକଥା ଦେଖିବାକୁ ବାକି ରହିଲା  ।  ଓଡ଼ିଶା ସମାଚାର

Leave a Reply

Your email address will not be published.