Wednesday , December 8 2021
Home / ବିଶେଷ / ସାମାଜିକ ଆନ୍ଦୋଳନକୁ ଆଗକୁ ନେବାର ଆବଶ୍ୟକତା ଉପରେ ଗୁରୂତ୍ୱ

ସାମାଜିକ ଆନ୍ଦୋଳନକୁ ଆଗକୁ ନେବାର ଆବଶ୍ୟକତା ଉପରେ ଗୁରୂତ୍ୱ

କେନ୍ଦ୍ରାପଡ଼ା, ୧୬/୦୯/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜନ ଚେତନା ପରିଷଦର ୨୬ତମ ସଂକ୍ଷିପ୍ତ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ଗୁରୁବାର ପରିଷଦର ସମ୍ମିଳନୀ କକ୍ଷରେ କୋଭିଡ଼ କଟକଣା ସହ ଅନୁଷ୍ଠିତ ହୋଇଯାଇଛି । ବର୍ଷିୟାନ ସମାଜସେବୀ ଶିକ୍ଷାବିତ୍ ଈଶ୍ୱର ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ସେ ନିଜର ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ ଜିଲ୍ଲାବାସୀ ସାଧାରଣ ଲୋକଙ୍କ ଭିତରେ ବିଭିନ୍ନ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରାଇବା ଏବଂ ଅସହାୟ ତଥା ପ୍ରପୀଡ଼ିତ ଲୋକଙ୍କ କଲ୍ୟାଣ କରିବା ଦିଗରେ ଜନଚେତନା ପରିଷଦର ନିରବଚ୍ଛିନ୍ନ ଉଦ୍ୟମ ଆଗାମୀ ପୀଢିକୁ ନୂଆ ରାସ୍ତା ଦେଖାଇବ । ଏଥିସହିତ ଜିଲ୍ଲାରେ ସାମାଜିକ ଆନ୍ଦୋଳନକୁ ଆଗକୁ ନେବାର ଆବଶ୍ୟକତା ଉପରେ ଗୁରୂତ୍ୱାରୋପ କରିବା ସହ ସଚେତନ ଲୋକେ ଉସ୍ôର୍ଗୀକୃତ ଭାବେ ସଂଗଠିତ ହେବାକୁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଡ଼ଃ. ବାସୁଦେବ ଦାସ କହିଥିଲେ ଯେ ଅସହାୟ ଲୋକଙ୍କ ମନରେ ଟିକେ ଆଶା ଓ ଆଶ୍ୱାସନା ଭରିଦେବା ହିଁ ସେବା । ସେହି ଲକ୍ଷ୍ୟ ନେଇ ଜନ ଚେତନା ପରିଷଦ ଆଗକୁ ବଢୁଛି । ଜିଲ୍ଲାର ସାମାଜିକ ଓ ସାଂସ୍କୃତିକ ଆନ୍ଦୋଳନ ସହିତ ସେବା କାର୍ଯ୍ୟକ୍ରମରେ ଜନଚେତନା ପରିଷଦର ଯଥେଷ୍ଟ ଯୋଗଦାନ ରହିଛି । ଅତୀତରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ପରିଷଦର କାର୍ଯ୍ୟକ୍ରମରେ ସାମିଲ ହୋଇ ଏହାର ଉଚ୍ଚ ପ୍ରଶଂସା କରିଛନ୍ତି । ଏହା କେବଳ ପରିଷଦର ଅଧ୍ୟକ୍ଷ ଅମ୍ବିକା ପ୍ରସାଦ ଦାସଙ୍କ ସାମାଜିକ ପ୍ରତିବଦ୍ଧତା ଯୋଗୁ ସମ୍ଭବ ହୋଇଛି । ତେବେ କେନ୍ଦ୍ରାପଡ଼ାର ବିକାଶକୁ ତ୍ୱରାନ୍ୱତ କରିବା ଦିଗରେ ସାମାଜିକ ଆନ୍ଦୋଳନକୁ ଆଗକୁ ନେବାକୁ ଏହି ଅନୁଷ୍ଠାନ କାର୍ଯ୍ୟ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଏଥିରେ ପୌରହିତ୍ୟ କରି ପରିଷଦର ଅଧ୍ୟକ୍ଷ ଅମ୍ବିକା ପ୍ରସାଦ ଦାସ କହିଥିଲେ ଯେ କୌଣସି ସରକାରୀ ଅନୁଦାନ କିମ୍ବା ପ୍ରୋତ୍ସାହନ ବିନା ଜନଚେତନା ପରିଷଦ ନିଜସ୍ୱ ଉଦ୍ୟମରେ ଦୀର୍ଘ ବର୍ଷ ଧରି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ , ପ୍ରାକୃତିକ ବିପର୍ଯ୍ୟୟ ବେଳେ ରିଲିଫ ବଂଟନ , ମାଗଣା ଚିକିତ୍ସା ଶିବିର ଓ ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ ଆଦି କାର୍ଯ୍ୟକ୍ରମ କରିଆସିଛି । ଆଗକୁ ଏହାକୁ ବ୍ୟାପକ କରି ଜିଲ୍ଲାବାସୀ ସାଧାରଣ ଲୋକଙ୍କ ସମସ୍ୟାରେ ଏହି ଅନୁଷ୍ଠାନ ସାମିଲ ହେବ ବୋଲି ଏହି ଅବସରରେ ଶ୍ରୀଦାସ ନିଜର ଅଙ୍ଗୀକାରବଦ୍ଧତାକୁ ଦୋହରାଇଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ଗଣେଶ ଚନ୍ଦ୍ର ସାମଲ ଜନ ଚେତନା ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କୀତ ସବିଶେଷ ସୂଚନା ଦେବା ସହ ମାଟି ପାଇଁ ଅବଦାନ ରଖିଥିବା କେତେକ ବର୍ଷିୟାନ ବ୍ୟକ୍ତି ବିଶେଷ ଓ ପ୍ରତିଭାଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଲକ୍ଷ୍ୟରେ କୋଭିଡ଼ ମାହାମାରୀର ଭୟାବହତା ଭିତରେ ବି ଏହି ସଂକ୍ଷିପ୍ତ ବାର୍ଷିକୋତ୍ସବର ଆୟୋଜନ କରାଯାଇଥିବା ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଏହି ଅବସରରେ ବର୍ଷିୟାନ ସମାଜସେବୀ ଶଙ୍କର୍ଷଣ ପଣ୍ଡା ଓ ଉତ୍ସଗୀକୃତ ଶଲ୍ୟ ବିଶେଷଜ୍ଞ ଡ଼ାକ୍ତର ବିରେନ୍ଦ୍ର କୁମାର ଦାଶ ଙ୍କୁ ଜନ ଚେତନା ପରିଷଦ ପକ୍ଷରୁ ମୁଖ୍ୟ ଅତିଥି ଶ୍ରୀସାହୁ ମାନପ୍ରତ୍ର , ଉପଢୌକନ , ଅଙ୍ଗାଭରଣ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏଥିସହିତ ଜନ ଚେତନା ପରିଷଦର ଅଧ୍ୟକ୍ଷ ଶ୍ରୀଦାସ ବିଶିଷ୍ଟ ବର୍ଷିୟାନ ବ୍ୟକ୍ତିଙ୍କ ମଧ୍ୟରେ ଶିକ୍ଷାବିତ୍ ଈଶ୍ୱର ଚନ୍ଦ୍ର ସାହୁ , ଗବେଷକ ଡ଼ଃ. ବାସୁଦେବ ଦାସ , ଆଇନଜୀବି ଧରଣୀଧର ସୂଆର ଓ ସମାଜସେବୀ ଗୋପାଳ ଚନ୍ଦ୍ର ମହାଳିକଙ୍କୁ ଅଙ୍ଗାଭରଣ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନ ପ୍ରଦର୍ଶନ କରିଥିଲେ । ସେହିପରି ପରିଷଦର ବିଭିନ୍ନ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ ରଖି ଆସିଥିବା ଜନପ୍ରିୟ ଡ଼ାକ୍ତର ସ୍ୱର୍ଗତ ଅଲେଖ ଚନ୍ଦ୍ର ଦାସଙ୍କୁ ପରିଷଦ ପକ୍ଷରୁ ମରଣୋତର ସମ୍ମାନ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଜନ ଚେତନା ପରିଷଦର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ସାହିତ୍ୟିକ , ସାମ୍ବାଦିକ ସ୍ୱର୍ଗତ ଦିବାକର ବିଶ୍ୱାଳ ଓ କାର୍ଯ୍ୟକାରୀ ସଦସ୍ୟ ଶିକ୍ଷକ ନେତା ସ୍ୱର୍ଗତ ମନୋରଞ୍ଜନ ବାରିକଙ୍କ ସ୍ମୃତି ଉଦ୍ଧେଶ୍ୟରେ ନିରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧା ନିବେଦନ କରାଯାଇଥିଲା । ଶେଷରେ କାର୍ଯ୍ୟକାରୀ ସଦସ୍ୟ ସରୋଜକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କର ସିଇଓ ସୁଶିଲ କୁମାର ସାମଲ , ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ସରୋଜ କୁମାର ମହାନ୍ତି , ଜିଲ୍ଲା ବିଜେପିର ପୂର୍ବତନ ସଭାପତି ସୁକାନ୍ତ କୁମାର ଦ୍ୱିବେଦୀ, ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ଧଳ, ପୂର୍ବତନ ଅର୍ବାନ ବ୍ୟାଙ୍କର ଡ଼ାଇରେକ୍ଟର ରାମଚନ୍ଦ୍ର ସାହୁ , ସିଦ୍ଧାର୍ଥ ଶଙ୍କର ଜେନା , ପୂର୍ବତନ ପୌର କାଉନସିଲର ହିରଣ୍ୟ କୁମାର ପଣ୍ଡା, ବିଜେଡ଼ି ଯୁବନେତା ରାଜେଶ କୁମାର ପଣ୍ଡା, ଆଲୋକ କୁମାର ସାହୁ ,ସମାଜସେବୀ ଗୋପାଳକୃଷ୍ଣ ଜେନା , କାଶିନାଥ ରାଉତରାୟ , କୃଷ୍ଣଚନ୍ଦ୍ର ନାୟକ , ଭଞ୍ଜ କିଶୋର ଜେନା, ବିଜୟ କୁମାର ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ । ପରିଷଦ ପକ୍ଷରୁ ଭୁବନ ମୋହନ ଦାସ , ଲକ୍ଷ୍ମୀକାନ୍ତ ନାୟକ, ବିର କିଶୋର ନାୟକ, ପବିତ୍ର କୁମାର ସାହୁ, ଅଭିମନ୍ୟୁ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

Leave a Reply

Your email address will not be published. Required fields are marked *