ନିରାକାରପୁର, ୧୬/୦୯/୨୦୨୧(ଓଡ଼ିଶା ସମାଚାର)- ଲଘୁଚାପ ବର୍ଷା ଯୋଗୁ ଉପର ମୁଣ୍ଡ ପାଣି ମହାନଦୀରେ ଆସି ଖୋର୍ଦ୍ଧା ବ୍ଲକର ବିଭିନ୍ନ ପଂଚାୟତରେ ପ୍ରବେଶ କରିବା ପରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି । ଫଳରେ ଓରବରସିଂହ ପଂଚାୟତର ହରିମୂଳ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଏହି ରାସ୍ତାରେ ଆଣ୍ଠୁଏ ପାଣି ଅତିକ୍ରମ କରୁଥିଲେ ବି ଆଜି ଦିନବେଳା ଲୋକେ ସେଥିରେ ଯାତାୟତ କରିପାରୁଥିବାରୁ ପରିସ୍ଥିତ ସେହିପରି କିଛି ଜଟିଳ ହୋଇନାହିଁ । ଏହି ପଂଚାୟତର ଡ଼ିହଖୋଳା, ଓରବରସିଂହ,କୃଷ୍ଣପୁର, ଲେଖନପୁର, ନରଣଗଡ଼ ପଂଚାୟତର ମାନପୁର,ଓରମି, ବଳପୁର,ଧବଳପୁର ଓ କୁରୁମପଡ଼ା , ବ୍ରଜମୋହନପୁର ପଂଚାୟତ ଶରଧାପୁର, ଷଢେଇଗଡ଼ ଗ୍ରାମକୁ ପାଣି ଲାଗିଥିବାବେଳେ ହଜାର ହଜାର ହେକ୍ଟର ଚାଷ ଜମି ପାଣି ଘେରରେ ରହିଛି । ମାନପୁର ଏବଂ ଓରମୀ ଗ୍ରାମ୍ୟ ରାସ୍ତାରେ ପାଣି ଜମା ହେବାରୁ ଗାଁ ମଧ୍ୟକୁ ଯାତାୟତରେ ଅସୁବିଧା ଦେଖାଦେଲାଣି । ଏହି ସବୁ ଗାଁରେ ପାନୀୟ ଜଳର ଘୋର ଅସୁବିଧା ଦେଖାଦେଇଛି ।
ମାନପୁର ,ଓରମୀ ଗ୍ରାମର କିଛି ଲୋକ ବଢି ପାଣି ଦେଖି ନିଜେ ମାନପୁର ବାତ୍ୟା ଆଶ୍ରୟସ୍ଥଳୀରେ ରହିବା ସହ ଗୃହପାଳିତ ପଶୁମାନଙ୍କୁ ରଖିଥିବାର ଦେଖିବାକୁ ମିଳିଛି । ମହାନଦୀ ପାଣି ଆସିବା ଫଳରେ ରାଜୁଆ ନଦୀର ଶରଧାପୁର ଠାରୁ ଚଣ୍ଡୀ ବରଗଛ ନଦୀବନ୍ଧ ମୁକୁଳା ପଡ଼ିଥିବାରୁ ଉକ୍ତ ଜଳ ଏହି ଅରେ ବନ୍ୟା ସୃଷ୍ଟି କରୁଛି । ଏହି ସବୁ ଅଂଚଳ ମଧ୍ୟରେ ହିରିମୂଳ ଗ୍ରାମଟି ବନ୍ୟା ହେଲେ ଅଧିକ ପ୍ରଭାବିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଗ୍ରାମରେ ୨୯ଟି ପରିବାର ରହୁଥିବାବେଳେ ଲୋକ ସଂଖ୍ୟା ୩୦୦ ହେବ ।
ବନ୍ୟା ପାଣି ଆସିଲା ମାତ୍ରେ ଏହି ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଉଛି । ସେଥିପାଇଁ ପ୍ରଶାସନ ଉକ୍ତ ଗ୍ରାମକୁ ଦୁଇଟି ବୋଟ ଡ଼ଙ୍ଗା ପ୍ରଦାନ କରିବା ସହ ଚାଳକଙ୍କୁ ବି ନିଯୁକ୍ତ ଦେଇଛନ୍ତି ।ଏହି ଗ୍ରାମରେ ପ୍ରାକୃତିକ ବିପର୍ଯୟକୁ ମୁକାବିଲା କରିବା ପାଇଁ ଏକ ଆଶ୍ରୟସ୍ଥଳ ଗ୍ରାମ ମୁଣ୍ଡରେ ୨୦୦୪ ମସିହାରେ ନିର୍ମାଣ କରିଥିବାବେଳେ ଏହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ତାହା ପୁଣି ରହିବା ଅନୁପୁଯୁକ୍ତ ।
କେତେବେଳେ ଯେ ଭୁଷୁଡ଼ି ପଡ଼ିବ ତାହା ବି କହିହେବ ନାହିଁ । ଆଜି ଦିନ ବେଳା ପାଣି କମ ଥିବାବେଳେ ରିପୋର୍ଟ ଲେଖାବେଳକୁ ଏହି ଅଂଚଳରେ ପାଣି ବଢୁଥିବା କଥା ଜଣାପଡ଼ିଛି । ତେବେ ପ୍ରଶାସନ ସବୁ ପ୍ରକାର ପ୍ରସ୍ତୁତ ହୋଇ ରହିଛି ବୋଲି ସୂଚନା ମିଳିଛି । ଶୁକ୍ରବାର ଦିନ ପାଣି ବଢିବା ପରେ ଡ଼ିହଖୋଳା ଗ୍ରାମ ଜଳବନ୍ଦୀ ହେବା ସହ ନରଣଗଡ଼- ଡ଼ିହଖୋଳା ରାସ୍ତା ସଂପୂର୍ଣ୍ଣ ବନ୍ଦ ହୋଇଯିବ । ଆଜି ସନ୍ଧ୍ୟା ସୁଦ୍ଧା ରାୟପୁର ଗ୍ରାମ ମଧ୍ୟରେ ଅଳ୍ପ ପାଣି ପଶିଥିବାବେଳେ ରାତିରେ ପାଣି ବଢିବାର ଆଶଙ୍କା କରାଯାଉଛି । ଏବେ ଠାରୁ ପ୍ରଶାସନ ପକ୍ଷରୁ ଡ଼ଙ୍ଗା, ବୋଟ ଓ ଉଦ୍ଧାରକାରୀ ଦଳ ସହିତ ଜରୁରୀକାଳୀନ ଭିତିରେ ଖାଦ୍ୟ ସାମଗ୍ରୀ ଆସି ମହଜୁଦ ହେଉଥିବାର ଦେଖିବାକୁ ମିଳିଛି । ଓଡ଼ିଶା ସମାଚାର
