ଭୁବନେଶ୍ୱର,୧୧/୦୯/୨୦୨୧(ଓଡ଼ିଶା ସମାଚାର)- କଟକ ବାରଙ୍ଗ ଥାନା ଅନ୍ତର୍ଗତ ବେଣ୍ଟୁଆରେ ଘଟିଛି ଏକ ଅଭାବନୀୟ ଘଟଣା ।ବାଇଗଣ ତୋଳା ବିବାଦରୁ ପୁଅକୁ ଗୁଳିକରି ହତ୍ୟା କରିଛି ବାପା। ଘଟଣା ପରେ ବାପା ଫେରାର ହୋଇଯାଇଛି। ବାପା ଯଦୁମଣି ମୁଣ୍ଡା ନିଜ ପୁଅ ଶିବ ମୁଣ୍ଡାକୁ ଏକ ଦେଶୀ ବନ୍ଧୁକରୁ ଗୁଳିକରି ହତ୍ୟା କରିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇବା ସହ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି।
ପ୍ରକାଶ ସେ ବେଣ୍ଟୁଆ ଗାଁ (ବର୍ତ୍ତମାନ କଲ୍ୟାଣୀନଗର) ରେ ୩୦ ଆଦିବାସୀ ପରିବାର ବସବାସ କରନ୍ତି। ବର୍ଷାଦିନେ ପାହାଡ ତଳେ ବିଭିନ୍ନ ପ୍ରକାର ପରିବା ଚାଷ କରିଥାନ୍ତି। ଅଭିଯୁକ୍ତ ଯଦୁମଣି ପରିବାର ସହ ମିଶି ବାଇଗଣ ଚାଷ କରିଥିଲେ। ଶୁକ୍ରବାର ବାଇଗଣ ତୋଳାକୁ ନେଇ ପରିବାରରେ ଝଗଡା ହୋଇଥିଲା। ଯଦୁମଣି ଘରୁ ବାହାରିଯିବା ପରେ ଅପରାହ୍ନରେ ନିଶାସକ୍ତ ଅବସ୍ଥାରେ ଫେରି ପୁନର୍ବାର ଝଗଡା ଆରମ୍ଭ କରିଥିଲେ। ଏପରିକି ପରିବାର ଲୋକଙ୍କୁ ମାରଧର କରିଥିଲେ। ଏକ ଘରୋଇ ବିଦ୍ୟାଳୟରେ ପଢୁଥିବା ପୁଅ ଶିବ ଆସି ବାପାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା । ମାତ୍ର ନିଶାସକ୍ତ ଯଦୁମଣି ଘରେ ରଖିଥିବା ଏକ ଦେଶୀ ବନ୍ଧୁକ ଆଣି ଅତି ନିକଟରୁ ଶିବଙ୍କ ଉପରକୁ ଦୁଇଟି ଗୁଳି ଚଳାଇଥିଲା । ଦୁଇଟିଯାକ ଗୁଳି ଶିବଙ୍କ ଛାତିରେ ଲାଗିବା ଫଳରେ ଘଟଣାସ୍ଥଳରେ ଶିବ ର ମୃତ୍ୟୁ ହୋଇଥିଲା। ପୁଅକୁ ହତ୍ୟା କରିବା ପରେ ଯଦୁମଣି ଘଟଣାସ୍ଥଳରୁଫେରାର ହୋଇଯାଇଛି। ଖବର ପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀମାନେ ମଧ୍ୟ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଓଡ଼ିଶା ସମାଚାର