ମାହାଙ୍ଗା, ୧୧/୦୯/୨୦୨୧(ଓଡ଼ିଶା ସମାଚାର)- ଜଣେ ୧୬ ବର୍ଷ ବୟସର ନାବାଳିକା ଛାତ୍ରୀଙ୍କ ଦୁଷ୍କର୍ମ ସମୟର ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ଅଭିଯୋଗ ପରେ ମାହାଙ୍ଗା ପୋଲିସ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ସଂପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯିବା ସହ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ମାହାଙ୍ଗା ଥାନା ପୂର୍ବାଂଚଳର ଏକ ଗ୍ରାମର ୧୬ ବର୍ଷିଆ ନାବାଳିକା କଲେଜ ଛାତ୍ରୀଙ୍କୁ ସ୍ଥାନୀୟ ଅଂଚଳର ରାକେଶ ବେହେରା ଏକ କୋଠରୀକୁ ଡାକି ନେଇ ଦୁଷ୍କର୍ମ କରୁଥିବାବେଳେ ଅନ୍ୟ ଜଣେ ଯୁବକ ଗଣେଶ୍ୱର ସେଠୀ ସେଠାରେ ପୂର୍ବରୁ ମୋବାଇଲ ରଖି ଭିଡିଓ ଉତୋଳନ କରିଥିଲେ । ଏହାପରେ ଏହି ଭିଡିଓ ସାହାଯ୍ୟରେ ନାବାଳିକାକୁ ବ୍ଲାକମେଲ କରି ବାରମ୍ବାର ଉକ୍ତ କୋଠରୀକୁ ଡକାଇ ତାଙ୍କ କଥାରେ ରାଜି ହୋଇ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରିବା ସହ କାହାକୁ କିଛି ନ କହିବା ପାଇଁ ଧମକ ଦେଇଥିଲେ । ପରେ ଏହି ଭିଡିଓକୁ ଅଭିଯୁକ୍ତ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ । ଘଟଣା ସଂପର୍କର ନାବାଳିକା ଜଣକ ତାଙ୍କ ମା ବାପାଙ୍କୁ ଜଣାଇଥିଲେ । ଏଥିନେଇ ପିଡିତା ନାବାଳିକାଙ୍କ ବାପା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଅବଗତ କରାଇଥିଲେ । ଶିଶୁ ସୁରକ୍ଷା ଜିଲ୍ଲା ସଂଯୋଜକ ନାରାୟଣ ଶୁକ୍ଳାଙ୍କ ନେତୃତ୍ୱରେ ଏକ ଟିମ ମାହାଙ୍ଗା ପୋଲିସ ସହାୟତାରେ ଉକ୍ତ ଗ୍ରାମରେ ପହଂଚି ନାବାଳିକାକୁ ଉଦ୍ଧାର କରିବା ସହ ଘଟଣା ସଂପର୍କରେ ପଚାରି ବୁଝିଥିଲେ । ଏହି ଘଟଣାରେ ଜଡିତ ରାକେଶ ବେହେରା (ଜଗା)କୁ ମାହାଙ୍ଗା ପୋଲିସ ଗିରଫ କରିବା ସହ ମାହାଙ୍ଗା ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛନ୍ତି । ତେବେ ଅନ୍ୟ ଜଣେ ଅଭିଯୁକ୍ତ ଗଣେଶ୍ୱର ସେଠୀ ଫେରାର ହୋଇ ଯାଇଥିବାବେଳେ ତାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରଖିଥିବାବେଳେ ୨୦୦/୨୧ରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଗିରଫ ଅଭିଯୁକ୍ତ ରାକେଶକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇନଥିବା ପୋଲିସ ସୂତ୍ରରୁ ଜଣାଯାଇଛି । ଓଡ଼ିଶା ସମାଚାର
