ଭୁବନେଶ୍ୱର,୧୦/୦୯/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୪ ତାରିଖରେ ସୁନ୍ଦରଗଡ଼ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ। ମୁଖ୍ୟମନ୍ତ୍ରୀଙ୍କର ଏହା ସରକାରୀ କାର୍ୟ୍ୟକ୍ରମ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଚାଲିଛି। ମୁଖ୍ୟମନ୍ତ୍ରୀ ମାଲକାନଗିରି ରେ ଯେଉଁଭଳି ଭାବେ ସ୍ମାର୍ଟ ହେଲ୍ଥ୍ କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ , ସେହିପରି ମନ୍ତ୍ରୀମାନଙ୍କୁ ବ୍ଲକ୍ ୱାରି ଦାୟିତ୍ବ ବଣ୍ଟନ କରାଯାଇଛି। ୧୨ ତାରିଖ ଠାରୁ ୧୨ରୁ ଅଧିକ ମନ୍ତ୍ରୀ ଆଗୁଆ ଯାଇ କାର୍ୟ୍ୟକ୍ରମର ତଦାରଖ କରିବେ। କୋଭିଡ୍ କଟକଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମକୁ ଅଧିକ ଲୋକଙ୍କୁ ଏକାଠି କରା ନ ଯାଇ ବିଭିନ୍ନ ବ୍ଲକ୍ ରେ ବଡ଼ ବଡ଼ ସ୍କ୍ରିନ୍ ଲଗାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମର ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା କରାଯିବ । ମନ୍ତ୍ରୀ ଓ ବିଧାୟକମାନେ ଏହି କାର୍ୟ୍ୟକ୍ରମର ତଦାରଖ କରିବେ। ମୁଖ୍ୟମନ୍ତ୍ରୀ କାର୍ଡ ବଣ୍ଟନ ଆରମ୍ଭ କଲା ପରେ ଦୁଇ ତିନି ଦିନ ଭିତରେ ବ୍ଲକ୍ ସ୍ତରରେ ହିତାଧିକାରୀଙ୍କୁ ମନ୍ତ୍ରୀ, ବିଧାୟକମାନେ କାର୍ଡ ବାଣ୍ଟିବେ। ପର୍ୟ୍ୟାୟକ୍ରମେ ମୁଖ୍ୟମନ୍ତ୍ରୀ ଅନ୍ୟ ଜିଲ୍ଲା ମଧ୍ୟ ଗସ୍ତ କରିବେ। ଖୁବ୍ଶୀଘ୍ର ମୟୂରଭଞ୍ଜ ଓ ବଲାଙ୍ଗୀର ଗସ୍ତ କରିବାର କାର୍ୟ୍ୟକ୍ରମ ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଓଡ଼ିଶା ସମାଚାର