ପାରାଦୀପ ୦୯/୦୯/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ବନ୍ଦର ଉପକୂଳରେ ଗତ ୨୦୦୯ମସିହା ସେପ୍ଟେମ୍ବର ୯ ତାରିଖରେ ମେଙ୍ଗାଲିଆ ଜାହାଜ ‘ବ୍ଲାକ୍ ରୋଜ’ ବୁଡିବା ଘଟଣାକୁ ପୁରିଲା ୧୨ ବର୍ଷ । ଏହି ଦୁର୍ଘଟଣାରେ ଜାହାଜ ମୁଖ୍ୟ ଯନ୍ତ୍ରୀ ଆଲେକ୍ଜାଣ୍ଡର ଲିଓନ୍ସ୍କେ ମୃତୁ୍ୟବରଣ କରିଥିବା ବେଳେ, ଅନ୍ୟ ୨୬ ଜଣ ନାବିକଙ୍କୁ ପାରାଦୀପ ବନ୍ଦର ମେରାଇନ୍ ବିଭାଗ ଟଗ୍ ବୋଟ୍ ଦ୍ୱାରା ଉଦ୍ଧାର କରାଯାଇଥିଲା । ପ୍ରବଳ ବର୍ଷାରେ ଲୋଡ୍ ହୋଇଥିବା ୨୦ହଜାର ମେଟ୍ରିକ ଟନ୍ ଲୁହାପଥର ବୋଝେଇ କରି ପାରାଦୀପରୁ ଚାଇନା ଅଭିମୁଖ୍ୟ ଯାତ୍ରା କରୁଥିବା ବେଳେ ପାରାଦୀପ ବନ୍ଦର ଆଙ୍କରେଜ୍ ଏରିଆରେ ଏହି ଦୁର୍ଘଟଣା ଘଟିଥିଲା । ଜାହାଜଟି ବୁଡି ଯିବା ପରେ ଜାହାଜରୁ ନିର୍ଗତ ହେଉଥିବା ତେଲ ସମୁଦ୍ର ପାଣିରେ ମିଶି ଜଳ ପ୍ରଦୁ୍ୟଷିତ ହେବାକୁ ଯାଉଥିବା ଖବର ପ୍ରସାରିତ ହେବା ପରେ ତୁରନ୍ତ ପାରାଦୀପ ବନ୍ଦର ପକ୍ଷରୁ ୨୦କୋଟି ଟଙ୍କା ବ୍ୟୟ କରାଯାଇ ତେଲ ବ୍ୟାପିବାକୁ ନିୟନ୍ତ୍ରଣ କରାଯାଇ ପାରିଥିଲା । ଏହା ମଧ୍ୟରେ ଦୀର୍ଘ ୧୨ବର୍ଷ ବିତିଯାଇ ଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ ଜାହାଜର ମାଲିକ ଏବଂ ଏହି ଘଟଣା ସହ ସଂପୃକ୍ତ କମ୍ପାନୀ ଓ ଅଧିକାରୀମାନଙ୍କ ପାଖରେ ତଦନ୍ତକାରୀ ସଂସ୍ଥା ପହଁଚି ପାରିନାହିଁ । ସୂଚନା ଥାଉକି, ଦୁର୍ଘଟଣାଗ୍ରସ୍ତ ଜାହାଜଟି ଏପର୍ଯ୍ୟନ୍ତ ଉଦ୍ଧାର ହୋଇ ନଥିବାରୁ ଏହା ଜାହାଜ ଓ ମାଛଧରା ବୋଟ୍ ଚଳାଚଳରେ ବିପଦ ସାଜିଛି । ସେଥିପାଇଁ ଅନେକ ସମୟରେ ଏହି ସ୍ଥାନରେ ଦୁର୍ଘଟଣା ଘଟୁଛି । ଓଡ଼ିଶା ସମାଚାର
