Saturday , April 1 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଫଳକରେ ସିମୀତ ପର୍ଯ୍ୟଟନସ୍ଥଳୀ ଗଦାଧର ପୀଠ

ଫଳକରେ ସିମୀତ ପର୍ଯ୍ୟଟନସ୍ଥଳୀ ଗଦାଧର ପୀଠ

ଗରଦପୁର, ୦୯/୦୯/୨୦୨୧(ଓଡ଼ିଶା ସମାଚାର)- ଚିତ୍ରୋତ୍ପଳା ନଦୀର ପ୍ରତ୍ୟେକ ବାଙ୍କରେ ମହାପୁରୁଷ, ଦେବା ଦେବୀମାନଙ୍କ ପୀଠସ୍ଥଳୀ ଅବସ୍ଥିତ । ଏହି ପୀଠମାନଙ୍କ ମଧ୍ୟରେ ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ସୁପୁତ୍ର ମହାପୁରୁଷ ଗଦାଧରଙ୍କ ପୀଠ ଅନ୍ୟତମ । ଚିତ୍ରୋତ୍ପଳା ନଦୀର ଉତର ପାଶ୍ୱର୍ କୋରୁଆ ଗ୍ରାମର ଶେଷଭାଗରେ ମହାପୁରୁଷ ଗଦାଧରଙ୍କର ସମାଧିସ୍ଥଳ ରହିଅଛି । ଏହି ପୀଠରେ ଅଧିଷ୍ଠାତ୍ରୀ ଦେବୀ କାପଡଚଣ୍ଡୀଙ୍କ ସହିତ ପଂଚମୁଖୀ ହନୁମାନ, ଶ୍ରୀ ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ସନ୍ତୋଷୀ ମନ୍ଦିର ବିରାଜମାନ କରୁଛନ୍ତି । ଏହି ପୀଠରେ ବିଭିନ୍ନ ପୂଜା ପାର୍ବଣରେ ଉତ୍ସବ ମାନ କରାଯାଇ ପୀଠର ଗୁଣଗାନ ଜନମାନସରେ ପ୍ରକାଶ ପାଉଛି । ଏଠାରେ ରାଧାକୃଷ୍ଣଙ୍କ ରାସ ପୂର୍ଣ୍ଣିମା, ଦୋଳପୂର୍ଣ୍ଣିମାରେ ଲଉଡି ପ୍ରତିଯୋଗିତା, ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ନିର୍ଦ୍ଧେଶରେ ପଂଚକୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ, ଚବିଶପ୍ରହର ନାମଯଜ୍ଞ, ମକର ସଂକ୍ରାନ୍ତି ଉତ୍ସବ ଓ ସାଧୁମେଳା ଅନ୍ୟତମ । ଓଡିଶା ବାହାରୁ ଓ ଓଡିଶାର ଅନ୍ୟ ଜିଲ୍ଲାରୁ ମହାପୁରୁଷ ଅଚୁ୍ୟତାନନ୍ଦ ପୀଠକୁ ଆସୁଥିବା ବହୁ ସାଧୁ ସନ୍ଥ, ପର୍ଯ୍ୟଟକ, ଗବେଷକ ଇତ୍ୟାଦି ବ୍ୟକ୍ତିବିଶେଷ ଅଚୁ୍ୟତାନନ୍ଦଙ୍କୁ ଦର୍ଶନ କରିବା ପରେ ଗଦାଧର ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି । ଏପରିକି ଉତ୍ସବମାନଙ୍କରେ ବହୁ ଶ୍ରଦ୍ଧାଳୁ, ଭକ୍ତମାନେ ସମାଗମ ହୋଇ ଏହି ପୀଠକୁ ଉତ୍ସବମୁଖର କରିବା ସହିତ ମହାପୁରୁଷ ଗଦାଧର ଏବଂ ଦେବାଦେବୀଙ୍କ ଦର୍ଶନ ଲାଭ କରି ପରମ ଶାନ୍ତି ଲାଭ କରିଥାନ୍ତି । ଆହୁରିମଧ୍ୟ ଏହାର ଶାନ୍ତ ପରିବେଶ ଓ ମନୋରମ ଦୃଶ୍ୟ ଯେ କେହି ବ୍ୟକ୍ତିକୁ ମାନସିକ ଶାନ୍ତି ପ୍ରଦାନ କରିଥାଏ ।

ମା’ କାପରଚଣ୍ଡୀଙ୍କ ମନ୍ଦିର

ପୁରାଣ ମୁତାବକ ମହାପୁରୁଷ ଅଚୁ୍ୟତାନନ୍ଦ ଦାସ କଟକ ଜିଲ୍ଲାର ସାଲେପୁର ନିକଟସ୍ଥ ତିଳକଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ସମୟରେ ଅଚୁ୍ୟତାନନ୍ଦଙ୍କୁ ରାଜା ରଘୁରାମଙ୍କ କନ୍ୟା ଚମ୍ପାବତୀ ବରଣ କରିବାକୁ ଚାହିଁଲେ ଏବଂ ଅଚୁ୍ୟତାନନ୍ଦଙ୍କ ବାରଣ ସତ୍ୱେ ଚମ୍ପାବତୀ ତାଙ୍କୁ ବରଣ କରିଥିଲେ । ୧୫୨୪ ମସିହା ଶ୍ରବଣା ନକ୍ଷତ୍ର, ମକର ରାଶି, ସୁନିଆ ଦ୍ୱାଦଶୀ ତିଥିରେ ତାଙ୍କ ଔରସରୁ ଏକ ପୁତ୍ର ସନ୍ତାନ ଜନ୍ମଗ୍ରହଣ କରିଥିଲା । ତାଙ୍କ ଶ୍ରଦ୍ଧା ନାମ ଥିଲା ବ୍ରଜମୋହନ । ବ୍ରଜମୋହନ ଖୁବ୍ କମ୍ ବୟସରୁ ବହୁ ଜ୍ଞାନର ଅଧିକାରୀ ହୋଇ ପାରିଥିଲେ । ବ୍ରଜମୋହନ/ଗଦାଧରଙ୍କ ଦ୍ୱାରା ବହୁ ଅଲୌକିକ ଘଟଣା ତାଙ୍କ ଜ୍ଞାନର ନିଦର୍ଶନ ପ୍ରଦାନ କରେ । ଦିନକର ଘଟଣା- ଅଚୁ୍ୟତାନନ୍ଦ ଠାକୁରଙ୍କ ପାଖରେ ଏକ କାକୁଡି ଭୋଗ କରିବା ମାନସିକ ରଖିଥିଲେ । ଗାଧୋଇ ଆସି ଦେଖିଲେ କାକୁଡି ଗଛରେ କାକୁଡି ନାହିଁ । ସେ ଗଦାଧରଙ୍କ ଉପରେ ବିରକ୍ତି ପ୍ରକାଶ କରିବାରୁ ଗଦାଧର ଗଛରେ କାକୁଡି ଥିବାର ପ୍ରକାଶ କରିଥିଲେ । ପରେ ଅଚୁ୍ୟତାନନ୍ଦ ଆସି ଗଛରେ କାକୁଡି ଥିବାର ଦେଖି ଚିନ୍ତାରେ ପଡିଯାଇଥିଲେ ।
ଅଚୁ୍ୟତାନନ୍ଦ ପୁତ୍ରର ବିଭିନ୍ନ ଅଲୌକିକ କାର୍ଯ୍ୟ ଦେଖି ଚିନ୍ତିତ ହେବା ସହିତ ପୁତ୍ରକୁ ଡାକି     ଏକତ୍ର ଏଠାରେ ରହିବା ଠିକ୍ ହେବ ନାହିଁ ବୋଲି କହିବା ପରେ ଗଦାଧର ଗୋପାଳମାନଙ୍କ ଦ୍ୱାରା ସବାରୀରେ ବସି ସେଠାରୁ ବାହାରିଗଲେ । ଚିତ୍ରୋତ୍ପଳା ନଦୀରେ ଏକ ଦୀପ ଭସାଇ ଦେଇ ଅଚୁ୍ୟତାନନ୍ଦ କହିଥିଲେ, ଯେଉଁ ବାଙ୍କରେ ଏହି ଦୀପ ଲାଗିବ ସେଠାରେ ତୁ ଅବସ୍ଥାନ କରିବୁ । ଦୀପଟି ଭାସି ଆସି ଏହି ବାଙ୍କରେ ଲାଗିବାରୁ ଗଦାଧର ସେଠାରେ ରହିବା ସହିତ ବାପାଙ୍କୁ ଖବର ଦେବାକୁ ଗୋପାଳମାନଙ୍କୁ କହିଥିଲେ ।
ଏହିଠାରେ ହେଉଥିବା ପଂଚକୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସମ୍ପନ୍ନ ହୋଇଥାଏ । ଏହି ମହଯଜ୍ଞରେ ଆଖପାଖ ଅଂଚଳ ତଥା ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଉପସ୍ଥିତ ରହି ଦୀପଦାନ କରି ପ୍ରସାଦ ସେବନ କରିଥାନ୍ତି ।
ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ଗଦାଧର ପୀଠ ପର୍ଯ୍ୟଟନସ୍ଥଳୀ ଭାବେ ୨୦୧୨ ମସିହାରେ ସ୍ଥାନ ପାଇଥିଲେ ମଧ୍ୟ ସରକାରଙ୍କ ତରଫରୁ କେବଳ ଗୋଟିଏ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଫଳକ ମରାଯିବା ସହିତ ପୀଠର ଉନ୍ନତି ପାଇଁ ସେଭଳି ଆଖିଦୃଶିଆ କୌଣସି କାର୍ଯ୍ୟକ୍ରମ କରାଯାଇନାହିଁ । କେବଳ ଶ୍ରଦ୍ଧାଳୁ, ସ୍ଥାନୀୟ ଜନସାଧାରଣ ଏବଂ ସ୍ୱର୍ଗତ ରାଘବାନନ୍ଦ ଦାସଙ୍କ ଦ୍ୱାରା ବିଶ୍ୱଶାନ୍ତି ମହାଯଜ୍ଞ ଘର, ନାମଯଜ୍ଞ ଘର, ଗଦାଧରଙ୍କ ସମ୍ମୁଖ ଚଟାଣ, ହନୁମାନ, ମା’ ସନ୍ତୋଷୀ ଏବଂ ମା’ କାପରଚଣ୍ଡୀଙ୍କ ମନ୍ଦିର ଏବଂ ବାବାଙ୍କ ରହିବା ପାଇଁ ଏକ ଦ୍ୱିତଳ ବିଶିଷ୍ଟ ଛାତ ଘର ତିଆରି କରାଯାଇଛି । ଏପରିକି ପୀଠକୁ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନାହିଁ । ଭକ୍ତମାନେ ଏକ କିଲୋମିଟର ଦୂରରେ ତାଙ୍କର ମଟରଗାଡି ରଖି ପୀଠ ପାଖକୁ ପାଦରେ ଚାଲି ଚାଲି ଯାଆନ୍ତି । ଗମନାଗମନର ସୁବିଧା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଭଲ ରାସ୍ତାଟିଏ ଏପର୍ଯ୍ୟନ୍ତ ହୋଇପାରିନାହିଁ । ୨୦୧୯ ମସିହାରେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଗଦାଧର ପୀଠକୁ ପରିଦର୍ଶନରେ ଆସି ପୀଠର ପାରିପାର୍ଶିକ ପରିବେଶ ଦେଖି ସନ୍ତୋଷ ପ୍ରକଟ କରିଥିଲେ । ତେବେ ରାସ୍ତାର ଦୂରାବସ୍ଥା ଦେଖି ତୁରନ୍ତ ପ୍ରତିକାର ପାଇଁ ନିର୍ଦ୍ଧେଶ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କଂକ୍ରିଟ୍ ରାସ୍ତା ହୋଇପାରିନାହିଁ । ଆହୁରିମଧ୍ୟ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ ନିମନ୍ତେ ଏକ ଉଦ୍ୟାନ କରାଯାଉଥିଲେ ମଧ୍ୟ ପ୍ରଶାସନିକ ଅବହେଳା ପାଇଁ ତାର କାର୍ଯ୍ୟ ଅଧାପନ୍ତରିଆ ହୋଇପଡିରହିଛି । ପୀଠରେ ପର୍ଯ୍ୟଟକମାନଙ୍କ ରହିବା ନିମନ୍ତେ ଏକ ଦ୍ୱିତଳବିଶିଷ୍ଟ ପ୍ରାସାଦ ନିର୍ମାଣ କରାଗଲେ ପର୍ଯ୍ୟଟକମାନେ ଏହି ପୀଠକୁ ଆସିବା ପାଇଁ ଆଗ୍ରହ ପ୍ରକଟ କରନ୍ତେ । ତେଣୁ ଗଦାଧର ପୀଠକୁ ଗମନାଗମନର ସୁବିଧା ସହିତ ପର୍ଯ୍ୟଟନସ୍ଥଳୀର ଉନ୍ନତିକ୍ଷେତ୍ରରେ ସରକାରୀ ଓ ବେସରକାରୀ ସ୍ତରରେ ପ୍ରଚେଷ୍ଟା ଜାରି ରଖିଲେ ଅବହେଳିତ ହୋଇ ରହିଥିବା ଗଦାଧର ପୀଠର ବିକାଶ ହୋଇପାରନ୍ତା । ଓଡ଼ିଶା ସମାଚାର

Leave a Reply

Your email address will not be published.