Sunday , October 1 2023
Home / କୃଷି / ଗରଦପୁର ବ୍ଲକ୍ ରେ ଧାର୍ଯ୍ୟ ଲକ୍ଷ ଠାରୁ ବହୁ ଦୂରରେ ‘ବଳରାମ ଯୋଜନା’

ଗରଦପୁର ବ୍ଲକ୍ ରେ ଧାର୍ଯ୍ୟ ଲକ୍ଷ ଠାରୁ ବହୁ ଦୂରରେ ‘ବଳରାମ ଯୋଜନା’

ଗରଦପୁର , ୦୯/୦୯/୨୦୨୧(ଓଡ଼ିଶା ସମାଚାର)- ଭୂମିହୀନ ଓ ଭାଗ ଚାଷୀମାନଙ୍କୁ ସହଜରେ କୃଷି ଋଣ ଯୋଗାଣ କରାଯିବା ପାଇଁ ସରକାର ‘ବଳାରାମ’ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନାରେ ୪ଜଣରୁ୧୦ ଜଣ ପର୍ଯ୍ୟନ୍ତ ଭୂମିହୀନ ଓ ଭାଗଚାଷୀମାନଙ୍କୁ ନେଇ କୃଷି ବିଭାଗ ପକ୍ଷରୁ ଗୃପ୍ ଗଠନ କରାଯିବା ପରେ ସମ୍ପୃକ୍ତ ସମବାୟ ବ୍ୟାଙ୍କ ସେହି ଗୃପ୍ ଗୁଡିକୁ ୧ଲକ୍ଷ ୬୦ହଜାର ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦେଇ ପାରିବେ ବୋଲି ଗରଦପୁର ବ୍ଳକର ‘ଆତ୍ମା’ ଅଧ୍ୟକ୍ଷ ଦୀପକ୍ କୁମାର ରାଉତ କହିଛନ୍ତି । ଗରଦପୁର ବ୍ଳକ୍ରେ ଥିବା ସେବା ସମବାୟ ସମିତି ଅଧିନରେ ରହିଥିବା ରାଜସ୍ୱ ଗ୍ରାମଗୁଡିକର ଭାଗଚାଷୀ ଓ ଭୂମିହୀନ ଚାଷୀମାନଙ୍କୁ ନେଇ ୧ମ ପର୍ଯ୍ୟାୟରେ ୩୬୦ ଗୃପ୍ ଗଠନ କରାଯିବା ପାଇଁ ପ୍ରଶାସନଙ୍କ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇିଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଗୃପ୍ ଗୁଡିକ ଗଠନ କରାଯାଇଥିବାରୁ ଜିଲା ପ୍ରଶାସନ ଏହି ବ୍ଳକ୍କୁ ୨ୟ ପର୍ଯ୍ୟାୟରେ ୫୪୦ଗୃପ୍ ଗଠନ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଗରଦପୁର ବ୍ଲକରେ ମୋଟ ୯ଶହ ଗୃପ୍ ଗଠନ କରାଯାଇ ଚାଷୀମାନଙ୍କୁ ଋଣ ଯୋଗାଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମାତ୍ର ଆଜି ପର୍ଯ୍ୟନ୍ତ ମୋଟ ୩୮୦ ଗୋଟି ଗୃପ୍ ଗଠନଛି । ଏହି ଗୃପ୍ ରେ ମୋଟ୨୧୮୦ଜଣ ଚାଷୀ ସଂଯୁକ୍ତ ରହିଥିବା ଆତ୍ମାର ଅଧ୍ୟକ୍ଷ ଶ୍ରୀ ରାଉତ ସୂଚନା ଦେଇଛନ୍ତି । ଗରଦପୁର ବ୍ଳକରେ ମୋଟ ୯ଗୋଟି ସେବା ସମବାୟ ସମିତି ରହିଛି । ସେଥିମଧ୍ୟରୁ ବଡବେତ୍ରା ସେବା ସମବାୟ ସମିତି ଦୀର୍ଘ ଦେଢ ବର୍ଷ ହେଲା ବନ୍ଦ ରହିଛି । ଫଳରେ ଏହି ସେବା ସମବାୟ ସମିତି ଅଧିନରେ ରହିଥିବା ରାଜସ୍ୱ ଗ୍ରାମଗୁଡିକର ଭାଗ ଚାଷୀମାନେ ଏହି ଯୋଜନାରେ ସାମିଲ ହୋଇ ପାରୁ ନ ଥିବା ଆତ୍ମା କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି । ଗରଦପୁର ତହସିଲଦାର ଅଶୋକ କୁମାର ବେହେରା ଏହି ଯୋଜନାର ବ୍ଲକ୍ ନୋଡାଲ ଅଧିକାରୀ ରହିଛନ୍ତି । ଏ ସମ୍ପର୍କରେ ତହସିଲଦାର ଶ୍ରୀ ବେହେରାଙ୍କୁ ପଚାରିବାରେ ସେ କହନ୍ତି ଯେ,ବଡବେତ୍ରା ସେବା ସମବାୟ ସମିତିର ସମସ୍ୟା ମାନ୍ୟବର ଉଚ୍ଚନ୍ୟାୟାଳୟରେ ବିଚାରାଧିନ ରହିଛି । ଏଥି ପାଇଁ ବଡବେତ୍ରା ସେବା ସମବାୟ ସମିତି ଅଧିନରେ ଥିବା ଚାଷୀମାନଙ୍କ ପାଇଁ ସମସ୍ୟା ଦେଖାଯାଇଛି । ଗଠନ କରାଯାଇଥିବା ଗୃପ୍ ଗୁଡିକୁ ଚଳିତ ଖରିଫ୍ ଋତୁରେ ଅଗ୍ରାଧିକାର ଭିତିିରେ କୃଷି ଋଣ ଯୋଗାଣ କରାଯିବ ପାଇଁ ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଗରଦପୁର ବ୍ଳକରେ ଗଠନ କରାଯାଇଥିବା ଗୃପ୍ ଗୁଡିକୁ କୋରୁଆ ଠାରେ ଥିବା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଋଣ ଯୋଗାଣ କରିବ ବୋଲି ଲକ୍ଷ୍ୟ ରଖାଯାଇଛି । ଏହି ଗୃପ୍ ଗଠନ କାର୍ଯ୍ୟକୁ ଆଗେଇ ନେବା ପାଇଁ ଗରଦପୁର ବ୍ଳକ୍ ଆତ୍ମା କାର୍ଯ୍ୟାଳୟରେ କୃଷି ବିଭାଗ,ରାଜସ୍ୱ ବିଭାଗର ବିଭାଗୀୟ ଅଧିକାରୀମାନେ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି । ଖରିଫ୍ ଚାଷ କାର୍ଯ୍ୟ ଶେଷ ହେବାକୁ ବସିଥିବାବେଳେ, କୃଷି ଋଣ ଯୋଗାଣରେ ବିଳମ୍ବ ହେଉଥିବାରୁ କେତେକ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ବଳରାମ ଯୋଜନାରେ ସମ୍ପୃକ୍ତ ଥିବା ଚାଷୀମାନଙ୍କୁ ତୁରନ୍ତ ଋଣ ଯୋଗାଣ ବ୍ୟବସ୍ଥା କରାଯିବା ପାଇଁ ଭାଗ ଚାଷୀ ଓ ଭୂମିହୀନ ଚାଷୀମାନଙ୍କ ପକ୍ଷରୁ ଦାବି କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *