ପାରାଦୀପ ୦୮/୦୯/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ତୈଳବିଶୋଧନାଗାର ଫାଟକ ନିକଟରେ ଆଜି ଶବରଖି କ୍ଷତି ପୂରଣ ଦାବି ନେଇ ପରିବାର ବର୍ଗ ଧାରଣରେ ବସିଛନ୍ତି । ଘଟଣାରୁ ପ୍ରକାଶ ଗତକାଲି ପାରାଦୀପ ରିଫାଇନେରୀ ଟାଉନସିପରେ ବିପିନ ବିହାରୀ ମଲ୍ଲିକ କାର୍ଯ୍ୟ କରୁଥିବା ସମୟରେ ତାଙ୍କର ଗୋଡ ଶିଉଳିରେ ଖସି ତଳେ ପଡି ଯାଇଥିଲେ । କିଛି ସମୟ ପରେ ଶରୀରରେ ଅସୁସ୍ଥତା ଅନୁଭବ କରି କମ୍ପାନୀର ସୁପରଭାଇଜରଙ୍କୁ ଜଣାଇବା ପରେ ତାଙ୍କୁ ପ୍ରଥମେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି କଟକ ମେଡିକାଲ ଚିକିତ୍ସା ପାଇଁ ପଠାଇ ଦେଇଥିଲେ । ତେବେ କଟକ ମେଡିକାଲ ଡାକ୍ତର ଶ୍ରୀ ମଲ୍ଲିକଙ୍କୁ ମୃତ ଘୋଷଣା କରିଥିଲେ । ତେଣୁ ଆଜି ସକାଳୁ ମୃତ ବିପିନଙ୍କ ପରିବାର ଲୋକଙ୍କ ସମେତ ସାଥି ଶ୍ରମିକ ମାନେ କମ୍ପାନୀ ଫାଟକ ନିକଟରେ କ୍ଷତି ପୂରଣ ଦାବୀ କରି ଶବରଖି ଧାରଣାରେ ବସଥିବା ଦେଖିବାକୁ ମିଳିଛି । ମୃତ ବିପିନ ପରିବାରର ଏକମାତ୍ର ରୋଜଗାରକ୍ଷମ ହୋଇଥିବା ବେଳେ ତାଙ୍କର ତିନି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ତେବେ ଶ୍ରମିକ ମାନଙ୍କ ସହବନ୍ଧିତ ସଂସ୍ଥା ପାରାଦୀପ ଏରସମା ଶିଳ୍ପାଂଚଳ ଶ୍ରମିକ ସଂଘର ତୈଳବିଶୋଧନାଗାରରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ମୃତୁ୍ୟ ବରଣ କରିଥିବା ଶ୍ରମିକଙ୍କ ପରିବାରର ଜଣକୁ ନିଯୁକ୍ତି କରାଯିବା ସହିତ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ, କିନ୍ତୁ କମ୍ପାନୀ କର୍ତୃପକ୍ଷ ମୃତ ବିପିନଙ୍କ ଝିଅକୁ ନିଯୁକ୍ତି ସହ ଏକ ଲକ୍ଷ ଟଙ୍କା ଦେବା ପାଇଁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଓଡ଼ିଶା ସମାଚାର