Monday , September 25 2023
Breaking News
Home / ବିଶେଷ / ଗଛମୂଳେ ବସି ଅଭିଯୋଗ ଶୁଣିଲେ ସାଂସଦ ଅନୁଭବ

ଗଛମୂଳେ ବସି ଅଭିଯୋଗ ଶୁଣିଲେ ସାଂସଦ ଅନୁଭବ

କେନ୍ଦ୍ରାପଡ଼ା, ୦୮/୦୯/୨୦୨୧(ଓଡ଼ିଶା ସମାଚାର)-ସର୍ବଦା ଚର୍ଚ୍ଚାରେ ରହୁଥିବା କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତି ମଙ୍ଗଳବାର ଗଛମୂଳେ ବସି ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଶୁଣି ଆଉ ଏକ ଚର୍ଚ୍ଚାର ପରିଦ୍ଧିକୁ ଆସିଛନ୍ତି । ସାଂସଦ ଶ୍ରୀ ମହାନ୍ତି ସାଧାରଣ ଲୋକଙ୍କ ସହ କଥା ହେବା ସହ ସେମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ସେହି ଗଛ ମୂଳରୁ ଫୋନ କରି ବିଭିନ୍ନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ଅପରାହ୍ନ ୪ଟା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ବଉଳ ଗଛ ମୂଳରେ । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ବଉଳ ଗଛ ମୂଳେ କିଛି ଲୋକ ବସିଥିଲେ । ସେମାନେ ଜିଲ୍ଲା ପ୍ରଶାସନକୁ ସେମାନଙ୍କ ବିଭିନ୍ନ ଦାବି ସମସ୍ୟା ସମ୍ପର୍କରେ ଅଭିଯୋଗ କରିବା ପାଇଁ ଆସିଥିଲେ । କିନ୍ତୁ ହଠାତ ସେଠାରେ କେନ୍ଦ୍ରାପଡ଼ା ସାଂସଦ ଶ୍ରୀ ମହାନ୍ତି ପହଂଚିଯାଇଥିଲେ । ଲୋକଙ୍କ ସହ କଥା ହେବାରେ ସେମାନେ କହିଥିଲେ ଯେ ବିଭିନ୍ନ ସମସ୍ୟା ନେଇ ସେମାନେ ଜିଲ୍ଲା ପ୍ରଶାସନ ନିକଟକୁ ଦୀର୍ଘଦିନ ହେବ ଦୌଡୁଛନ୍ତି । କିନ୍ତୁ ସେମାନଙ୍କ ସମସ୍ୟା ସମାଧାନ ହେଉନାହିଁ । ଏହା ଶୁଣିବା ପରେ ସାଂସଦ ଶ୍ରୀ ମହାନ୍ତି ତୁରନ୍ତ ବିଭାଗୀୟ ଅଧିକାରୀମାନଙ୍କ ନିକଟକୁ ଫୋନ କରିଥିଲେ । ଏଥିସହ ଲୋକଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ । ଶ୍ରୀ ମହାନ୍ତି ଗଛମୂଳେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଜାଣିବା ପରେ ବିଭାଗୀୟ ଅଧିକାରୀମାନେ ହଡ଼ବଡେଇ ଯାଇଥିଲେ । ଏହି ଘଟଣାର ଫଟୋ ଓ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି । ସାଂସଦଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ବେଶ ପ୍ରସଂଶା କରାଯାଉଥିବା ଦେଖିବାକୁ ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *