ଭୁବନେଶ୍ୱର,୦୫/୦୯/୨୦୨୧(ଓଡ଼ିଶା ସମାଚାର)- କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ସଂସ୍ଥା ତରଫରୁ ଚୌଦ୍ୱାର ବ୍ଲକ୍ ର କୋଚିଲା ନୂଆଗାଁର ଅଗ୍ରଣୀ ମତ୍ସ୍ୟଚାଷୀ ଶ୍ରୀ ରାଜେଶ ରଂଜନ ମହାପାତ୍ରଙ୍କ ଫାର୍ମରେ ଓଡିଶାର ପ୍ରଥମ ରଂଗୀନ ମାଛଚାଷ କ୍ଷେତ୍ର ବିଦ୍ୟାଳୟ ଆଇସିଏଆର୍-ସିଫାର ନିର୍ଦ୍ଧେଶକ ଡଃ ସରୋଜ କୁମାର ସ୍ୱାଇଁଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । ସିଫାଦ୍ୱାରା ପ୍ରଶିକ୍ଷଣପ୍ରାପ୍ତ ଶ୍ରୀ ମହାପାତ୍ରଙ୍କ ୬ ଏକର ପରିମିତ ଫାର୍ମରେ ଉଦ୍ଘାଟିତ ହୋଇଯାଇଥିବା ଏହି କ୍ଷେତ୍ରବିଦ୍ୟାଳୟଟି କୃଷକ-କୃଷକ ମଧ୍ୟରେ ଅନୁଭୂତି, କୌଶଳ ଓ ଭାବର ଆଦାନ ପ୍ରଦାନ ମାଧ୍ୟମରେ ରଂଗୀନ ମାଛଚାଷର ବୈଜ୍ଞାନିକ ପଦ୍ଧତିକୁ କୃଷକମାନଙ୍କ ନିକଟରେ ପହଂଚାଇବା ବିଶେଷକରି ଆଖପାଖ ଅଂଚଳର ତଫସିଲଭୁକ୍ତ ଜାତିର ମହିଳା ଓ କୃଷକମାନଙ୍କୁ ସଶକ୍ତିକରଣ କରିବାସହ ଏହି ବିଦ୍ୟାଳୟଟି ସଂପ୍ରସାରଣ ଓ କୃଷିମାର୍ଗଦର୍ଶନରେ ସହାୟକ ହେବବୋଲି ସିଫାର ନିର୍ଦ୍ଧେଶକ ପ୍ରକାଶ କରିବାସହ ଉପସ୍ଥିତ କୃଷକ ଓ ମହିଳା କୃଷିଜୀବିମାନଙ୍କୁ ରଂଗୀନ ମାଛଚାଷ କରି ଜୀବିକା ଉପାର୍ଜନକୁ ଦୃଢ଼କରିବାକୁ ପ୍ରବର୍ତାଇଥିଲେ ।କୃଷକମାନଙ୍କୁ ସିଫା ତରଫରୁ ସମସ୍ତ ବୈଷୟିକ ସହାୟତା ଯେଗାଇ ଦିଆଯିବବୋଲି ଡଃ ସ୍ୱାଇଁ କହିଥିଲେ ।ସିଫା ଜଳକୃଷି କ୍ଷେତ୍ରବିଦ୍ୟାଳୟକୁ ଏକ ପାଇଲଟ୍ ପ୍ରକଳ୍ପ ଭାବରେ ଓଡିଶା, ପଶ୍ଚିମବଂଗ, ଆସାମ, ଅରୁଣାଚଳ ପ୍ରଦେଶ ଓ ଛତିଶଗଡ଼ରେ କାର୍ଯ୍ୟକରି ଶତପ୍ରତିଶତ ସଫଳତା ପାଇ ଜନପ୍ରିୟ ହୋଇପାରିଛିବୋଲି ଡ଼ଃ ସ୍ୱାଇଁ ପ୍ରକାଶ କରିଥିଲେ ।ଏହି ଅବସରରେ ସିଫାର ସମାଜବିଜ୍ଞାନ ବିଭାଗ ପ୍ରମୁଖ ବୈଜ୍ଞାନିକ ତଥା ଏସ୍ସିଏସ୍ପି ପ୍ରକଳ୍ପର ଅଧ୍ୟକ୍ଷ ଡଃଏଚ୍. କେ. ଦେଓ ଉପାଧ୍ୟକ୍ଷ ଡଃ ଆଶିଷ ସାହାଜଳ କୃଷିକ୍ଷେତ୍ର ବିଦ୍ୟାଳୟ ଉପରେ ଆଲୋକପାତ କରିଥିଲେ । କଟକ କୃଷିବିଜ୍ଞାନ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡଃ ସୁଜାତା ସେଠୀଏହି ଉଦ୍ଘାଟନୀ ଉତ୍ସବରେ ଯୋଗଦାନ କରି ଆଇସିଏଆର୍-ସିଫାର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସିଫାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଇନ୍ଦ୍ରଭୁଷଣ କୁମାର ଓ ଏସ୍ସିଏସ୍ପିଟିମ୍ର ଅଧିକାରୀମାନେ ଯୋଗଦାନ କରିଥିଲେ ।କୋଭିଡ୍ ଗାଇଡ୍ ଲାଇନ୍ ଅନୁପାଳନ ପୂର୍ବକ ଏହି କାର୍ଯ୍ୟକ୍ରମ ସହ ରଂଗୀନ ମାଛଚାଷ ଉପରେ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ଅନୁଷ୍ଠିତ ପ୍ରଶ୍ନୋତର କାର୍ଯ୍ୟକ୍ରମରେ କୃଷକମାନଙ୍କର ପ୍ରଶ୍ନଗୁଡ଼ିକର ଉତର ବରିଷ୍ଠ ବୈଜ୍ଞାନିକମାନେ ପ୍ରଦାନ କରିଥିଲେ ।ଏହି ଅବସରରେ ଅନୁଷ୍ଠିତ ଏକ ଜଳ ଓ ମୃତିକା ପରୀକ୍ଷା ଶିବିରରେ କୃଷକମାନେ ସେମାନଙ୍କର ପୋଖରୀର ପାଣି ଓ ମାଟି ପରୀକ୍ଷା କରିଥିଲେ ।ଅଗ୍ରଣୀ ମତ୍ସ୍ୟଚାଷୀ ଶ୍ରୀ ରାଜେଶ ରଂଜନ ମହାପାତ୍ର ଓ ଅନ୍ନଦା ପ୍ରସାଦ ସୁବୁଦ୍ଧିରାୟଙ୍କୁ ସିଫାର ନିର୍ଦ୍ଧେଶକ ସମ୍ମାନୀତ କରିଥିଲେ । ପ୍ରାୟ ୫୦ ଜଣ ମତ୍ସ୍ୟଚାଷୀ ଓ ମହିଳା ମତ୍ସ୍ୟଜୀବି ଯୋଗଦାନ କରିଥିବା ଏହି କାର୍ଯ୍ୟକ୍ରମକୁ ସିଫାର ପ୍ରଧାନ ବୈଜ୍ଞାନିକ ଡଃ ସତ୍ୟ ନାରାୟଣ ସେଠୀ ସଂଯୋଜନା କରିଥିବାବେଳେ ବରିଷ୍ଠ ବୈଷୟିକ ଅଧିକାରୀ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।ଓଡ଼ିଶା ସମାଚାର