କେନ୍ଦ୍ରାପଡ଼ା, ୦୪/୦୯/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ବିବାଦୀୟ ନିଷ୍ପତିି ନେଇ ସର୍ବଦା ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି । ୭ମାସ ତଳେ ବାରୋ ଗ୍ରାମର ଜଣେ ବରିଷ୍ଠ ନାଗରିକ ପଂଚାୟତର ଏକ ଦୁର୍ନୀତି ଘଟଣା ସମ୍ପର୍କରେ ଅଭିଯୋଗ କରିବାକୁ ଆସିଥିବା ବେଳେ ତାଙ୍କୁ ଅସଦ ବ୍ୟବହାର ପ୍ରଦର୍ଶନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଜିଲ୍ଲାପାଳ ଅମ୍ରିତ ଋତୁରାଜ । ସେହିପରି ମାତ୍ର ୫ମାସ ତଳେ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କୁ ବିନା କାରଣରେ ଦାୟୀତ୍ୱରୁ ଭାରମୁକ୍ତ କରିଦେଇ ଜଣେ ବିବାଦୀୟ ସରକାରୀ ଅଧିକାରୀଙ୍କୁ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦାୟୀତ୍ୱ ପ୍ରଦାନ କରିଥିଲେ । ତଦନାନ୍ତୀନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବେହେରା ଉତ୍କଳ ଦିବସ ପାଳନ ନିମନ୍ତେ ଅତିଥି ଭାବେ ଯୋଗଦେବାକୁ ଥିବା ବ୍ୟକ୍ତି ବିଶେଷଙ୍କ ନାମ ଫାଇଲରେ ଜିଲ୍ଲାପାଳଙ୍କ ଠାରୁ ଅନୁମୋଦନ ଆଣିଥିଲେ ।

କିନ୍ତୁ ନିମନ୍ତ୍ରଣ କାର୍ଡ ସେହି ଅତିଥିମାନଙ୍କୁ ବାଂଟିବା ପୂର୍ବରୁ ଜିଲ୍ଲାପାଳଙ୍କ ଅନୁମତି ଆଣି ନଥିବାରୁ ତାଙ୍କୁ ହଠାତ ଦାୟୀତ୍ୱରୁ ଭାରମୁକ୍ତ କରିଦେଇଥିଲେ ଜିଲ୍ଲାପାଳ ଶ୍ରୀ ଋତୁରାଜ । ସେହିପରି ଗତ ଅଗଷ୍ଟମାସ ୨୩ତାରିଖରେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ)ବସନ୍ତ କୁମାର ରାଉତଙ୍କ ଠାରୁ ସମସ୍ତ କ୍ଷମତା ଅପସାରଣ କରିନେଇଛନ୍ତି ଜିଲ୍ଲାପାଳ ଶ୍ରୀ ଋତୁରାଜ । ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ସେକସନ ଗୁଡିକ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ଶ୍ରୀ ରାଉତଙ୍କ ପାଖରୁ ପ୍ରତ୍ୟାହାର କରିନେବା ସହ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା ଙ୍କୁ ସେହିସବୁ ସେକସନର ଦାୟୀତ୍ୱ ପ୍ରଦାନ କରିଛନ୍ତି । ଜିଲ୍ଲା କାର୍ଯ୍ୟାଳୟର କୌଣସି ସେକସନର ଫାଇଲ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତଙ୍କ ପାଖକୁ ଯିବ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ଋତୁରାଜ ନିର୍ଦେଶ ଦେଇଥିଲେ । କିଛିଦିନ ତଳେ ଜିଲ୍ଲା ବାହାରୁ କେତେକ ଓ.ଏ.ଏସ. ଅଧିକାରୀ ପ୍ରଶିକ୍ଷଣ ନେବାକୁ ଏହି ଜିଲ୍ଲାକୁ ଆସିଥିଲେ । ସେମାନଙ୍କୁ ପ୍ରଶିକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦେଶନାମାରେ ଉଲ୍ଲେଖ ରହିଥିଲା ଯେ ପ୍ରଶିକ୍ଷଣ ସମାପ୍ତି ଦିନ ହିଁ ସେମାନଙ୍କୁ ଏହି ଜିଲ୍ଲାରୁ ଭାରମୁକ୍ତ କରି ଦିଆଯିବ । ସେହି ନିର୍ଦେଶନାମା ଅନୁଯାଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ସେହି ଓ.ଏ.ଏସ. ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ସମାପ୍ତି ଦିନ ଭାରମୁକ୍ତ କରିଦେଇଥିଲେ । କିନ୍ତୁ ଏହି ଭାରମୁକ୍ତ ପୂର୍ବରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କ ଠାରୁ ଅନୁମତି ନେଇନଥିଲେ । ଯେଉଁଥି ପାଇଁ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତଙ୍କ ଠାରୁ ସମସ୍ତ କ୍ଷମତା ପ୍ରତ୍ୟାହାର କରିନେଇଥିବା ଭଳି ପରିସ୍ଥିତି ଉପୁଜିଛି । ଏଭଳି ଭାବରେ ଗୋଟିଏ ପରେ ଗୋଟିଏ ବିବାଦୀୟ ନିଷ୍ପତି ନେଇ ଜିଲ୍ଲାପାଳ ସର୍ବଦା ଚର୍ଚ୍ଚାରେ ରହି ଆସିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ସାଧାରଣ ଲୋକଟିଏ ମାଇଲ ମାଇଲ ଦୂରରୁ ନିଜର ଅଭିଯୋଗଟି ନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ଆସିଥିବା ବେଳେ ଏଠାରେ ସେହି ଲୋକଟି କେଭେବି ଜିଲ୍ଲାପାଳଙ୍କ ସାକ୍ଷାତ ପାଇବା ସମ୍ଭବ ହୁଏନାହିଁ । ହୁଏତ ସେହି ଲୋକଟି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିବ ନଚେତ ବାଧ୍ୟ ହୋଇ ଫେରିଯିବ । ଟେଲିଫୋନରେ ମଧ୍ୟ ଜିଲ୍ଲାପାଳଙ୍କ ସହ ସାଧାରଣ ଲୋକଟି କଥା ଭିନ୍ନ ସରକାରୀ ଅଧିକାରୀ ବି ଯୋଗାଯୋଗ କରିବା ସମ୍ଭବ ହୁଏନାହିଁ । କେବଳ ହ୍ୱାଟସ ଆପ ଜରିଆରେ ଯାହା ସରକାରୀ ଅଧିକାରୀମାନେ କେବଳ ମେସେଜ ଦେବାକୁ ବାଧ୍ୟ ହୋଇଥାନ୍ତି । ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଓ ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ଜିଲ୍ଲାପାଳ ଏଭଳି ଭାବରେ କେନ୍ଦ୍ରାପଡା ଜିଲ୍ଲାର ବିକାଶ କରିଥାନ୍ତି । ଜଣେ ଉଚ୍ଚ ପଦସ୍ଥ ସରକାରୀ ଅଧିକାରୀ ଭାବେ ପ୍ରଥମେ ନିଜର ଅହଙ୍କାର, ବଡିମା ଓ ଅସୂୟାଭାବକୁ ପରିତ୍ୟାଗ କରିବା ସହ ସମସ୍ତଙ୍କ ପ୍ରତି ଉତମ ବ୍ୟବହାର ପ୍ରଦର୍ଶନ କରିବା ଆବଶ୍ୟକ । ଜିଲ୍ଲାର ବିକାଶ ଓ ସର୍ବସାଧାରଣଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ମଧ୍ୟ ନିତ୍ୟାନ୍ତ ଜରୁରୀ ଅଟେ । ତେଣୁ ଉପରିସ୍ଥ ଉଚ୍ଚ ଅଧିକାରୀ ଏବଂ ରାଜ୍ୟ ସରକାର ଏଥିପ୍ରତି ଆବଶ୍ୟକ ଦୃଷ୍ଟି ଦେବାକୁ କେନ୍ଦ୍ରାପଡାର ବୁଦ୍ଧିଜିବି, ବରିଷ୍ଠ ନାଗରିକମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର