Saturday , December 10 2022
Home / ବିଶେଷ / ପୌରସଂସ୍ଥା ସେପ୍ଟେଜ ଟ୍ରିଟମେଂଟ ପ୍ଲାନ୍ଟ କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ

ପୌରସଂସ୍ଥା ସେପ୍ଟେଜ ଟ୍ରିଟମେଂଟ ପ୍ଲାନ୍ଟ କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ

କେନ୍ଦ୍ରାପଡ଼ା, ୦୪/୦୯/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରସଂସ୍ଥା ପକ୍ଷରୁ ଓଡିଶୋ ମୌଜାରେ ଏକ ସେପ୍ଟେଜ ଟ୍ରିଟମେଂଟ ପ୍ଲାନ୍ଟ ନିର୍ମାଣ ନିମନ୍ତେ ସ୍ୱାୟତ ଶାାସନ ଦିବସ ପାଳନ ଅବସରରେ ଶିଳାନ୍ୟାସ କରାଯାଇଥିଲା । ସେହି ପ୍ଲାନ୍ଟନିର୍ମାଣକୁ ବିରୋଧ କରି ମୀରପାଟଣା, ଗୌଡଗୋପ, ଓଡିଶୋ ଏବଂ ମେହେମୁଦାବାଦ ଗ୍ରାମବାସୀଙ୍କ ପକ୍ଷରୁ ଶୁକ୍ରବାର ପୌରସଂସ୍ଥା କାର୍ୟ୍ୟାଳୟ ସମ୍ମୁଖରେ ଏବଂ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି । ସେଠାରେ ସେପ୍ଟେଜ ଟ୍ରିଟମେଂଟ ପ୍ଲାନ୍ଟ ନିର୍ମାଣ ହେଲେ ଗ୍ରାମବାସୀଙ୍କ ଅଶେଷ କ୍ଷତିସାଧନ ହେବା ସହିତ ଜୀବନଜୀବିକା ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପୌରାଂଚଳର ୱାର୍ଡ ନମ୍ବର ୭ ଅଧିନରେ ଗୌଡଗୋପ, ମୀରପାଟଣା,ଓଡିଶୋ ଏବଂ ମେହେମୁଦାବାଦ ପ୍ରଭୃତି ଗ୍ରାମ ଗୁଡିକ ରହିଛି । ସେହି ୱାର୍ଡ ଦେଇ ଯାଇଥିବା ରେଳଷ୍ଟେସନ ଓ ଗୋବରୀ କେନାଲକୁ ସଂଯୋଗ କରୁଥିବା ପାଟନାଳି ସଂଲଗ୍ନ ଓଡିଶୋ ମୌଜାରେ ଥିବା ଏକ ଗୋଚର ଜମି ଡ୍ରେନେଜ ନିମନ୍ତେ ବ୍ୟବହାର ହୋଇଆସୁଛି । ସେହି ଜମି ଦେଇ ବର୍ଷାଜଳ, ଗୃହର ଆବର୍ଜ୍ଜନା ଏବଂ ନଳାର ଜଳ ପ୍ରଭୃତି ନିଷ୍କାସିତ ହୋଇଥାଏ । କିନ୍ତୁ ସେହି ଜମି ଉପରେ ପୌରସଂସ୍ଥା ପକ୍ଷରୁ ଏକ ମାଇକ୍ରୋ କମ୍ପୋଜିଟିଂ ସେଂଟର ନିର୍ମାଣ କାର୍ୟ୍ୟ ଚାଲିଥିବା ବେଳେ ଏବେ ସେପ୍ଟେଜ ଟ୍ରିଟମେଂଟ ପ୍ଲାନ୍ଟ ନିର୍ମାଣ ପାଇଁ ଶୁଭ ଦିଆଯାଇଛି । ପୂର୍ବରୁ ମାଇକ୍ରୋ କମ୍ପୋଜିଟିଂ ସେଂଟର ନିର୍ମାଣ କାର୍ୟ୍ୟ ନେଇଥିବା ଠିକାଦାର ପାଟନାଳିକୁ ବାଲିରେ ପୋତି ଅବରୋଧ କରିଥିବାରୁ ସ୍ଥାନୀୟ ବାସିନ୍ଦା ସମସ୍ୟା ଦେଇ ଗତି କରୁଛନ୍ତି । ଏଥିପାଇଁ ସେହି ଅଂଚଳର ପରିବେଶ ପ୍ରଭାବିତ ହେବା ସହ ଅଂଚଳବାସୀଙ୍କ ଗତାଗତ ଓ ଜଳ ନିଷ୍କାସନରେ ବାଧା ଉପୁଜିଛି । ସେହି ପ୍ରକଳ୍ପ ନିକଟରେ ଏକାଧିକ ଶିକ୍ଷାନୁଷ୍ଠାନ,ଧର୍ମାନୁଷ୍ଠାନ ରହିଥିବା ବେଳେ ବହୁ ପରିବାର ବସବାସ କରୁଛନ୍ତି । ଯଦି ପ୍ରକଳ୍ପ କାର୍ୟ୍ୟ ବନ୍ଦ କରାନଯାଏ ତେବେ ସ୍ଥାନୀୟ ଅଂଚଳରେ ହଜାର ହଜାର ଲୋକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭୋଗ କରିବେ ବୋଲି ଅଭିଯୋଗ ହୋଇଛି । ତେଣୁ ସେହି ଅଂଚଳବାସୀଙ୍କ ପକ୍ଷରୁ ସେକ ସଲାଉଦ୍ଧିନ, ମୀର ମହମ୍ମଦ ଅମୀର, ସେକ ଅବରାର ଆଲାମ, ସରୋଜ କୁମାର ସାହୁ, ମହମ୍ମଦ ଆଦିଲ, ସାଜିଦ ଖାନ, ସମସେର ଖାନ, ସେକ ଅଜମଜୁଲହା, ଲାଲା ଖାନ, ଅଜୟ ସ୍ୱାଇଁ, ଶିକ୍ଷକ ସୋଏବ ଅହେମଦ, ରମେଶ ଚନ୍ଦ୍ର ମାଝି, ପ୍ରକାଶ ସାହୁ, କୃଷ୍ଣ ଚନ୍ଦ୍ର ବେହେରା, ମୀର ମହମ୍ମଦ ଜାବିର, ସେକ ସଫିକ ପ୍ରମୁଖ ପୌରସଂସ୍ଥା କାର୍ୟ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ । ଯଦି ଏହି ପ୍ଲାନ୍ଟକୁ ବନ୍ଦ କରାନଯାଏ ତେବେ ଅଂଚଳବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି ।ଓଡ଼ିଶା ସମାଚାର

Leave a Reply

Your email address will not be published.