ମାହାଙ୍ଗା, ୦୧/୦୯/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )- ବଦଳିଯିବ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୋଠପଦା ଠାରେ ଥିବା ମିନି ଷ୍ଟାଡିୟମର ରୂପରେଖ । ଗ୍ରାମାଞ୍ଚଳରେ ନିର୍ମିତ ଏହି ଷ୍ଟାଡିୟମର ଉନ୍ନତିକରଣ ପାଇଁ ଏହା ମଧ୍ୟରେ ଷାଠିଏ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଯୋଗାଇଦିଆଯାଇଛି । ବୁଧବାର ପୂର୍ବାହ୍ନରେ ଏହି ମିନି ଷ୍ଟାଡିୟମ ଉନ୍ନତିକରଣ କାର୍ୟ୍ୟର ଭୂମି ପୂଜନ ସମ୍ପନ୍ନ ହୋଇଥିଲା । ସ୍ଥାନୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କ୍ରୀଡା ସଂଗଠକ ସୁଟୁ ଘୋଷ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ସାମ୍ବାଦିକ ଅଖିଳେଶ ମହାନ୍ତି ଯୋଗଦେଇଥିଲେ । କେବଳ ଗ୍ରାମାଞ୍ଚଳରେ କ୍ରୀଡାର ବିକାଶ ପାଇଁ ଏହି ଷ୍ଟାଡିୟମ ଅଧିକ ଫଳପ୍ରଦ ହୋଇପାରିବ ସେକଥା ନୁହେଁ, ବରଂ ଜିଲ୍ଲା ଠାରୁ ରାଜ୍ୟ ଓ ଜାତୀୟ କ୍ରୀଡା ପ୍ରଦର୍ଶନ ପାଇଁ ଏହି ମିନିଷ୍ଟାଡିୟମ କାର୍ୟ୍ୟ କରିବାର ସଂଭାବନା ସୃଷ୍ଟି ହୋଇଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ ଯୋଗୁଁ କୋଠପଦା ମିନି ଷ୍ଟାଡିୟମର ଭିତ୍ତିଭୂମି ବିକାଶ ନିମନ୍ତେ ସରକାରଙ୍କ ପକ୍ଷରୁ ପର୍ୟ୍ୟାପ୍ତ ପରିମାଣର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବାରୁ ଏହାକୁ ବିଭିନ୍ନ କ୍ରୀଡା ସଂଗଠନ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରୁ ସ୍ୱାଗତ କରାଯାଇଛି । ଏଠାରେ କ୍ରିକେଟ, ହକି, ଭଲି ଓ ଫୁଟବଲ ମ୍ୟାଚ ଠାରୁ ଆରମ୍ଭ କରି ବିଭିନ୍ନ ଆଥେଲିଟିକ ମ୍ୟାଚ ପ୍ରଦର୍ଶିତ ହେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବ୍ଲକ ଅଧ୍ୟକ୍ଷ କହିଥିଲେ । ଏପରିକି ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ ଏହି ଷ୍ଟାଡିୟମକୁ ଉପଯୋଗ କରାଯାଇପାରିବ ବୋଲି କ୍ରୀଡା ସଂଗଠକ ମାନେ ମତ ଦେଇଛନ୍ତି ।
ଆଜିର ଭୂମି ପୂଜନ କାର୍ୟ୍ୟକ୍ରମରେ କୁହୁଣ୍ଡା ପଞ୍ଚାୟତ ସରପଞ୍ଚ କଳ୍ପନା ଯେନା, ସମିତିସଭ୍ୟ ଲକ୍ଷ୍ମୀଧର ବେହେରା,ସାମାଜିକ କର୍ମୀ ରାଧାନାଥ ରାଉତ,ଶିକ୍ଷାବିତ ସତ୍ୟନାରାୟଣ ମହାନ୍ତି, ପୂର୍ବତନ ସମିତିସଭ୍ୟ ନିହାର ପଣ୍ଡା,ଶିକ୍ଷାବିତ ଅଲେଖ ଦାସ,ସାମାଜିକକର୍ମୀ ରାମଚନ୍ଦ୍ର ମହାପାତ୍ର, ଯୁବ ସଂଗଠକ ଗଣେଶ ବିହାରୀ,ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ,ସରପଞ୍ଚ ପ୍ରତିନିଧି ରଘୁନାଥ ଯେନା,ଅନନ୍ତ ସାହୁ, ଜଗନ୍ନାଥ ନାୟକ, ସୁଧାଂଶୁ ପାଣି,ଯୋଗେଶ ମହାନ୍ତି,ଶରତ ବେହେରା, ରତିକାନ୍ତ ପୃଷ୍ଟି, ବିଶ୍ୱରଂଜନ ଦାସ, ମନୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର