ଭୁବନେଶ୍ୱର,୩୧/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି ସେପ୍ଟେମ୍ବର ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍ ଜାରି କରାଯାଇଛି । ନୂଆ ଗାଇଡଲାଇନ୍ ସମ୍ପର୍କରେ ଏସ୍ଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ନୂଆ ଗାଇଡଲାଇନ୍ ଅନୁଯାୟୀ ସେପ୍ଟେମ୍ବର ୧ ତାରିଖରୁ ଅକ୍ଟୋବର ୧ ତାରିଖ ଯାଏଁ ନୂଆ କୋଭିଡ୍ ନିୟମ ବଳବତ୍ତର ରହିବ । ରାଜ୍ୟର ୩ ଟି ସହରରେ ବଳବତର ରହିଥିବା ସପ୍ତାହାନ୍ତ ସଟ୍ଡାଉନ୍କୁ ହଟାଯାଇଛି । ଏଣିକି କୌଣସି ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳରେ ସପ୍ତାହାନ୍ତ ସଟ୍ଡାଉନ୍ ଲାଗୁହେବ ନାହିଁ । ବିବାହ ଓ ସୁଦ୍ଧିକ୍ରିୟାରେ କାର୍ୟ୍ୟରେ ଏଣିତି ୨୫୦ ଜଣ ଉପସ୍ଥିତ ରହିପାରିବେ । ବିବାହ ଶୋଭାଯାତ୍ରାରେ ସର୍ବାଧିକ ୫୦ ଲୋକ ଏକତ୍ରିତ ହୋଇପାରିବେ । କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଅନୁମତି କ୍ରମେ ଏସବୁ କାର୍ୟ୍ୟ କରାଯାଇପାରିବ ।ପୂର୍ବରୁ ବିବାହ ଏବଂ ଅନ୍ତେଷ୍ଟି କ୍ରିୟାରେ ଅତିବେଶିରେ ୫୦ ଜଣ ଉପସ୍ଥିତ ରହିବା ନେଇ ନିୟମ ରହିଥିଲା । ରାଜ୍ୟରେ ଏଣିକି ସକାଳ ୫ଟାରୁ ରାତି ୧୦ଟା ଦୋକାନ ବଜାର ଖୋଲା ରହିପାରିବ । ରାତି ୧୦ଟାରୁ ଭୋର ୫ଟା ଯାଏଁ ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ୍କର୍ଫ୍ୟୁ ଜାରି ରହିବ । କେବଳ ଜରୁରୀ ସେବା ବ୍ୟତିତ ସାଧାରଣ ଯାଆସ ଉପରେ କଟକଣା ବଳବତ୍ତର ରହିବ । ଏଣିକି ପୂର୍ଣ୍ଣ କ୍ଷମତାରେ ସିନେମା ହଲ ଚାଲିପାରିବ । ରେଷ୍ଟୁରାଣ୍ଟ, ମଲ, ସିନେମା ହଲ, ଧାର୍ମିକ ସ୍ଥଳୀ କରୋନା କଟକଣା ମାନି ପୂର୍ବଭଳି ଜାରି ରହିବ । ସାମାଜିକ, ରାଜନୈତିକ, ସାଂସ୍କୃତିକ ଏବଂ ଧାର୍ମିକ କାର୍ୟ୍ୟକ୍ରମ ଉପରେ କଟକଣା ବଳବତ୍ତର ରହିବ ।ପ୍ରଦର୍ଶନୀ, ମେଳା ମହୋତ୍ସବ ଉପରେ କଟକଣା ଜାରି ରହିବ।
ତେବେ ଆଗକୁ ପାର୍ବଣଋତୁ ଥିବାରୁ, ଗତ ଅଗଷ୍ଟ ୯ରେ ଘୋଷିତ ଗାଇଡଲାଇନ ଅନୁଯାୟୀ ପୂଜାପାର୍ବଣ ଆୟୋଜନ କରାଯାଇପାରିବ ବୋଲି ଏସଆରସି କହିଛନ୍ତି । ଯଦି କୌଣସି ଅଞ୍ଚଳରେ ସଂକ୍ରମଣ ବୃଦ୍ଧିପାଏ ତେବେ ସ୍ଥାନୀୟ ପ୍ରଶାସନ ଚାହିଁଲେ ସାନି କଟକଣା ଲାଗୁ କରିପାରିବେ । ଲୋକମାନଙ୍କ ଜବୀନଜୀବିକାକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରାଯାଇଛି । କରୋନା ସଂକ୍ରମଣକୁ ରୋକିବା ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛନ୍ତି । ତେଣୁ ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍ କୋହଳ ହୋଇଥିଲେ ସୁଦ୍ଧା କୋଭିଡ ନିୟମ କଡାକଡି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ଜନସାଧାରଣଙ୍କୁ ଅପିଲ କରିଛନ୍ତି । ଓଡ଼ିଶା ସମାଚାର