କେନ୍ଦ୍ରାପଡ଼ା, ୩୧/୦୮/୨୦୨୧(ଓଡ଼ିଶା ସମାଚାର)-ଦୁହୁରିଆସ୍ଥିତ ଯଜେ୍ଞଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ କେନ୍ଦ୍ରାପଡା ଜିଲ୍ଲାର ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନାରେ ଭତା ପାଉଥିବା ଓ ପାଉ ନଥିବା କଳାକାରମାନଙ୍କର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଗାୟକ ଗଗନ ବିହାରୀ ସିଂହଙ୍କ ନେତୃତ୍ୱରେ ଦୁଇଶହ କଳାକାର ଏହି ବୈଠକରେ ଯୋଗଦେଇ କଳାକାରଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସ୍ତରରେ ଜିଲ୍ଲା କଳା ସଂସ୍କୃତି ସଂଘ ନାମରେ ଏକ ସରକାରୀ ସଂଘ ଥିବାବେଳେ ବୈଠକରେ ସର୍ବସମ୍ମତି କ୍ରମେ କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକର କଳାକାରମାନଙ୍କୁ ନେଇ ଜିଲ୍ଲା ଲୋକକଳା ସଂସ୍କୃତି ସଂଘ ନାମକ ଅନ୍ୟ ଏକ ନୂତନ ସଂଘ ଗଠନ କରାଯାଇଥିଲା । ଏହି ନବ ଗଠିତ ସଂଘର ମୁଖ୍ୟଲକ୍ଷ୍ୟ ହେଉଛି ଜିଲ୍ଲାରେ କଳାକାରମାନଙ୍କ ସମସ୍ତ ଅସୁବିଧା ଓ ଅପ୍ରାସଙ୍ଗିକ କାର୍ଯ୍ୟକୁ ସମାଧାନ କରିବା ସହିତ ସମସ୍ତ ପ୍ରକାର କଳା ଦୁର୍ନୀତିକୁ ରୋକିବା ପାଇଁ ଉଦ୍ୟମ କରିବା । ଜିଲ୍ଲା ସଂସ୍କୃତି ଅଧିକାରୀ ପଦ ଦୀର୍ଘ ବର୍ଷ ଧରି ଖାଲି ପଡିଥିବାରୁ ସେହି ପଦ ପୁରଣ ନିମନ୍ତେ ଜିଲ୍ଲାପାଳ ଏବଂ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଧେଶକଙ୍କୁ ଅନୁରୋଧ କରାଯାଇ ଏକ ପ୍ରସ୍ତାବ ଗୃହିତ ହୋଇଥିଲା । ଏଥି ସହିତ ଜିଲ୍ଲା କଳା ସଂସ୍କୃତି ସଂଘର ବୈଠକ ନିମନ୍ତେ ଏକ ଗୃହ ଯୋଗାଇ ଦେବା, ଜିଲ୍ଲାର କଳାକାର ଭତା ପାଉଥିବା କଳାକାରମାନଙ୍କୁ ପରିଚୟ ପତ୍ର ପ୍ରଦାନ, ସରକାରୀ ସଚେତନତା ମୂଳକ କାର୍ଯ୍ୟକ୍ରମ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଦିଆନଯାଇ ବ୍ଲକ କଳା ସଂସ୍କୃତି ସଂଘ ମାଧ୍ୟମରେ ପ୍ରଦାନ କରାଯିବା ପ୍ରଭୃତି ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଥିଲା । ବୈଠକରେ ସର୍ବସମ୍ମତି କ୍ରମେ ଜିଲ୍ଲାର ଲୋକକଳା ସଂସ୍କୃତି ସଂଘର ସଭାପତିଭାବେ ପ୍ରକୃତି ବନ୍ଧୁ ଗାୟକ ଗଗନ ବିହାରୀ ସିଂହ, ଉପସଭାପତି ଭାବେ ଗାୟକ କ୍ଷୀରୋଦ କୁମାର ନାଥ, ସମ୍ପାଦକ ଅଭୟ କୁମାର ଶତପଥୀ, ସହ ସମ୍ପାଦକ ସଦାନନ୍ଦ ଶତପଥୀ, କୋଷାଧ୍ୟକ୍ଷ ଅଶୋକ ରଣା, ସହ କୋଷାଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଉପଦେଷ୍ଟା ମଣ୍ଡଳୀର ସଦସ୍ୟଭାବେ ମାର୍ଶାଘାଇ ବ୍ଲକରୁ ସୁବ୍ରତ କୁମାର ରାଉତ ଓ ସ୍ୱର୍ଣ୍ଣପ୍ରଭା ଲେଙ୍କା, ଡେରାବିଶ ବ୍ଲକରୁ ଜେନାମଣୀ ବଳ ଓ ଯଶୋବନ୍ତ ପଣ୍ଡା, ମହାକାଳପଡା ବ୍ଲକରୁ ଅକ୍ଷୟ କୁମାର ବାରିକ, ଆଳି ବ୍ଲକରୁ ଲକ୍ଷ୍ମୀପ୍ରିୟା ଧଳଙ୍କୁ ନିର୍ବାଚିତ କରାଯାଇଥିବା ବେଳେ ସଂଘର ସଦସ୍ୟଭାବରେ ଗରଦପୁର ବ୍ଲକର ଭଞ୍ଜ କିଶୋର ମହାରଣା, ମାର୍ଶାଘାଇ ବ୍ଲକର ରବିନ୍ଦ୍ରନାଥ ସାହୁ, ଆଳି ବ୍ଲକର ବିଶି କେଶନ ମହାନ୍ତି, ପଟ୍ଟାମୁଣ୍ଡାଇ ବ୍ଲକର ନାରାୟଣ ଦାସ ଓ ବୃନ୍ଦାବନ ଦାସ, କେନ୍ଦ୍ରାପଡା ବ୍ଲକର ଗଣେଶ ଚନ୍ଦ୍ର ରାଉତ, ଶରତ ଚନ୍ଦ୍ର ସ୍ୱାଇଁ ଓ କାର୍ତିକ ଚନ୍ଦ୍ର ପତି, ରାଜକନିକା ବ୍ଲକର ଅଭୟ ବାରିକ, ଡେରାବିଶ ବ୍ଲକର ଶରତ ଚନ୍ଦ୍ର ଜେନା ଓ ଆଳି ବ୍ଲକର ଦିଲ୍ଲୀପ କୁମାର ପରିଡାଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିବା ସଂଘର ସଭାପତି ଶ୍ରୀ ସିଂହ ଜଣାଇଛନ୍ତି । ଓଡ଼ିଶା ସମାଚାର