ହିଞ୍ଜିଳିକାଟୁ, ୨୨/୦୮/୨୦୨୧(ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ଦୁଇ ଦଶନ୍ଧିରୁ ଊଦ୍ଧ୍ୱର୍ ସମୟ ଧରି ରାଜ୍ୟରେ କ୍ଷମତା କେନ୍ଦ୍ରରେ ରହିଥିବା ବେଳେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇ ଆସୁଛନ୍ତି । ଏହି ଦୃଷ୍ଟିରୁ ରାଜନୈତିକ ଭାବରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ସହଯୋଗରେ ହିଞ୍ଜିଳିକୁ ବିକାଶର ପ୍ରୟୋଗଶାଳାରେ ରୂପାନ୍ତରିତ କରାଯାଉଛି । ରାଜ୍ୟରେ ପ୍ରଥମଥର ପାଇଁ ହିଞ୍ଜିଳି ଅଂଚଳର ସମସ୍ତ ଉଚ୍ଚ ବିଦ୍ୟାଳୟମାନଙ୍କରେ ସ୍ମାର୍ଟକ୍ଲାସ ରୁମର ବ୍ୟବସ୍ଥା କରାଯାଇଛି । ସ୍ମାର୍ଟ କ୍ଲାସ ରୁମଗୁଡ଼ିକରେ ପୂର୍ବରୁ ବ୍ୟବହାର ହେଉଥିବା କଳାପଟା ବଦଳରେ ଏଲଇଡ଼ି ସ୍କି୍ରନ୍, ଛାତ୍ରଛାତ୍ରୀମାନେ ବସିବା ପାଇଁ ଅତ୍ୟାଧୁନିକ ଚେୟାର ଟେବୁଲ, ପିଇବା ପାଇଁ ସ୍ୱଚ୍ଛ ପାନୀୟ ଜଳ, ଇ-ଲାଇବ୍ରେରୀ ଆଦି ଅନେକ ବ୍ୟବସ୍ଥା ରହିଛି । ତେଣୁ ଏହି ସ୍ମାର୍ଟ ରୁମଗୁଡ଼ିକ ସାରା ରାଜ୍ୟରେ ଉଦାହରଣ ସାଜିବା ସହ ରାଜ୍ୟର ଅନ୍ୟ ବିଦ୍ୟାଳୟଗୁଡ଼ିକୁ ଏହି ଢ଼ାଂଚାରେ ରୂପାନ୍ତରିତ କରିବା ପାଇଁ ତଥା ଅନ୍ୟାନ୍ୟ ବିକାଶମୂଳକ ପଦକ୍ଷେପକୁ ଦେଖି ତାହାକୁ ନିଜ ନିଜ ଅଂଚଳରେ ପ୍ରୟୋଗ କରିବା ପାଇଁ ଆସନ୍ତା ୨୧ରୁ ୩୦ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ରାଜ୍ୟର ୧୧୧ ବିଧାୟକ ହିଞ୍ଜିଳି ଆସି ମଡ଼େଲ ହିଞ୍ଜିଳି ବୁଲି ଦେଖିବାର କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ୨୧, ୨୨, ୨୬, ୨୮ ଏବଂ ୩୦ ତାରିଖରେ ବିଧାୟକମାନଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ବିଧାୟକମାନଙ୍କ ଗସ୍ତ ପୂର୍ବରୁ ସହରକୁ ସୌନ୍ଦର୍ଯ୍ୟକରଣ କରାଯାଉଛି । ପ୍ରକାଶଥାଉକି ପୂର୍ବରୁ ଗଣଶିକ୍ଷା ବିଭାଗ ସଚିବଙ୍କଠାରୁ ଆରମ୍ଭ କରି ୫-ଟି ସଚିବଙ୍କ ପର୍ଯ୍ୟନ୍ତ ଅନେକ ଅଧିକାରୀ ଆସି ଏହାକୁ ଦେଖି ସମୀକ୍ଷା କରି ଯାଇଛନ୍ତି । ବିଧାୟକମାନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ପ୍ରତ୍ୟେକ ବିଦ୍ୟାଳୟ ପାଇଁ ଜଣେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଓ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ନୋଡ଼ାଲ ଅଫିସର ଭାବରେ ସାମୟିକ ଭାବରେ ନିଯୁକ୍ତ କରାଯାଇଛି । ଓଡ଼ିଶା ସମାଚାର