Thursday , September 28 2023
Home / ବିଶେଷ / ଭୁବନେଶ୍ୱରରେ ଏନ୍ଏଚ୍ ଓ ଏନଏଚ୍ଏଆଇ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱରରେ ଏନ୍ଏଚ୍ ଓ ଏନଏଚ୍ଏଆଇ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା

କୋଷ୍ଟାଲ ହାଇୱେ, ଭୁବନେଶ୍ୱର ରିଙ୍ଗ୍ ରୋଡ୍, ପାରାଦୀପ-ବଡ଼ବିଲ ସହିତ ରାଜ୍ୟର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୨୨/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୁବନେଶ୍ୱର ଠାରେ ଏନଏଚ୍ ଏବଂ ଏନଏଚଏଆଇର ଅଧିକାରୀଙ୍କ ସହ ରାଜ୍ୟରେ କ୍ରିୟାନ୍ୱୟନ ହେଉଥିବା ଜାତୀୟ ରାଜପଥ ପ୍ରକଳ୍ପ ଉପରେ ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପର କାମ ଶେଷ ହେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ରାଜପଥ ପ୍ରକଳ୍ପ ଯଥା ଭାରତମାଳା ଯୋଜନାରେ କୋଷ୍ଟାଲ ହାଇୱେ ପ୍ରକଳ୍ପର ଅଗ୍ରଗତି, ଭୁବନେଶ୍ୱର ରିଙ୍ଗ୍ ରୋଡ୍ ପ୍ରକଳ୍ପ, ପାରାଦୀପ ଠାରୁ ବଡ଼ବିଲ ମଧ୍ୟରେ ପ୍ରସ୍ତାବିତ ୮ ଲେନ୍ ବିଶିଷ୍ଟ ଅର୍ଥନୈତିକ କୋରିଡ଼ର ଏବଂ ରାଜ୍ୟରେ ନିର୍ମାଣାଧୀନ ବିଭିନ୍ନ ରାଜପଥ ପ୍ରକଳ୍ପ ସହ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ଉପରେ ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ ପରିକଳ୍ପନାରେ ପୂର୍ବ ଭାରତର ଭିତିଭୂମି ବିକାଶ ହେବ ଏବଂ ପୂର୍ବ ଭାରତର ବିକାଶର କେନ୍ଦ୍ର ବିନ୍ଦୁରେ ଓଡ଼ିଶା ରହିବ । ଏହି ସମସ୍ତ ପ୍ରକଳ୍ପ କିଭଳି ନିର୍ଦ୍ଧାରିତ ସମୟରେ ଶେଷ ହେବ ସେ ନେଇ ସମୀକ୍ଷା ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଓଡିଶାରେ ଜାତୀୟ ରାଜପଥ ପ୍ରକଳ୍ପକୁ ଗୁରୁତ୍ୱ ଦେଉଛନ୍ତି । ସେହିପରି ଓଡିଶାର ଅର୍ଥନୀତିରେ ଗୁରୁତ୍ୱ ବହନ କରୁଥିବା କୋଷ୍ଟାଲ ହାଇୱେକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମରୁ ରାଜ୍ୟ ସରକାର ଏବଂ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ବୈଠକ କରି ଆସୁଛନ୍ତି । ଏହି ପ୍ରକଳ୍ପ ହେଉଛି କେନ୍ଦ୍ରମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ । ରାଜ୍ୟରେ ଚାଲୁଥିବା ଏନ୍ ଏଚ୍ ଆଇ ପ୍ରକଳ୍ପ ଓଡିଶାର ଅର୍ଥନୀତିକୁ ସୁଦୃଢ଼ କରିବା ସେଙ୍ଗସେଙ୍ଗ ଯୁବକଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରିବ । ପର୍ଯ୍ୟଟନ ଶିଳ୍ପକୁ ତ୍ୱରାନ୍ୱିତ କରିବା ସହ ପଣ୍ୟାଗାର ପରିବହନରେ ବିଶେଷ ଭାବରେ ସହାୟକ ହେବ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *