ଭୁବନେଶ୍ୱର,୨୨/୦୮/୨୦୨୧(ଓଡ଼ିଶା ସମାଚାର)- ଶ୍ରାବଣ ପୂର୍ଣମା ତିଥିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୫୯ତମ ଜନ୍ମ ତିଥି ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଥାନୀୟ କଳିଙ୍ଗ ଡାକ୍ତରଖାନା ନିକଟ ଉକ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୂର୍ବାହ୍ନ ୮ ଟା ୩୦ ମିନିଟ ସମୟରେ କୋଭିଡ-୧୯ ରୋଗ କଟକଣା ନିୟମ ପାଳନ କରି ସାଧାରଣ ସମ୍ପାଦକ ଡା ରାଧାନାଥ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କବିଙ୍କ କାବ୍ୟିକ ପ୍ରତିଭା ତଥା ଗୁଣାବଳୀର ସ୍ମୃତିଚରଣ କରାଯାଇ କୁହାଯାଇଥିଲା ଯେ ମଧ୍ୟ ଯୁଗୀୟ କବିବର ରାଧାନାଥ ରାୟ, ପ୍ରକୃତି କବି ଗଙ୍ଗାଧର ମେହେର ଓ ଭକ୍ତକବି ମଧୁସୂଦନ ରାଓଙ୍କ କାବ୍ୟ ଏବଂ କବିତାବଳୀ ଓଡିଆ ସାରସ୍ଵତ ଭଣ୍ଡାରର ତ୍ରିବେଣୀ ଧାରା ସଦୃଶ୍ୟ ଅଟେ। ଗଙ୍ଗାଧରଙ୍କ କାବ୍ୟ ବିଶେଷ କରି ତପସ୍ଵିନୀର ପ୍ରକୃତି ବର୍ଣ୍ଣନା ମହାକବି କାଳିଦାସଙ୍କର ମେଘଦୂତ ଏବଂ କୁମାର ସମ୍ଭବ ବର୍ଣ୍ଣନା ସ୍ତରର ଅଟେ। ତେଣୁ ଉକ୍ତ ପ୍ରେକ୍ଷାରେ ମେହେର ମହୋଦୟଙ୍କୁ ଓଡିଶାର କାଳିଦାସ ତଥା ଦ୍ଵିତୀୟ ମହାକବି ଭାବରେ ଅଭିହିତ କରାଯିବ ଉଚିତ ବୋଲି ମତ ପ୍ରକାଶ ପାଇଥିଲା। ଅଧିକନ୍ତୁ ଓଡିଆ ଭାଷାର ଘୋର ସଙ୍କଟ ସମୟରେ ତାଙ୍କ ସଂସ୍କାରମୂଳକ କାଳଜୟୀ ସୃଷ୍ଟି ଓଡିଆ ଭାଷାର ଅସ୍ତିତ୍ଵ ରକ୍ଷା ଦିଗରେ ଏକ ଦିଗ ବାରେଣୀର ଭୂମିକା ନିର୍ବାହ ପୂର୍ବକ ପରୋକ୍ଷରେ ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନ ଏବଂ ନିକଟ ଅତୀତରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବାର ଗୁରୁତ୍ବପୂର୍ଣ ଉପାଦାନ ଯୋଗାଇ ଦେଇଅଛି ଏଥିରେ କୌଣସି ଦ୍ଵିରୁକ୍ତି ନାହିଁ। ସୁତରାଂ ଯେତେଦିନ ପର୍ଯ୍ୟନ୍ତ ଓଡିଆ ଭାଷା ଥିବ ଗଙ୍ଗାଧର ମେହେର ଏ ଜାତିର ପ୍ରାତଃ ସ୍ମରଣୀୟ ହୋଇ ରହିବା ଅନସ୍ଵୀକାର୍ଯ୍ୟ ବୋଲି ସର୍ବ ସମ୍ମତ ସ୍ବୀକୃତି ପ୍ରକାଶ ପାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡା କାଶୀନାଥ ରଥ, ତ୍ରିନାଥ ସାମନ୍ତରାୟ, ପଠାଣି ଜେନା, ଗିରିଜା ଶଙ୍କର ମହାପାତ୍ର, ଯୁଗଳ କିଶୋର ନାୟକ, ପ୍ରଦୀପ କୁମାର ଖୁଣ୍ଟିଆ, କାଳନ୍ଦି ନାୟକ, ବୈରାଗୀ ସେଠୀ, ଭରତ କୁମାର ଜେନା, ସନ୍ତୋଷ କୁମାର ମହାପାତ୍ର, ବ୍ରଜବନ୍ଧୁ ପରିଡା, ଦିବାକର ବଳବନ୍ତରାୟ, ଜୟକୃଷ୍ଣ ସାହୁ, ଧନେଶ୍ଵର ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ତ୍ରିନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ସମାଚାର