କେନ୍ଦ୍ରାପଡ଼ା, ୨୧/୦୮/୨୦୨୧(ଓଡ଼ିଶା ସମାଚାର)- ରାଜକନିକା ଖରସ୍ରୋତା ନଦୀରେ ପାନୀୟ ଜଳ ପ୍ରକଳ୍ପ ବିରୁଦ୍ଧରେ ଅନଶନକରି ଏବେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକତ୍ିସାଳୟରେ ଚିକିତ୍ସାଧିନ ଥିବା ସମ୍ଭାବନା ସ୍ୱେଛାସେବୀ ଅନୁଷ୍ଠାନର ଶ୍ରୀକାନ୍ତ ନାୟକଙ୍କୁ ଦୀର୍ଘ ୧୨ଦିନ ପରେ ଶନିବାର ଅପରାହ୍ନରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଭେଟି ଛନ୍ତି । ଜିଲ୍ଲାପାଳ ଶ୍ରୀ ଋତୁରାଜ ଶ୍ରୀକାନ୍ତଙ୍କୁ ଅନଶନ ଭଙ୍ଗ କରିବା ସହ ଆସନ୍ତା ୨୪ତାରିଖରେ ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଯୋଗଦେବାକୁ ଅନୁରୋଧ କରିଥିଲେ । ଶ୍ରୀକାନ୍ତଙ୍କର ଏହି ପ୍ରକଳ୍ପ ସମ୍ପର୍କରେ ଯାହା କହିବାର ଅଛି ସେ ବୈଠକରେ ସେ ସମ୍ପର୍କରେ ପ୍ରସ୍ତାବ ପ୍ରଦାନ କରିବାକୁ କହିଥିଲେ । ଶ୍ରୀକାନ୍ତଙ୍କ ପ୍ରସ୍ତାବକୁ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ବିଚାର ପାଇଁ ପଠାଇବେ ବୋଲି କହିଥିଲେ । ଶ୍ରୀକାନ୍ତ ଜିଲ୍ଲାପାଳଙ୍କୁ କହିଥିଲେ ଯେ ଇକୋ ସେନସେଟିଭ ଜୋନର ଉଚ୍ଚସ୍ତରୀୟ କମିଟି ବୈଠକରେ ଯେଉଁ ପ୍ରସ୍ତାବ ଗୃହିତ ହୋଇଛି ସେ ସମ୍ପର୍କିତ ବୈଠକର ବିବରଣୀ(ରିଜୋଲେସନ) ପ୍ରଥମେ ତାଙ୍କୁ ପ୍ରଦାନ କରାଯାଉ । ଏଥିସହିତ ଜାତୀୟ ସ୍ତରର ଏକ ବିଶେଷଜ୍ଞ କମିଟି ଦ୍ୱାରା ଖରସ୍ରୋତା ନଦୀ ଜଳ ପ୍ରକଳ୍ପ ସମ୍ପର୍କରେ ଯାଂଚ କରାଯିବା ପରେ ସେହି ରିପୋର୍ଟ ଅନୁଯାଇ ନିଷ୍ପତିି ଗ୍ରହଣ କରାଯାଉ ବୋଲି ଶ୍ରୀକାନ୍ତ ଜିଲ୍ଲାପାଳଙ୍କଲୁ କହିଥିଲେ । ଖରସ୍ରୋତା ନଦୀରେ ଜଳ ପ୍ରକଳ୍ପ ହେଲେ ତାହା ଭିତରକନିକାର ଜୈବ ବିବିଧତାକୁ ନଷ୍ଟ କରିଦେବ ବୋଲି ଶ୍ରୀକାନ୍ତ ଜିଲ୍ଲାପାଳଙ୍କୁ କହିଥିଲେ । କିନ୍ତୁ ଜିଲ୍ଲାପାଳ ସେସବୁ କଥା କିଛି ଶୁଣିବାକୁ ପ୍ରସ୍ତୁତ ନଥିବା ଶ୍ରୀକାନ୍ତ କହିଛନ୍ତି । ଓଡ଼ିଶା ସମାଚାର