ନିରାକାରପୁର, ୨୧/୦୮/୨୦୨୧(ଓଡ଼ିଶା ସମାଚାର)-ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ସହ ୯ ଦଫା ଦାବି ନେଇ ବିଦ୍ୟୁତ ଉପଭୋକ୍ତା ସଂଗ୍ରାମ ସମିତି ତରଫରୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବିଦ୍ୟୁତ ସେକ୍ସନରେ ଆଗରେ ବିକ୍ଷୋଭ କରିବା ପ୍ରଦର୍ଶନ କରାଯାଇଛି । ସୂଚନାଯୋଗ୍ୟ କି ରାଜ୍ୟରେ ଟାଟା ପାୱାର ବିଦ୍ୟୁତ ବିଭାଗ ଦାୟିତ୍ୱରେ ନେବା ପରଠାରୁ ଅଘୋଷିତ ବିଦ୍ୟୁତ କାଟଠାରୁ ଆରମ୍ଭ କରି ବିଦ୍ୟୁତ ଦେୟରେ ବିଭ୍ରାଟ ଦେଖାଯାଇଥିବା ଅଭିଯୋଗ ହେଉଛି । ପୂର୍ବରୁ ବିଦ୍ୟୁତ କାଟ ଏତେ ପରିମାଣର ନଥିବାବେଳେ ଏହି ସଂସ୍ଥା ହାତରେ ବଦ୍ୟୁତ ବିଭାଗ ଆସିବା ପରେ ଅଘୋଷିତ ଅନବରତ ବିଦ୍ୟୁତ କାଟ ହେବା ଏବେ ନିତିଦିନିଆ ଘଟଣାରେ ପରିଣତ ହେଲାଣି । ବାରମ୍ବାର ଅଘୋଷିତ ବିଦ୍ୟୁତକାଟ ବନ୍ଦ କରିବା , ବର୍ଦ୍ଧିିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାର କରିବା, ପ୍ରତ୍ୟେକ ମାସର ନିର୍ଦ୍ଧିାରିତ ତାରିଖରେ ସଠିକ ମିଟର ରିଡ଼ିଙ୍ଗ ନେବା ପାଇଁ, ବିଦ୍ୟୁତ ଉପଭୋକ୍ତାଙ୍କ ସଂଖ୍ୟାକୁ ନଜରରେ ରଖି ସମସ୍ତ ଟ୍ରାନ୍ସଫରମର ଗୁଡ଼ିକର ବିଦ୍ୟୁତ ଧାରଣ କ୍ଷମତାକୁ ବଢାଇବା,ଗରିବ ଖାଉଟି ଉପଭୋକ୍ତାଙ୍କୁ ମାଗଣା ବିଦ୍ୟୁତ ସଂଯୋଗ ପ୍ରଭୃତି ଭଳି ୯ ଦଫାର ଦାବି ପତ୍ର ଜଙ୍କିଆ ବିଦ୍ୟୁତ ବିଭାଗ ଏସଡ଼ିଓଙ୍କୁ ପ୍ରଦାନ କରାଯାଇଥିଲା । ପାଗ ଖରାପ ଥିବା ସତ୍ୱେ ସଂଗ୍ରାମ ସମିତିର ଏକ ଶୋଭାଯାତ୍ରା ନିରାକାରପୁର ରେଳ ଷ୍ଟେସନ ବାହାରି ବଜାର ପରିକ୍ରମା କରି ନିରାକାରପୁର ବିଦ୍ୟୁତ ସେକ୍ସନ କାର୍ଯ୍ୟାଳୟଠାରେ ପହଂଚିଥିଲା । ପରେ ସେଠାରେ ଆନ୍ଦୋଳନକାରୀମାନେ ଟାଟା ପାୱାର ବିରୁଦ୍ଧରେ ନାରାବାଜି କରିଥିଲେ । ପରେ ୯ ଦଫା ସମ୍ବଳିତ ଏକ ଦାବିପତ୍ର ଜଙ୍କିଆ ଉପଖଣ୍ଡ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ଏହି ଆନ୍ଦୋଳନରେ ବିଧୂ ଭୂଷଣ ମହାରଣା, ଦୁର୍ଗାନାଥ ଶର୍ମା, ବିଜୟ କୁମାର ପାଲଟାସିଂହ, ପ୍ରଶାନ୍ତ କୁମାର ପାଟ୍ଟଶାଣୀ, ନୃସିଂହ ଦଳେଇ, ଗିରିଶ ଚନ୍ଦ୍ର ମହାରଣା ଓ ଅରକ୍ଷିତ ଦଳେଇ ପ୍ରମୁଖଙ୍କ ସମେତ ଶତାଧିକ ଉପଭୋକ୍ତା ଯୋଗଦେଇଥିଲେ । ଓଡ଼ିଶା ସମାଚାର