କେନ୍ଦ୍ରାପଡ଼ା, ୧୯/୦୮/୨୦୨୧(ଓଡ଼ିଶା ସମାଚାର)- ତିନିମୁହାଣି ଠାରୁ ଇଛାପୁର ଶ୍ରୀବଳଦେବଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ମରାମତି ପାଇଁ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଚିଠି ଲେଖିଛନ୍ତି । ଏଥିସହ ନିଜେ ସଂଚିତ କରି ରଖିଥିବା ଅର୍ଥକୁ ଏହି ରାସ୍ତା ମରାମତି କାର୍ଯ୍ୟରେ ବନିଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସେହି ଅର୍ଥକୁ ପଠାଇଛନ୍ତି ମଧୁସ୍ମିତା । ଏହି ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଏବେ ଚର୍ଚ୍ଚା ଜୋର ଧରିଛି । ସାଆନ୍ତସାହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରୀ ମଧୁସ୍ମିତା ପୃଷ୍ଟି । ସାଆନ୍ତ ସାହିର ପ୍ରଦୀପ ପୃଷ୍ଟିଙ୍କ ଝିଅ ହେଉଛନ୍ତି ମଧୁସ୍ମିତା । ମଧୁସ୍ମିତା ତାଙ୍କ ଚିଠିରେ ଲେଖିଛନ୍ତି ଯେ ତିନିମୁହାଣୀରୁ ବଳଦେବ ଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୬ କିଲୋମିଟର ରାସ୍ତାର ଅବସ୍ଥା ଦୀର୍ଘଦିନ ହେବ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ସେହି ରାସ୍ତାଟି ଖାଲଖମାରେ ଭର୍ତି ହୋଇଯାଇଥିବାରୁ ପ୍ରତିଦିନ ଦୁର୍ଘଟଣାମାନ ଘଟୁଛି । ବିଶେଷ କରି ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହା ଲୋକଙ୍କ ସମସ୍ୟାକୁ ବହୁଗୁଣିତ କରିଛି । ତେଣୁ ଏହି ରାସ୍ତାକୁ ତୁରନ୍ତ ମରାମତି କରାନଗଲେ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିବ । ମଧୁସ୍ମିତା କହିଛନ୍ତି ଏକ କୁମ୍ପିରେ ସେ ଅର୍ଥ ସଂଚୟ କରି ରଖିଥିଲେ । ଏହାକୁ ରାସ୍ତା ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ସେ ପୂର୍ବରୁ ଏହି ରାସ୍ତା ମରାମତି ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଅନୁରୋଧ ରକ୍ଷା କରି ତୁରନ୍ତ ରାସ୍ତା ମରାମତି କରିବେ ବୋଲି ସେ ଆଶା ଓ ବିଶ୍ୱାସ ରଖିଛନ୍ତି । ଓଡ଼ିଶା ସମାଚାର