Monday , March 27 2023
Breaking News
Home / କୃଷି / ରଂଗୀନ ମାଛ ଦ୍ୱାରା ତଫସିଲଭୁକ୍ତ ଜାତିର ମହିଳାଙ୍କ ବିକାଶ ପାଇଁ ସିଫାର ପ୍ରୟାସ

ରଂଗୀନ ମାଛ ଦ୍ୱାରା ତଫସିଲଭୁକ୍ତ ଜାତିର ମହିଳାଙ୍କ ବିକାଶ ପାଇଁ ସିଫାର ପ୍ରୟାସ

ଭୁବନେଶ୍ୱର,୧୯/୦୮/୨୦୨୧(ଓଡ଼ିଶା ସମାଚାର)-କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ପ୍ରତିଷ୍ଠାନ ଓ କେନ୍ଦ୍ରାପଡ଼ା ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ମିଳିତ ପ୍ରୟାସରେ କେନ୍ଦ୍ରାପଡ଼ା ଜିଲ୍ଲାର ଜଜାଙ୍ଗଠାରେ ତଫସିଲଭୁକ୍ତ ଜାତିର ମହିଳାଙ୍କ ବିକାଶ ପାଇଁ ରଂଗୀନ ମାଛ ଚାଷ ଶୀର୍ଷକ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସାରା ଭାରତରେ ତଫସିଲଭୁକ୍ତ ଜାତିର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସିଫା ବିରଳ ଜ୍ଞାନ କୌଶଳ ଯୋଗାଇ ଆସୁଛି ଓ ଏହିକ୍ରମରେ ଗତ ୨୦୧୯ ମସିହାରୁ ବୈଜ୍ଞାନିକ ପଦ୍ଧତିରେ ମାଛଚାଷ କରାଯାଇ ବିଭିନ୍ନ ସ୍ଥାନରେ କ୍ଷେତ୍ର ପ୍ରଦର୍ଶନ କରାଯାଇ ଆସୁଅଛି ।
ଚଳିତବର୍ଷ ଡେରାବିଶ ଓ କେନ୍ଦ୍ରାପଡ଼ାବ୍ଲକ୍ ର ସ୍ୱୟଂସହାୟିକା ସଭ୍ୟମାନଙ୍କୁ ରଂଗୀନ ମାଛଚାଷ ଓ ଜାଆଁଳ ଉତ୍ପାଦନ ସଂପର୍କିତ ପ୍ରଶିକ୍ଷଣ ଦିଆଯାଇଛି । ଏଥିନିମନ୍ତେ ଆୟୋଜିତ ଏକ ଉତ୍ସବରେ ଯୋଗଦାନ କରି କେନ୍ଦ୍ରାପଡ଼ା ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲାପାଳ ଶ୍ରୀ ଅମୃତ ରୁତୁରାଜ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଅନୁନ୍ନତ ଶ୍ରେଣୀର ଆର୍ଥିକ ମେରୁଦଣ୍ଡକୁ ଦୃଢ଼ କରିବାରେ ସିଫାର ଉଦ୍ୟମକୁ ପ୍ରଶଂସା କରିଥିଲେ । ସିଫାର ନିର୍ଦ୍ଧେଶକ ଡଃ ସରୋଜ କୁମାର ସ୍ୱାଇଁ କହିଥିଲେ ଯେ, ଅପପୁଷ୍ଟି ଓ ଦାରିଦ୍ର୍ୟକୁ ହଟାଇବା ପାଇଁ ଜଳଜୀବ ପାଳନ ତଥା ମାଛଚାଷ ଏକ ନିର୍ଭରଯୋଗ୍ୟ ଉପାୟ । ତେଣୁ ସିଫା, ରଂଗୀନ ମାଛଚାଷ ଓ ଖାଦ୍ୟ ପାଇଁ ମତ୍ସ୍ୟ ପାଳନ କରିବାକୁ ବିଭିନ୍ନ ପ୍ରକାର ଜ୍ଞାନକୌଶଳର ବିକାଶ କରିଆସୁଛି । ଦେଶର ବିଭିନ୍ନ ଜାଗାରେ ମହିଳାମାନେ ଘର ବାରିପଟେ ଏଭଳି ରଂଗୀନ ମାଛଚାଷ କରି ଲାଭବାନ ହେବାସହ ଦେଶର ଆର୍ଥିକ ମେରୁଦଣ୍ଡକୁ ଦୃଢ଼ କରୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସିଫାର ପ୍ରଧାନ ବୈଜ୍ଞାନିକ ଡଃ ଆଶିଷ ସାହା, ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ଆଇ. ବି. କୁମାର, ପ୍ରଧାନ ବୈଜ୍ଞାନିକ ଡଃ ସତ୍ୟନାରାୟଣ ସେଠୀ, କେନ୍ଦ୍ରାପଡ଼ା ଜିଲ୍ଲା ମତ୍ସ୍ୟ ଅଧିକାରୀ ଡଃ ମମତା ମହାପାତ୍ର, କେନ୍ଦ୍ରାପଡ଼ା କୃଷିବିଜ୍ଞାନ କେନ୍ଦ୍ରମୁଖ୍ୟ ଡଃ ସୂର୍ଯ୍ୟନାରାୟଣ ମିଶ୍ର, ଜିଲ୍ଲା ସ୍ତରୀୟ ଜୀବିକାମିଶନ ଓ ମିଶନଶକ୍ତିର ପଦାଧିକାରୀଙ୍କ ସମେତ ପ୍ରାୟ ୪୦ ଜଣ କୃଷକ ଯୋଗଦାନ କରିଥିଲେ । ଶେଷରେ ବରିଷ୍ଠ ବୈଷୟିକ ଅଧିକାରୀ ଶ୍ରୀ ଦୁର୍ଗାପ୍ରସାଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.