କେନ୍ଦ୍ରାପଡ଼ା,୧୯/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଭାରିଗଦାଠାରେ ପ୍ରସ୍ତାବିତ ଜଳପ୍ରକଳ୍ପ ବିରୋଧୀ ଲୋକଙ୍କୁ ଗିରଫଦାରୀ ଏବଂ ପୋଲିସ୍ ଆକ୍ରମଣକୁ ସିପିଆଇ, ସିପିଆଇ (ଏମ୍), ସିପିଆଇ (ଏମ୍-ଏଲ୍) ଲିବରେସନ ଏବଂ ଫରୱାର୍ଡ଼ ବ୍ଲକ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରି ନିନ୍ଦା କରାଯାଇ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । ରାଜକନିକା ଓ ଆଳି ଅଂଚଳବାସୀ ନିଜର ପାନୀୟ ଜଳ ପାଇଁ ୧୯୭୧ ମସିହାରୁ ଆନ୍ଦୋଳନ କରି ଆସୁଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକରୁ ୬ଟି ବ୍ଲକ ହେଉଛି ଲୁଣାପାଣି ଅଂଚଳ । ବର୍ତମାନ ସୁଦ୍ଧା ଏହି ଜଳ ସମସ୍ୟାର ସମାଧାନ ହୋଇନଥିବା ବେଳେ ରାଜ୍ୟ ସରକାର ଏହି ପ୍ରକଳ୍ପର ଡ଼ିପିଆର ବା ସବିଶେଷ ପ୍ରକଳ୍ପ ବିବରଣୀ ଜନସାଧାରଣଙ୍କ ଅବଗତି ନିମନ୍ତେ ସର୍ବସାଧାରଣରେ ପ୍ରକାଶ କରିନାହାଁନ୍ତି । ପଡ଼ୋଶୀ ଜିଲ୍ଲାର ତିନୋଟି ବ୍ଲକକୁ ପାନୀୟ ଜଳ ଯୋଗାଇଦେବା ପାଇଁ ଏହା କରାଯାଉଛି ବୋଲି ଯାହା କୁହାଯାଉଛି, ସେଥିରେ କୌଣସି ବାସ୍ତବତା ନାହିଁ । ସରକାରଙ୍କ ଅସଲ ଉଦ୍ଧେଶ୍ୟ ହେଉଛି ଲୋକଙ୍କ ନାମରେ ଧାମରାଠାରେ ଆଦାନୀର ସାମୁଦ୍ରିକ ବନ୍ଦର ଏବଂ ତାହାର କମ୍ପାନୀମାନଙ୍କୁ ପାଣି ଯୋଗାଇବା । ଏହା ଫଳରେ ଖରସ୍ରୋତା ନଦୀର ଜଳ ଅନୁପାତ, ଏହାର ତୀରବର୍ତୀ ଅଂଚଳର ଜଳ ସଙ୍କଟ, କୃଷି, ପରିବେଶ ଓ ଅଭୟାରଣ୍ୟ ଭିତରେ ଥିବା ‘ଭିତର କନିକା’ର ଜୈବ ବିବିଧତା ଉପରେ ଗଭୀର ପ୍ରଭାବ ସୃଷ୍ଟି କରିବ । ଖରସ୍ରୋତା ନଦୀର ଜଳପତନ ଅଣମୌସୁମୀ ସମୟରେ ହ୍ରାସ ପାଇବ । ନଦୀଦଳ ଲବଣାକ୍ତ ହୋଇଯିବ । ଏହି ଅଂଚଳରେ ଥିବା ୪୨୭ଟି ଉଠା ଜଳସେଚନ ପଏନ୍ଟ ପ୍ରଭାବିତ ହେବ । ଏହିସବୁ ଦୃଷ୍ଟିରୁ ଆଳି ବ୍ଲକର ୧୧୬ଟି ଗାଁ ଏବଂ ରାଜକନିକା ବ୍ଲକର ୧୬୨ଟି ଗାଁ ଏହାକୁ ବିରୋଧ କରୁଛନ୍ତି । ଏହି ସମସ୍ତ ବିଷୟଗୁଡ଼ିକ ପ୍ରତି ରାଜ୍ୟ ସରକାର ଆଦୌ ଧ୍ୟାନ ଦେଉନାହାଁନ୍ତି । ସରକାର ଏବଂ ପ୍ରଶାସନର ସ୍ୱଚ୍ଛ ଆଭିମୁଖ୍ୟ ନଥିବା ଯୋଗୁ ଲୋକଙ୍କ ମଧ୍ୟରେ ସନ୍ଦେହ ଘନୀଭୂତ ହୋଇଛି । ସ୍ଥାନୀୟ ଜନସାଧାରଣ ଅନ୍ୟ ଜିଲ୍ଲାକୁ ଜଳ ଦେବା ନିମନ୍ତେ ପ୍ରତିବାଦ କରିନାହାଁନ୍ତି । ଏଭଳି ଏକ ସମୟରେ ଗତ ଅଗଷ୍ଟ ୧୧ ତାରିଖରେ ଭାରିଗଦାଠାରେ ଆନ୍ଦୋଳନକାରୀ ଏବଂ ପୋଲିସ୍ ମଧ୍ୟରେ ଅଭାବନୀୟ ଘଟଣା ଘଟିଛି । ବର୍ତମାନ ସୁଦ୍ଧା ୨୫ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଛି । ହଜାର ହଜାର ଲୋକଙ୍କ ନାମରେ ମୋକଦ୍ଧମା ଦାୟର ହୋଇଛି । ମହିଳାମାନଙ୍କ ପ୍ରତି ଅସଭ୍ୟ ବ୍ୟବହାର କରାଯାଇ ସମ୍ପୃକ୍ତ ପୁରୁଷମାନଙ୍କୁ ରାତିଅଧିଆ ଗିରଫ କରାଯାଉଛି । ଏହି ଆକ୍ରମଣରୁ ରୋଗୀ ଏବଂ ବୃଦ୍ଧମାନେ ମଧ୍ୟ ବାଦ୍ ପଡ଼ିନାହାଁନ୍ତି । ଏହି ଘଟଣା ପରେ ଅଗଷ୍ଟ ୧୫ ତାରିଖ ଦିନ ୪ଟି ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଏକ ରାଜ୍ୟସ୍ତରୀୟ ପ୍ରତିନିଧି ଦଳ ଘଟଣାସ୍ଥଳ, ଆନ୍ଦୋଳନସ୍ଥଳ, ପ୍ରସ୍ତାବିତ ପ୍ରକଳ୍ପସ୍ଥଳ ପରିଦର୍ଶନ କରି ଏବଂ ପୀଡ଼ିତ ପରିବାରମାନଙ୍କୁ ସାକ୍ଷାତ୍ କରି ଫେରିଛନ୍ତି । ଏହି ପୃଷ୍ଠଭୂମିରେ ୪ଟି ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଖରସ୍ରୋତା ବଂଚାଅ ଆନ୍ଦୋଳନ ଏବଂ ଲୋକଙ୍କ ସମସ୍ୟାକୁ ଆଧାର କରି ରାଜ୍ୟ ସରକାର ‘ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି’ ଆନ୍ଦୋଳନକାରୀମାନଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା ନିମନ୍ତେ ନିମନ୍ତ୍ରଣ କରିବା, ଜନସାଧାରଣଙ୍କ ମନରେ ଘନୀଭୂତ ସନ୍ଦେହର ସମାଧାନ ନିମନ୍ତେ ଖରସ୍ରୋତାର ନିମ୍ନଭାଗରେ ଗୋଟିଏ ବ୍ୟାରେଜ (ଜଳ ସଂରକ୍ଷଣ ପାଇଁ) ନିର୍ମାଣ କରାଯୀବା, ଆଳି ଓ ରାଜକନିକାର ପ୍ରକଳ୍ପଗୁଡ଼ିକୁ ପ୍ରଥମେ ଅଗ୍ରାଧିକାର ଭିତିରେ ନିର୍ମାଣ କରାଯିବା, ଆନ୍ଦୋଳନକାରୀଙ୍କ ଉପରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯିବା, ବିନା ଅପରାଧରେ ଜେଲ୍ ରେ ଯନ୍ତ୍ରଣା ଭୋଗୁଥିବା ଆନ୍ଦୋଳନକାରୀଙ୍କୁ ଖଲାସ କରାଯିବା, ଏକ ସଫଳ ଏବଂ ସୌହାର୍ଦ୍ଧ୍ୟପୂର୍ଣ୍ଣ ଆଲୋଚନା ନିମନ୍ତେ ଅନୁକୂଳ ପରିବଶେ ସୃଷ୍ଟି କରାଯାଇ ସମସ୍ୟାର ସମାଧାନ ପର୍ଯ୍ୟନ୍ତ ଭାରିଗଦା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖାଯିବା ପ୍ରଭୃତି ଦାବି କରାଯାଇଛି । ଏହି ସମସ୍ତ ବିଷୟ ପ୍ରତି ଦୃଷ୍ଟି ଦେଇ ଜୀବନ, ଜୀବିକା, ପରିବେଶ, କୃଷି ଏବଂ ପାନୀୟ ଜଳର ସୁରକ୍ଷା ନିମନ୍ତେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସିପିଆଇ(ଏମ) ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସିପିଆଇ(ଏମଏଲ) ଲିବରେସନ କେନ୍ଦ୍ରୀୟ କମିଟି ସଦସ୍ୟ ରାଧାକାନ୍ତ ସେଠୀ, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରି ଯଥାର୍ଥ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ଦାବି କରିଥିଲେ । ଓଡ଼ିଶା ସମାଚାର