Monday , December 6 2021
Breaking News
Home / ବିଶେଷ / କେନ୍ଦ୍ରାପଡା ପଂଚମ ଜିଲ୍ଲା ପରିଷଦର ନବମ ସାଧାରଣ ବୈଠକ

କେନ୍ଦ୍ରାପଡା ପଂଚମ ଜିଲ୍ଲା ପରିଷଦର ନବମ ସାଧାରଣ ବୈଠକ

କେନ୍ଦ୍ରାପଡ଼ା, ୧୯/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପଂଚମ ଜିଲ୍ଲା ପରିଷଦର ନବମ ସାଧାରଣ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଡିଓମାନଙ୍କ ଅନୁପସ୍ଥିତିକୁ ନେଇ ପ୍ରଥମେ ହୋହଲ୍ଲା ଆରମ୍ଭ ହୋଇଥିଲା । ରାଜ୍ୟ ପଂଚଦଶ ଅର୍ଥ କମିଶନଙ୍କ ଦ୍ୱାରା ପ୍ରଦତ ଅନୁଦାନରେ ପ୍ରକଳ୍ପ ଜିଲ୍ଲା ପରିଷଦର ଅଗୋଚରରେ ମଞ୍ଜୁର କରାଯାଇଥିବାରୁ ଏନେଇ ଜିଲ୍ଲା ପରିଷଦର ସଭ୍ୟ ସନ୍ତୋଷ କୁମାରଜେନା, ନାରଦ ଚନ୍ଦ୍ର ବିଶ୍ୱାଳ, ଦେବବ୍ର ଚୌଧୁରୀ, ଦେବାଶିଷ ଦାସ ପ୍ରମୁଖ ନିଜ ସିଟରୁ ଯାଇ ମଂଚ ତଳେ କିଛି ସମୟ ପାଇଁ ଧାରଣାରେ ବସି ରହିଥିଲେ । ଜିଲ୍ଲା ପରିଷଦ ସଭାପତି ଶ୍ରୀ ପରିଡା ଓ ଜିଲ୍ଲାପାଳଙ୍କ ପ୍ରତିଶୃତି ମିଳିବା ପରେ ସେମାନେ ଧାରଣାରୁ  ଉଠି ଆଲୋଚନାରେ ଯୋଗଦେଇଥିଲେ । ବୈଠକରେ ଜିଲ୍ଲା ପରିଷଦର ଉପସଭାପତି ସୁମିତ୍ରା ସାହୁ, ଜିଲ୍ଲାପାଳ ତଥା ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଅମ୍ରିତ ଋତୁରାଜ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ କୁମାର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉପରେ ଆଲୋଚନା କରାଯାଇଥିଲା । ଏମଭି ଟ୍ୟାକ୍ସ ପ୍ରକଳ୍ପ ଗୁଡିକୁ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହମତିରେ କାର୍ଯ୍ୟକାରୀ କରିବାକୁ ବିଡିଓମାନଙ୍କୁ ଜିଲ୍ଲାପାଳ ଲିଖିତ ଭାବରେ ନିର୍ଦେଶ ଦେଇଥିଲେ । ମାର୍ଶାଘାଇ ବ୍ଲକର ମଙ୍ଗରାଜପୁର ପଂଚାୟତର ନଛିପଡା ଗ୍ରାମକୁ ପାଇପ ଯୋଗେ ପାନୀୟଜଳ ଅତିଶୀଘ୍ର ଯୋଗାଇଦେବାକୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ  । ଆଳି ବ୍ଲକର ଗୋବିନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଡାକ୍ତର ଛୁଟିରେ ଥିବାରୁ ସ୍ୱାସ୍ଥୟସେବା ବ୍ୟାହତ ହେଉଛି । ତୁରନ୍ତ ସେହି ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବର୍ହି ବିଭାଗରେ ସମସ୍ତ ବିଭାଗର ଡାକ୍ତର ରୋଗୀମାନଙ୍କୁ ଦେଖିବାର ବ୍ୟବସ୍ଥା କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେବା ସହ ଉଦ୍ୟାନକୃଷି ବିଭାଗର ସମସ୍ତ ସ୍କିମ ସମ୍ପର୍କରେ ଜିଲ୍ଲା ପରିଷଦର ସଭ୍ୟ/ସଭ୍ୟାମାନଙ୍କୁ ଅବଗତ କରିବା ପାଇଁ ବିଭାଗର ସହକାରୀ ନିର୍ଦେଶକଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ବୈଠକରେ କୃଷି,ଜଳସେଚନ, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ପ୍ରଭୃତି ସମ୍ପର୍କରେ ଥିବା ସମସ୍ୟା ଗୁଡିକ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ମନରେଗାରେ ହୋଇଥିବା କାର୍ଯ୍ୟ ଗୁଡିକର ବିଲ ପ୍ରକଳ୍ପ ନିର୍ଦେଶକଙ୍କ ନିକଟରେ ଦାଖଲ କଲେ ତାର ପେମେଂଟ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିବା ସହ ସମସ୍ତ ସଦସ୍ୟ,ସଦସ୍ୟାମାନେ ମନରେଗା ଯୋଜନାରେ କରିଥିବା ପ୍ରକଳ୍ପର ବିଲ ଗୁଡିକ ଯଥାଶୀଘ୍ର ଦାଖଲ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *