ଭୁବନେଶ୍ୱର,୧୯/୦୮/୨୦୨୧(ଓଡ଼ିଶା ସମାଚାର)- କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ସଂସ୍ଥା (ଆଇସିଏଆର୍-ସିଫା)ଠାରେ କଳାହାଣ୍ଡି ଜିଲ୍ଲାରେ ମାଛ ଚାଷର ଉନ୍ନତି ପାଇଁ କାର୍ପ ମାଛର ପ୍ରଜନନ ଓ ଜାଆଁଳ ଉତ୍ପାଦନ ପାଇଁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଅଗଷ୍ଟ ୧୬ ତାରିଖରେ ଆରମ୍ଭ ହୋଇ ୧୮ ତାରିଖରେ ଉଦଯାପିତ ହୋଇଯାଇଛି ।ଏହି ପ୍ରଶିକ୍ଷଣରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼, ଗୋଲମୁଣ୍ଡା, ମଦନପୁର, ରାମପୁର,କୋକସରା ଆଦି ବ୍ଲକର ଅଗ୍ରଣୀ ମାଛଚାଷୀ ମାନେ ଅଂଶଗ୍ରହଣ କରିଥିଲେ । ବଛାବଛା ୨୩ ଜଣ ମତ୍ସ୍ୟଚାଷୀ ଏଥିରେ ଭାଗନେଇଥିଲେ ।ଏହି ଶିବିରରେ ହାଚେରୀ ପ୍ରତିଷ୍ଠା, ନର୍ସରୀ ପ୍ରସ୍ତୁତି, ପ୍ର୍ରଜନନ, ନର୍ସରୀରେ ଜାଆଁଳ ପାଳନ, ଖାଦ୍ୟ ଉତ୍ପାଦନ, ମାଟି ଓ ପାଣି ପରୀକ୍ଷା, ବିପଣନ ଇତ୍ୟାଦି ବିଷୟରେ ଶିକ୍ଷାଦାନ କରାଯାଇଥିଲା । ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ ମାନବେଶମହାପାତ୍ର ଓ ଶ୍ରୀ ଭାଇରଥି ବେହେରାଙ୍କ ତତ୍ୱାବଧାନରେ ଆସିଥିବା ଏହି ଅଗ୍ରଣୀ ଚାଷୀମାନଙ୍କ ମଧ୍ୟରୁ ୫ଜଣଙ୍କୁ ହାଚେରୀ ପ୍ରତିଷ୍ଠା, ୩ ଜଣଙ୍କୁ ମାଛବିକ୍ରୟ ପାଇଁ ମାଛଖାଦ୍ୟ ପ୍ରସ୍ତୁତି ଉଦ୍ୟୋଗ ଓ ୨୦ ଜଣଙ୍କୁ ମାଛ ଜାଆଁଳ ଉତ୍ପାଦନ ପାଇଁ ମନୋନୀତ କରାଯାଇଥିଲା । ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରକଳ୍ପର ସବିଶେଷ ବିବରଣୀ ପ୍ରଦାନ କରାଯାଇଛି ଯଦ୍ୱାରା କି ବ୍ୟବସାୟିକ ଭିତିରେ ସେମାନେ ତୁରନ୍ତ ମତ୍ସ୍ୟଚାଷ କରିପାରିବେ । ପ୍ରକାଶ ଥାଉକି ରାଜ୍ୟଗୃହ, ଶକ୍ତି ଓ ଶିଳ୍ପମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ର ଓ ସିଫାର ନିର୍ଦ୍ଧେଶକ ଡଃ ସରୋଜ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏକ ବୈଜ୍ଞାନିକ ଦଳ ଗତ ଜୁଲାଇ ୨୯-୩୦ ଦୁଇ ଦିନ ଧରି କଳାହାଣ୍ଡି ଜିଲ୍ଲା ଗସ୍ତକରି ଉକ୍ତ ଜିଲ୍ଲାରେ ଥିବା ଅନେକ ଅନୁନ୍ନତ ପୋଖରୀ ଗୁଡ଼ିକରେ ବୈଜ୍ଞାନିକ ପଦ୍ଧତିରେ ମାଛଚାଷକରି ଜିଲ୍ଲାରେ କୃଷକମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ସ୍ଥିର କରିଥିଲେ । ଏଥିପାଇଁ ଜାଆଁଳ ଉତ୍ପାଦନ କରି ସ୍ୱନିର୍ଭରଶୀଳ କରାଇବା ଉଦ୍ଧେଶ୍ୟରେ ଏଭଳି ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା ।ଏସଟିସି ଚେୟାରମ୍ୟାନ ଡଃ ପି. ରାଉତରାୟଏହି ପ୍ରଶିକ୍ଷଣର ପାଠ୍ୟକ୍ରମ ନିର୍ଦ୍ଧେଶକ ଥିବାବେଳେ ଡଃଏନ୍.କେ. ବାରିକ ପାଠ୍ୟକ୍ରମ ସଂଯୋଜକ ଥିଲେ ।
ଏହି ପ୍ରଶିକ୍ଷଣ ଶିବିରର ଉଦଯାପନୀ ସଭାରେ ଯୋଗଦାନକରି ସିଫାର ନିର୍ଦ୍ଧେଶକ ଡଃ ସ୍ୱାଇଁ କୃଷକ ମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ମାଛଚାଷ କରିବାକୁ ପ୍ରେରଣା ଦେଇଥିଲେ ଓ କଳାହାଣ୍ଡି ଜିଲ୍ଲାରେ ମାଛଚାଷର ଉନ୍ନତି ପାଇଁ ସବୁପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଡଃ ପି. ରାଉତରାୟ ମାଛଜାଆଁଳରେ ଆତ୍ମନିର୍ଭରଶୀଳ ହେବାପାଇଁ ଉପାୟ ବତାଇଥିବାବେଳେ ଡଃ ଏନ୍. କେ. ବାରିକ ମାଛଚାଷରେ ଔଦଗିକ ବିକାଶ ନିମନ୍ତେ ଏକ ରୋଡ଼ମ୍ୟାପ୍ ପ୍ରଦର୍ଶନ କରିଥିଲେ । ବୈଷୟିକ ଅଧିକାରୀ ଡଃ ଡି. କେ. ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର