ଭୁବନେଶ୍ୱର,୧୬/୦୮/୨୦୨୧(ଓଡ଼ିଶା ସମାଚାର)- ତିନି ଜଣ ହାର୍ଡକୋର ମାଓବାଦୀ ପୋଲିସ ଡିଜି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ତିନି ହାର୍ଡକୋର ମାଓବାଦୀ ହେଉଛନ୍ତି ସିପିଆଇ ଏରିଆ କମାଣ୍ଡର ଲକ୍ଷମା ମାଧବୀ, ନିତେଶ ଓରଫ ଗଙ୍ଗା ମାଡ଼କାମ ଓ ନବୀନ ଓରଫ ସୁମାସଡ଼ି । ସେମାନେ ସମସ୍ତେ ଛତିଶଗଡ଼ର ସୁକମା ଅଞ୍ଚଳର । ତିନି ଜଣ ମହାନଦୀ ଏରିଆ କମଟି ରେ ରହି ଉତ୍ତର କନ୍ଧମାଳରେ ସକ୍ରିୟ ଥିଲେ । ସେମାନେ ମାଓବାଦୀ କାର୍ୟ୍ୟକଳାପକୁ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ତେଣୁ ସେମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ସେମାନଙ୍କ ଭଲମନ୍ଦ ବୁଝାଯିବ ବୋଲି ପୋଲିସ ଡିଜି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର