Tuesday , October 3 2023
Breaking News
Home / ସ୍ୱାସ୍ଥ୍ୟ / ଫାର୍ମାସିଷ୍ଟ ଭରଷାରେ ଚାଲିଛି ସ୍ବାସ୍ଥ୍ୟସେବା: ଡାକ୍ତର ନିୟୋଜିତ ପାଇଁ ଅଞ୍ଚଳବାସୀଙ୍କ ଦାବି

ଫାର୍ମାସିଷ୍ଟ ଭରଷାରେ ଚାଲିଛି ସ୍ବାସ୍ଥ୍ୟସେବା: ଡାକ୍ତର ନିୟୋଜିତ ପାଇଁ ଅଞ୍ଚଳବାସୀଙ୍କ ଦାବି

ବାଲିଗୁଡ଼ା,୧୪/୦୮/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଡାକ୍ତରଖାନା ଅଛି ହେଲେ ନାହାନ୍ତି ଡ଼ାକ୍ତର । ଫାର୍ମାସିଷ୍ଟ ଭରଷାରେ ଚାଲିଛି ଡ଼ାକ୍ତରଖାନା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳିନାହିଁ । ଫଳରେ ୪ଟି ପଞ୍ଚାୟତର ପାଖାପାଖି ୨୦ ହଜାର ଲୋକ ଦୈନନ୍ଦିନ ଜୀବନରେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ଗଦାପୁର ସରକାରୀ ଚିକିତ୍ସାଳୟରେ । ସରକାର ସ୍ବାସ୍ଥ୍ୟସେବାକୁ ଅଧିକ ଗୁରୁତ୍ବ ଦେଉଥିବା ବେଳେ ପ୍ରଶାସନିକ ଅବହେଳା ଯୋଗୁଁ ଉପାନ୍ତ ଅଞ୍ଚଳରେ ରୋଗୀମାନେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ରହୁଥିବା ଦେଖିବାକୁ ମିଳୁଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗଦାପୁର ସରକାରୀ ଚିକିତ୍ସାଳୟ ଦୀର୍ଘ ଦିନ ହେବ ମହିଳା ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି । ଡାକ୍ତର ନଥିବାରୁ ଅଞ୍ଚଳବାସୀ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇପାରୁନଥିବା ବେଳେ ଅଧିକାଂଶ ସମୟରେ ଡାକ୍ତରଖାନାରେ ତାଲା ଝୁଲୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଫଳରେ ଡାକ୍ତରଖାନାକୁ ଆସୁଥିବା ରୋଗୀ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି ।

 ଦାରିଙ୍ଗବାଡି ବ୍ଲକର ଗଦାପୁର,ସରାମୁଳି,ତାଜୁଙ୍ଗୀ ଓ ହାତିମୁଣ୍ଡା ଚାରୋଟି ପଞ୍ଚାୟତର ପାଖାପାଖି ୨୦ ହଜାର ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭରଶୀଳ । ଦୀର୍ଘ ଦିନରୁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଡାକ୍ତର ସମେତ ଆବଶ୍ୟକ କର୍ମଚାରୀ ଯୋଗାଇଦେବାକୁ ଦାବି ଜଣାଇ ଆସୁଥିଲେ ମଧ୍ୟ ଏଯାବତ୍ କୌଣସି  ସୁଫଳ ମିଳିନାହିଁ ବୋଲି କହିଛନ୍ତି ଅଞ୍ଚଳବାସୀ । ସେପଟେ ଡାକ୍ତରଖାନାର ପାରିପାର୍ଶ୍ବିକ ଅବସ୍ଥିତି ଠିକ୍ ନଥିବା ସହ ବର୍ଷାଦିନେ ଛାତରୁ ପାଣି ଗଳୁଛି । ଅନ୍ୟପଟେ ଡାକ୍ତରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଯୋଗାଇଦେବାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କହିଛନ୍ତି ଫାର୍ମାସିଷ୍ଟ । ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଏହି ଡାକ୍ତରଖାନାରେ ଡାକ୍ତରଙ୍କ ସମେତ ଆବଶ୍ୟକ କର୍ମଚାରୀ ଯୋଗାଇଦେଲେ ଅଞ୍ଚଳବାସୀ ଉପକୃତ ହୋଇପାରନ୍ତେ ।  ଓଡିଶା ସମାଚାର

Leave a Reply

Your email address will not be published. Required fields are marked *