ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବାକୁ ସିପିଆଇ (ଏମ୍)ର ଦାବି
ଭୁବନେଶ୍ୱର,୧୪/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଭାରିଗଦାଠାରେ ଜଳ ପ୍ରକଳ୍ପ ବିରୋଧୀ ଆନ୍ଦୋଳନରତ ଲୋକଙ୍କୁ ଗିରଫଦାରୀ ଓ ପୋଲିସ୍ ଆକ୍ରମଣକୁ ସିପିଆଇ (ଏମ୍) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସମ୍ପାଦକ ଅଳିକିଶୋର ପଟ୍ଟନାୟକ ଘୋର ନିନ୍ଦା କରିଛନ୍ତି । ଆଜି ଏଠାରେ ପାର୍ଟି ପକ୍ଷରୁ ପ୍ରଦତ ଏକ ବିବୃତିରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜକନିକା ଆଳି ଅଂଚଳର ସ୍ଥାନୀୟ ଲୋକଙ୍କ ପାଇଁ ଖରସ୍ରୋତା ନଦୀରୁ ଜଳସେଚନ ଓ ପାନୀୟ ଜଳ ପାଇଁ ଆନ୍ଦୋଳନ ୧୯୭୪ ମସିହାରୁ ହୋଇଆସୁଛି । ଆନ୍ଦୋଳନକୁ ଦମନ କରି ଚାପି ଦେବା ପାଇଁ ବରାବର ପଦକ୍ଷେପ ନିଆଯାଉଛି । କିନ୍ତୁ ଉକ୍ତ ଅଂଚଳବାସୀଙ୍କ ଜଳସେଚନ ଓ ପିଇବା ପାଣି ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ । ଏବେ ହଠାତ୍ ଖରସ୍ରୋତା ନଦୀରେ ବୃହତ ଜଳପ୍ରକଳ୍ପ ନିର୍ମାଣ କରି ପଡ଼ୋଶୀ ଭଦ୍ରକ ଜିଲ୍ଲାଠାରେ ଥିବା ଆଦାନୀ ସାମୁଦି୍ରକ ବନ୍ଦର ଇ ଏହାର କମ୍ପାନୀ ମାନଙ୍କ ବ୍ୟବହାର ପାଇଁ ଏହି ପ୍ରକଳ୍ପ କାର୍ୟ୍ୟକାରୀ କରୁଥିବା ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି । ବରଂ ଏହି ବୃହତ୍ ଜଳପ୍ରକଳ୍ପ ନିର୍ମାଣ ହେଲେ ସମୁଦ୍ରର ଲୁଣପାଣି ଜୁଆର ମାଡ଼ିଆସି ରାଜକନିକା ଅଂଚଳର ହଜାର ହଜାର ଚାଷଜମି କ୍ଷତିଗ୍ରସ୍ତ ହେବ । ଏହି ଆଶଙ୍କା କରି ଲୋକେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଛନ୍ତି ।
ଖରସ୍ରୋତା ପ୍ରକଳ୍ପ କରି ସ୍ଥାନୀୟ ଓ ପଡ଼ୋଶୀ ଜିଲ୍ଲାର ପାନୀୟଜଳ ଅଭାବ ପୂରଣ ପାଇଁ ଆଜି ସୁଦ୍ଧା ସରକାର କାହିଁକି ନୀରବ ରହିଥିଲେ? ଯଦି ସ୍ଥାନୀୟ ଲୋକଙ୍କ ଜଳ କଷ୍ଟ ଦୂର ପାଇଁ ନୂତନ ପ୍ରକଳ୍ପ ସହାୟକ ହେବ, ତେବେ ତାହା ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସମାଧାନ କରିବା ପରିବର୍ତେ ପୋଲିସ୍ ଦମନ ଓ ଅତ୍ୟାଚାର ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଗୋଟଏ ଜିଲ୍ଲାରୁ ଅନ୍ୟ ଏକ ଜିଲ୍ଲାକୁ ପାନୀୟ ଜଳ ଯୋଗାଣ ପାଇଁ କେହି କେବେ ଆପତି କରିପାରିବେ ନାହିଁ । ପୂର୍ବରୁ ଏହି ସରକାର ଅମଳରେ ମଧ୍ୟ ଋଷିକୁଲ୍ୟା, କଂସାରୀ ଗଣ୍ଡରୁ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଅଂଚଳକୁ ପାନୀୟ ଜଳ ପ୍ରକଳ୍ପ ହେଉଛି । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅଂଚଳର ୧୨ଟି ପଂଚାୟତ ଏବଂ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ୯୨ ଗ୍ରାମକୁ ଏଥିପାଇଁ ଜଳ ଯୋଗାଣର ବ୍ୟବସ୍ଥା ହେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାବାସୀଙ୍କୁ ନିଜ ଅଂଚଳରେ ପ୍ରବାହିତ ନଦୀ ଜଳକୁ ବ୍ୟବହାରରୁ ବଂଚିତ କରି ଆଦାନୀ କମ୍ପାନୀ ପାଇଁ ଅହେତୁକ ଅନୁକମ୍ପା ପ୍ରଦର୍ଶନ ଘୋର ନିନ୍ଦନୀୟ ।
ଏହି ପରିପ୍ରେକ୍ଷୀରେ ରାଜକନିକା ଅଂଚଳବାସୀଙ୍କ ନ୍ୟାଯ୍ୟଦାବିକୁ ବେଖାତିର କରିବା ପରିବର୍ତେ ରାଜ୍ୟ ସରକାର ତୁରନ୍ତ ଆନ୍ଦୋଳନକାରୀ ମାନଙ୍କ ସହିତ ଆଲୋଚନା କରି ସମାଧାନ କରିବା ସେଙ୍ଗ ସେଙ୍ଗ ପୋଲିସ୍ ଗିରଫଦାରୀ ବନ୍ଦ କରିବା ପାଇଁ ସିପିଆଇ (ଏମ୍) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦାବି କରାଯାଇଛି । ଓଡ଼ିଶା ସମାଚାର