ଭୁବନେଶ୍ୱର,୧୨/୦୮/୨୦୨୧(ଓଡ଼ିଶା ସମାଚାର)- ଟୋକିଓ ଅଲମ୍ପିକ୍ସରେ ଭାଗ ନେଇ ଓଡିଶା ଫେରିଥିବା ୪ ଓଡିଆ ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିବା ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି । ବ୍ରୋଂଚ ପଦକ ନେଇ ଫେରିଥିବା ପୁରୁଷ ହକିଦଳର ଦୁଇ ଖେଳାଳିଙ୍କୁ ଅଢେଇ କୋଟି ଟଙ୍କା ଲେଖାଁଏ ଓ ଦୁଇ ମହିଳା ହକି ଖେଳାଳିଙ୍କୁ ୫୦ଲକ୍ଷ ଟଙ୍କାଏ ପ୍ରଦାନ କରାଯାଇଛି । ପୁରସ୍କାର ରାଶି ପ୍ରଦାନ ସହିତ ପୁରୁଷ ହକି ଦଳର ଦୁଇ ତାରକା ଖେଳାଳିଙ୍କୁ ରାଜ୍ୟ ସରକାର ଡିଏସପି ପାହ୍ୟାରେ ନିଯୁକ୍ତି ପ୍ରଦାନ କରିଛନ୍ତି । ଏଥି ସହିତ ଖେଳାଳିମାନଙ୍କ ପ୍ରତି ରାଜ୍ୟ ସରକାରଙ୍କର ଏହି ସହଯୋଗ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।
ବ୍ରୋଂଚ ମେଡାଲ ନେଇ ଫେରିଥିବା ଦୁଇ ହକି ଖେଳାଳି ହେଲେ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା । ସେହିଭଳି ଦୁଇ ମହିଳା ହକି ଖେଳାଳି ହେଲେ ଦିପଗ୍ରେସ ଏକ୍କା ଓ ନମିତା ଟପ୍ପୋ । ଯଦିଓ ମହିଳା ହକିଦଳ ଅଲମ୍ପିକ୍ସରେ କୌଣସି ପଦକ ଆଣିପାରି ନାହାନ୍ତି ତେବେ ଦୀର୍ଘଦିନ ପରେ ଭାରତୀୟ ମହିଳା ହକିଦଳ ଅଲମ୍ପିିକ୍ସରେ ସେମିଫାଇନାଲ ଖେଳିବାକୁ ସକ୍ଷମ ହୋଇଥିଲେ । ଭାରତୀୟ ହକିଦଳ ମଧ୍ୟ ୪୧ବର୍ଷ ପରେ କୌଣସି ପଦକ ପାଇବାକୁ ସକ୍ଷମ ହୋଇଛି । ଭାରତୀୟ ଦଳରେ ଥିବା ଅମିତ ରୋହିଦାସଙ୍କ ଖେଳକୁ ଜାତୀୟ ଗଣମାଧ୍ୟମରେ ଭୁରି ଭୁରି ପ୍ରଶଂସା କରାଯାଇଥିବାବେଳେ ତାଙ୍କୁ ଜଣେ ସାଇଲେଂଟ ହିରୋ ବୋଲି ଆଖ୍ୟା ଦେଇଛି ।ଦଳ ଯେଉଁ ପଦକ ହାତେଇଛି ସେଥିରେ ଅମିତଙ୍କ ଅବଦାନ ଢେର ଅଧିକ ବୋଲି କ୍ରୀଡା ବିଶେଷଜ୍ଞମାନେ ମତ ଦେଇଛନ୍ତି । ପଦକ ନେଇ ସ୍ୱଦେଶ ଫେରିବାପରେ ପ୍ରଥମେ ଦିଲ୍ଲୀରେ ହକି ଖେଳାଳିକୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
ଓଡିଶାର ଖେଳାଳିମାନେ ଫେରିବାପରେ ଭୁବନେଶ୍ୱର ବିମାନବନ୍ଦରରେ ମଧ୍ୟ ସେମାନଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଓଡିଶା ସରକାର ସେମାନଙ୍କୁ କଳିଙ୍ଗ ଷ୍ଟାଡିୟମ ଠାରେ ସମ୍ବର୍ଦ୍ଧିତ କରିଛନ୍ତି ।ଓଡ଼ିଶା ସମାଚାର