କେନ୍ଦ୍ରାପଡ଼ା, ୧୨/୦୮/୨୦୨୧(ଓଡ଼ିଶା ସମାଚାର)- ରାଇଡ ସ୍ୱେଛାସେବୀ ଅନୁଷ୍ଠାନ ଦ୍ୱାରା ନାବାର୍ଡ ସହଯୋଗରେ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅଙ୍ଗୁଳେଇ ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଏସଏଚଜି ମହିଳାମାନଙ୍କୁ ଦୁଗ୍ଧରୁ କିଭଳି ମେସିନ ସାହାଯ୍ୟରେ ଲହୁଣୀ ଅଲଗା ହେବ, ଦୁଗ୍ଧରୁ ଛେନା, ଘିଅ, ଦହି ବାହାର କରାଯିବା ସହ ରାବିଡି, ରସାବଳି ଓ ଗୋଲାପଜାମ ପ୍ରସ୍ତୁତ ହୋଇପାରିବ ସେ ସମ୍ପର୍କରେ ଏକ ଡେମନଷ୍ଟ୍ରେସନ ଜରିଆରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏଥିସହିତ କୁହୁଡି ଠାରେ ଦୁଗ୍ଧଜାତ ଦ୍ରବ୍ୟ ପ୍ରସ୍ତୁତ ନିମନ୍ତେ ଏକ ଡେମନଷ୍ଟ୍ରେସନ ୟୁନିଟକୁ ନାବାର୍ଡର ଡିଡିଏମ ଅଶୋକ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଶିବିରରେ ରାଇଡର ସମ୍ପାଦକ କିଶୋର କୁମାର ସାହୁ ଯୋଗଦେଇ ନାବାର୍ଡର ଡିଡିଏମ ଶ୍ରୀ ଆଚାର୍ଯ୍ୟଙ୍କ ସହିତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏସଏଚଜି ମହିଳା ଦୁଗ୍ଧଚାଷୀମାନେ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଗୋଟିଏ ଜିଲ୍ଲାକୁ ଗୋଟିଏ ପ୍ରକଳ୍ପ ଯୋଜନାରେ କେନ୍ଦ୍ରାପଡା ଜିଲ୍ଲାକୁ ଏହି ପ୍ରକଳ୍ପ ପ୍ରଦାନ କରାଯାଇଛି । ଏହି ୟୁନିଟ ଦ୍ୱାରା ମାର୍ଶାଘାଇ ବ୍ଲକର ଅଙ୍ଗୁଳେଇ ଓ କୁହୁଡି ପ୍ରଭୃତି ଅଂଚଳର ଦୁଗ୍ଧଚାଷୀମାନେ ଉପକୃତ ହୋଇପାରିବେ ବୋଲି ରାଇଡର ସମ୍ପାଦକ ଶ୍ରୀ ସାହୁ ଆଶାବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର