ପାଣି ପାଇଁ ରାସ୍ତା ତାଡ଼ିଦେଲେ ଗ୍ରାମବାସୀ, ପରିସ୍ଥିତି ଅଣାୟତ ଦେଖି ଯନ୍ତ୍ରୀ ଖସି ପଳାଇଲେ
ରଘୁନାଥପୁର ,୧୨/୦୮/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତର ଚାଷୀମାନଙ୍କ ଅବସ୍ଥା ଉଦବେଗ ଜନକ । ଶ୍ରାବଣ ମାସ ସରିବାକୁ ବସିଥିବାବେଳେ ଚାଷ ଜମି ଶୁଖିଲା ପଡ଼ିଛି । ଅପର ପକ୍ଷେ ବିଲରେ ତଳି ବୁଢ଼ା ହୋଇ ଗଲାଣି । ସେମାନଙ୍କ ଅବସ୍ଥା କଣ ହେବ ଭାବି ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ମାଛ ଗାଁ ୭ ନମ୍ବର ଶାଖା କେନାଲ ଓ ଏହାର ବ୍ରାଂଚ କେନାଲ ର ସୋଠ ଗୁଡ଼ିକରେ ବିଲକୁ ପାଣି ଯାଉନାହିଁ । ତଅଁରା ଗନାଇଲୋ ଆରଡ଼ି ରାସ୍ତା ପାର ହୋଇ ଯାଇଥିବା ସୋଠ ଗୁଡ଼ିକ ଭାଙ୍ଗିରୁଜି ପୋତି ହୋଇ ପଡ଼ିଥିବାବେଳେ ଜଗତସିଂହପୁର ଜଳସମ୍ପଦ ବିଭାଗ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଏହାକୁ ଗୁରୁତ୍ୱ ଦେଉନାହାନ୍ତି । ଫଳରେ ଆଜି ଗ୍ରାମବାସୀମାନେ ବାଧ୍ୟ ହୋଇ ଏହି ରାସ୍ତାକୁ ନିଜ ଉଦ୍ୟମରେ ଖୋଳି ବିଲକୁ ପାଣି ନେବା ପାଇଁ ଉଦ୍ୟମ କରିଛନ୍ତି । ଗ୍ରାମର ପରିସ୍ଥିତି ଉଦବେଗ ଜନିତ ଥିବାବେଳେ ବିଭାଗୀୟ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ନାଳ ସଫେଇ କରିଥିବା ଠିକାଦାର ମାନଙ୍କ ସହିତ ମଧୁର ଆଳାପ ରେ ବ୍ୟସ୍ତ ଅଛନ୍ତି । ରାସ୍ତା ଖୋଳାହେବା ଖବର ପାଇଁ ଉଭୟ ଯନ୍ତ୍ରୀ ଖୋଳାହେବା ସ୍ଥାନକୁ ଆସିଥିଲେ ବି ଲୋକମାନଙ୍କ ପ୍ରଶ୍ନରେ ଇତସ୍ତତ ହୋଇ କୌଶଳକ୍ରମେ ଖସି ପଳାଇ ଯାଇଥିଲେ । ତେବେ ଆସନ୍ତା କାଲି ଗ୍ରାମବାସୀମାନେ ଜଳସମ୍ପଦ ବିଭାଗ ଅଫିସ ଆଗରେ ଧାରଣାରେ ବସିବେ ବୋଲି ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ କେନାଲ ସଫେଇ ଠିକ ଭାବେ ହୋଇନଥିବାରୁ କେନାଲ କଡ଼ରେ ଥିବା ତଅଁରା ପଂଚାୟତର କରଡ଼ା ଗହୀର, ୭ ନମ୍ବର ସବ ମାଇନର, ୭ ନମ୍ବର ବି ବ୍ରାଂଚ କେନାଲରେ ପାଣି ବିଲକୁ ଯାଉନାହିଁ । ସେଥିପାଇଁ ୬୦ ଏକର ରୁ ଅଧିକ ଜମି ଶୁଖିଲା ପଡ଼ିଥିବାରୁ ଚାଷ କିମ୍ବା ତଳିରୁଆ ହୋଇପାରୁନାହିଁ । ବାରମ୍ବାର ବାଲିଆ ସହକାରୀ ଯନ୍ତ୍ରୀ ଓ ବାଲିକୁଦା କନିଷ୍ଠ ଯନ୍ତ୍ରୀ ଙ୍କ ନିକଟରେ ଅଭିଯୋଗ ହେଉଥିଲେ ବି ସେମାନେ ଚାଷୀଙ୍କ ସମସ୍ୟା ବୁଝୁନାହାନ୍ତି । କେନାଲ ସଫେଇ କରୁଥିବା ଠିକାଦାର କାମ ନକରି ବିଲ କରାଇ ନେବାକୁ ମସୁଧା କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏହା ଉପରେ ତୁରନ୍ତ କାର୍ୟ୍ରାନୁଷ୍ଠାନ ଗ୍ରହଣ କରିବା ପାଇଁ ତଅଁରା ପଂଚାୟତର ଚାଷୀ ବଟକୃଷ୍ଣ ନାୟକ, ସଂଜୟ ନାୟକ, ନିଗମାନନ୍ଦ ଦାସ, ରବିନ୍ଦ୍ରନାଥ ମହାପାତ୍ର, ଧୂଳେଶ୍ୱର ବେଉରା, କେଦାର ନାୟକ, ଦିବାକର ନାୟକ, ସୁରେନ୍ଦ୍ର ମୁଦୁଲୀ, ନିକୁଂଜ ବିହାରୀ ପରିଡ଼ା, ସଚିତ୍ର ସ୍ୱାଇଁ, ଅଭିରାମ ସ୍ୱାଇଁ, ନିମାଇଁ ସ୍ୱାଇଁ, ଅକ୍ଷୟ ରାଉତ, ଗୋବିନ୍ଦ ବାରିକ, ଅଶୋକ ବାରିକ ପ୍ରମୁଖ ଜଗତସିଂହପୁର ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର