Saturday , December 10 2022
Home / ବିଶେଷ / ଗୁଣୁପୁର ଗ୍ରାମରେ ଶ୍ରୀଶ୍ରୀ ଗୋପାଳଜୀୟୁଙ୍କ ରତ୍ନମୁଦ ପ୍ରତିଷ୍ଠା ଉତ୍ସବ

ଗୁଣୁପୁର ଗ୍ରାମରେ ଶ୍ରୀଶ୍ରୀ ଗୋପାଳଜୀୟୁଙ୍କ ରତ୍ନମୁଦ ପ୍ରତିଷ୍ଠା ଉତ୍ସବ

ମାହାଙ୍ଗା ,୧୧/୦୮/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ମାହାଙ୍ଗା ବ୍ଲକର ମୂଳବସନ୍ତ ପଞ୍ଚାୟତ ଅନ୍ତର୍ଗତ ଗୁଣୁପୁର ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଗୋପାଳ ଜୀୟୁ ଏବଂ ଭାଗବତ ଗୋସେଇଁଙ୍କ ପବିତ୍ର ବିଜେସ୍ଥଳୀରେ ବୁଧବାର ପ୍ରତ୍ୟୁଷରେ ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାହିଁ କେଉଁ ଅନାଦି କାଳରୁ ଏହି ଗ୍ରାମରେ ପ୍ରଭୁ ଗୋପାଳ ଜୀୟୁଙ୍କୁ ଭକ୍ତମାନେ ଅତ୍ୟନ୍ତ ନିଷ୍ଠା ଓ ଭକ୍ତି ସହକାରେ ପୂଜାର୍ଚନା କରି ଆସୁଛନ୍ତି । ଗୋପାଳ ଜୀୟୁ ମନ୍ଦିର ପରିଚାଳନା କମିଟି ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ନୂତନ ମନ୍ଦିର ନିର୍ମାଣ କରାଯିବା ପରେ ଏହାର ପ୍ରତିଷ୍ଠା ଉତ୍ସବ ଓ ରତ୍ନମୁଦ ସ୍ଥାପନ କାର୍ୟ୍ୟକ୍ରମ ସମ୍ପନ୍ନ ହେବା ଦେଖିବାକୁ ମିଳିଥିଲା । ଆଜି ଭୋରୁ ବିରୂପା ନଦୀରୁ ପୂର୍ଣ୍ଣ କଳସ ଯାତ୍ରା,ସୂର୍ୟ୍ୟ ପୂଜା, ଘଟ ସ୍ଥାପନ ସହ ରତ୍ନମୁଦ କାର୍ୟ୍ୟକ୍ରମ ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ଭିତରେ ଅନୁଷ୍ଠିତ ହୋଇଥିଲା । ଗ୍ରାମରେ ଅଖଣ୍ଡ ଶାନ୍ତି ପ୍ରତିଷ୍ଠା ନିମନ୍ତେ , କରୋନା ମହାମାରୀରୁ ବିଶ୍ୱବାସୀଙ୍କୁ ରକ୍ଷା କରିବା ନିମନ୍ତେ , ବିଶ୍ୱର କଲ୍ୟାଣ ଓ ସମୃଦ୍ଧ ପାଇଁ, ବେଦଜ୍ଞ ବ୍ରାହ୍ମଣ, ପୁରୋହିତ, ବହୁ ଶାସ୍ତ୍ରଜ୍ଞ ପଣ୍ଡିତ ଏହି ଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା କାର୍ୟ୍ୟରେ ଯୋଗଦେଇ ଥିଲେ । ଏଥିସହ ନୂତନ ମନ୍ଦିର ପ୍ରତିଷ୍ଠାରେ ଗ୍ରାମବାସୀ ମାନଙ୍କ ସାହାଯ୍ୟ, ସହଯୋଗକୁ କମିଟି ପକ୍ଷରୁ ସ୍ୱାଗତ କରାଯାଇଥିଲା । ମନ୍ଦିର ପରିଚାଳନା କମିଟି ସଭାପତି ସମାଜସେବୀ ଦାଶରଥି ସାହୁ, ସଂପାଦକ ଧୀରେନ୍ଦ୍ର ସାହୁ,ସଦାଶିଷ ସାହୁ, ସତେନ୍ଦ୍ର ସାହୁ, ଉମେଶ ଚନ୍ଦ୍ର ସାହୁ, ରାଧାବଲ୍ଲଭ ସାହୁ, ଅଭୟ କୁମାର ସାହୁ, ଅମରେନ୍ଦ୍ର ସାହୁ, ଅରୁଣ କୁମାର ସାହୁ ଏବଂ ଗ୍ରାମର ଅନ୍ୟାନ୍ୟ ବହୁ ଶ୍ରଦ୍ଧାଳୁ ଉକ୍ତ କାର୍ୟ୍ୟକ୍ରମକୁ ସୂଚାରୁ ଭାବେ ପରିଚାଳନା କରିଥିଲେ । ପୂଜକ ଆଶୀଷ ମିଶ୍ର ଓ ସଞ୍ଜୟ ମିଶ୍ର ପ୍ରମୁଖ ଯଜ୍ଞ କାର୍ୟ୍ୟକୁ ସମ୍ପାଦନ କରିବା ଦେଖିବାକୁ ମିଳିଥିଲା । ବହୁ ଶ୍ରଦ୍ଧାଳୁ ଏହି ଉତ୍ସବରେ ସାମିଲ ହୋଇଥିଲେ ।
ବିଶ୍ୱାସେ ମିଳଇ ହରି ତର୍କେ ବହୁଦୂର !
ବାସ୍ତବରେ ଏହି ଉକ୍ତିଟିର ଯଥାର୍ଥତା ଏବେବି’ ଅକ୍ଷୁର୍ଣ୍ଣ ରହିଛି । ଗ୍ରାମ୍ୟ ଜୀବନରେ ଧାର୍ମୀୟ ଚେତନା ଓ ସରଳ ବିଶ୍ୱାସ ସନାତନ ସଂସ୍କୃତିର ମହାନତା ଏବଂ ପବିତ୍ରତାକୁ ପ୍ରତିପାଦିତ କରୁଛି । କେବଳ ସେତିକି ନୁହେଁ ଏହି ମଠ ମନ୍ଦିରକୁ ନେଇ ଶହଶହ ବର୍ଷର ଭାଇଚାରା ଓ ସଦ୍ଭାବନା ଆଜିବି’ ଆମ ସମାଜରେ ଅତୁଟ ରହିପାରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.