କେନ୍ଦ୍ରାପଡ଼ା, ୧୦/୦୮/୨୦୨୧(ଓଡ଼ିଶା ସମାଚାର)- କ୍ରୀଡା ଜଗତରେ କେନ୍ଦ୍ରାପଡା ଜିଲ୍ଲାର ଖେଳାଳୀମାନଙ୍କ ବହୁ ସୁନାମ ରହିଆସିଛି । ସେମାନଙ୍କ ପ୍ରତିଭାକୁ ଅଧିକ ପ୍ରଷ୍ଫୁଟିତ କରିବା ପାଇଁ କ୍ରୀଡ଼ା ଭିତିଭୁମି ବିକାଶର ଆବଶ୍ୟକତା ରହିଛି । ତାହାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ସହରକୁ ଏକ ବହୁମୁଖି ଇନଡୋର ଷ୍ଟାଡିୟମ ଭେଟି ଦେଇଛନ୍ତି । ଏହି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ୯କୋଟି ୫୫ଲକ୍ଷ ଟଙ୍କାର ଅନୁଦାନକୁ ରାଜ୍ୟ କ୍ୟାବିନେଟ ମୋହର ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ କେନ୍ଦ୍ରାପଡା ସହରବାସୀ ବିପୁଳ ଭାବେ ସ୍ୱାଗତ କରିବା ସହିତ ଏହି ଉପଲକ୍ଷେ ଉତ୍ସବ ପାଳନ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ବଧାଇ ଜଣାଇଛନ୍ତି । କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ନେତୃତ୍ୱରେ କେନ୍ଦ୍ରାପଡା ସହରବାସୀ, କ୍ରୀଡ଼ାବିତ କେନ୍ଦ୍ରାପଡା ପୌରଟାଉନହଲ ପରିସରରେ ସୋମବାର ସନ୍ଧ୍ୟାରେ ଏକତ୍ରିତ ହୋଇ ସ୍ୱାଗତ ଉତ୍ସବ ପାଳନ କରିଥିଲେ । ଶତାଧିକ କ୍ରୀଡାବିତ୍ ଆନନ୍ଦ ଉଲ୍ଲାସର ସହିତ ମୁଖ୍ୟମନ୍ତ୍ରୀଙ୍କ ଏହି ଭେଟିକୁ ବିପୁଳ ସଂଖ୍ୟାରେ ସ୍ୱାଗତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କ୍ରୀଡାର ବିକାଶ ପ୍ରତି ଆନ୍ତରିକତା ତଥା କେନ୍ଦ୍ରାପଡା ଯୁବଶକ୍ତିର ଉନ୍ନତି, ଅନ୍ତର୍ନିହିତ ଶକ୍ତିର ଉପଯୋଗ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ଏହି ଇନଡୋର ଷ୍ଟାଡିୟମ ନିର୍ମାଣ ଉପଯୋଗୀ ହେବ ବୋଲି ବିଧାୟକ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ । ରେଭେନ୍ସା କଲେଜର କ୍ରୀଡାରେ ଚମ୍ପିଅନ ହୋଇଥିବା କ୍ରୀଡାପ୍ରେମୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ଏହି ଷ୍ଟାଡିୟମଟି ନାମିତ କରାଯିବ । ଏହି ଷ୍ଟାଡିୟମଟି ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଶ୍ରୟସ୍ଥଳି ଭାବେ ମଧ୍ୟ ବ୍ୟବହାର ହୋଇପାରିବ । ହକିକୁ ପ୍ରୋତ୍ସାହନ ଦେଇ ବିଶ୍ୱ ଦରବାରରେ ଓଡିଶାକୁ ପରିଚିତ କରାଇଥିବା ମୁଖ୍ୟମନ୍ତ୍ରୀଙ୍କ କ୍ରୀଡାପ୍ରତି ଥିବା ଆଦରର ଏହା ପ୍ରମାଣ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ଏହି ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ସଫଳ କରିଥିବାରୁ ବିଧାୟକ ଶ୍ରୀ ବେହାରା ସହର ବାସୀଙ୍କ ପକ୍ଷରୁ ସ୍ୱାଗତ ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ବିଧାୟକ କେକ୍ କାଟି କ୍ରୀଡାବିତମାନଙ୍କ ଗ୍ରହଣରେ ଆନନ୍ଦ ଉତ୍ସବ ପାଳନ କରିଥିଲେ । ଏଥିସହିତ ସହରର କେତୋଟି କ୍ଲବକୁ କ୍ରୀଡା ସାମଗ୍ରୀ ପ୍ରଦାନ କରିଥିଲେ । ଆଗାମୀ ଦିନରେ ସହରର କ୍ରୀଡା କ୍ଲବମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ସମ୍ପାଦକ ରଞ୍ଜିତ ସାହୁ, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ କାଳୀ ପ୍ରସାଦ ମିଶ୍ର,ଉପ ସଂଯୋଜକ ହିରଣ୍ୟ ପଣ୍ଡା, ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଅକମଲ ଅଲ୍ଲୀ, ବିଜୟ ପତି, ନଗର ସଭାପତି ଯଯାତି କେଶରୀ ମହାନ୍ତି, ନଗର ବିଜେଡି କାର୍ଯ୍ୟକାରୀ ସଭାପତି ମଙ୍ଗଳ ବରଣ ସିଂ, ବିଜେଡି ଲିଗାଲ ଫ୍ରନ୍ଟ ସଦସ୍ୟ ସଞ୍ଜୟ ଜେନା, ଦେବଦାସ ମହାନ୍ତି, ଧିରେନ ସାହୁ, ଜିଲ୍ଲା ମହିଳା ବିଜେଡି ସଭାପତି ରୋସ୍ନା ସାହୁ, ମହେଶ ପାଢୀ ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରେ ଟୋକିଓରେ କେନ୍ଦ୍ରାପଡ଼ା ଯୁବକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଚିତ୍ରକଳା ପ୍ରଦର୍ଶିତ ହୋଇଥିବାରୁ ବିଧାୟକ ଶ୍ରୀ ବେହେରା ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରିଥିଲେ । ଓଡ଼ିଶା ସମାଚାର