କେନ୍ଦ୍ରାପଡ଼ା, ୦୯/୦୮/୨୦୨୧(ଓଡ଼ିଶା ସମାଚାର)- ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କରୋନା ଜନିତ ଲକଡାଉନ ଓ ସଟଡାଉନ ସମୟରେ ଚାଷୀ ଉତ୍ପାଦିତ ଦ୍ରବ୍ୟ ବିକ୍ରୀବଟା, କଳାକାର, ବିଉଟି ପାର୍ଲର, ସେଲୁନ ଓ ଜିମ ବ୍ୟବସାୟୀଙ୍କ ଜୀବନ ଜୀବିକା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣାଙ୍କୁ ପ୍ରଦାନ କରାଯାଇଛି । କରୋନାର ପ୍ରଥମ ଲହରରୁ ଦ୍ୱିତୀୟ ଲହର ମଧ୍ୟରେ ଲକଡାଉନ ଓ ସଟଡାଉନ ଯୋଗୁଁ ସମସ୍ତ ଚାଷୀ ଦ୍ରବ୍ୟର ବିକ୍ରୀବଟାରେ ଏବଂ କଳାକାର, ବିଉଟି ପାର୍ଲର, ସେଲୁନ ଓ ଜିମ ବ୍ୟବସାୟୀଙ୍କ ବ୍ୟାପକ କ୍ଷତି ହୋଇଥିବା ସଂଗଠନ ପକ୍ଷରୁ ଦାବି କରାଯାଇଛି । ଫଳରେ ଏହି ବର୍ଗର ଲୋକମାନେ ଜୀବନ ଜୀବିକା ହରାଇ ପିଲାଙ୍କୁ ପାଠ ପଢାଇବା, ଖାଇବା, ପିନ୍ଧିବା ସେମାନଙ୍କ ପାଇଁ ଚିନ୍ତା ବଢାଇଦେଇଛି । ଏଭଳି ଅସମୟରେ ଅନେକ ଉନ୍ନତ ଦେଶରେ ଲୋକମାନଙ୍କୁ ଜୀବନ ବଂଚାଇବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବା ସଂଗଠନ ପକ୍ଷରୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ଚାଷୀ, କଳାକାର, ବିଉଟି ପାର୍ଲର, ସେଲୁନ ଓ ଜିମ ବ୍ୟବସାୟୀଙ୍କୁ ମାସିକ ୫ହଜାର ଟଙ୍କା ଲେଖାଏଁ ୬ମାସ ପର୍ଯ୍ୟନ୍ତ ୩୦ହଜାର ଟଙ୍କାର ସରକାରୀ ସହାୟତା ଯୋଗାଇ ଦିଆଯିବାକୁ ଦାବି କରାଯାଇଛି । ସଂଗଠନ ପକ୍ଷରୁ ଜିଲ୍ଲା ସଂଯୋଜକ ଅକ୍ରୁର ପଲାଇ, ସହ ସଂଯୋଜକ ଦୋଳଗୋବିନ୍ଦ ସାହୁ, ଉପଦେଷ୍ଟା ଦାଶରଥି ସାହୁ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର